ଦେଶ ବିଦେଶ

Iran Missile Attack: ୟୁଏଇରେ ଇରାନର ଭୟଙ୍କର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ: ୩ ଭାରତୀୟ ଆହତ

ଆବୁଧାବି: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର କଳାବାଦଲ ଘନେଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ଭଙ୍ଗ ହେବା ପରେ, ଇରାନ ପକ୍ଷରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଉପରେ ଏକାଧିକ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରାଯାଇଛି। ସୋମବାର ଘଟିଥିବା ଏହି ଆକ୍ରମଣରେ ତିନିଜଣ ଭାରତୀୟ ନାଗରିକ ଆହତ ହୋଇଛନ୍ତି। ଫୁଜାଇରା ତୈଳ ଶିଳ୍ପାଞ୍ଚଳରେ ଡ୍ରୋନ୍ ଆକ୍ରମଣ ଯୋଗୁଁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟ ସରିଛି। ଆହତ ଭାରତୀୟମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆବୁଧାବିସ୍ଥିତ ଭାରତୀୟ ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ରହି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି।

ଇରାନ ଚାରୋଟି କ୍ରୁଜ୍ ମିସାଇଲ୍ ନିକ୍ଷେପ କରିଥିଲା

ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଇରାନ ଚାରୋଟି କ୍ରୁଜ୍ ମିସାଇଲ୍ ନିକ୍ଷେପ କରିଥିଲା, ଯାହା ମଧ୍ୟରୁ ତିନିଟିକୁ ୟୁଏଇର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଆକାଶରେ ହିଁ ନଷ୍ଟ କରିଦିଆଯାଇଥିବା ବେଳେ ଚତୁର୍ଥଟି ସମୁଦ୍ରରେ ପତିତ ହୋଇଛି। ଫୁଜାଇରା ବନ୍ଦର ୟୁଏଇ ପାଇଁ ବୈଦେଶିକ ତୈଳ ରପ୍ତାନିର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇଥିବାରୁ ଏହା ଉପରେ ଆକ୍ରମଣକୁ ଦେଶର ସୁରକ୍ଷା ପ୍ରତି ଏକ ଗୁରୁତର ବିପଦ ବୋଲି କୁହାଯାଉଛି। ଘଟଣାକୁ ନେଇ ୟୁଏଇ ବୈଦେଶିକ ମନ୍ତ୍ରଣାଳୟ ତୀବ୍ର ନିନ୍ଦା କରିବା ସହ ଏହାକୁ ”ବିଶ୍ୱାସଘାତକ” ଆକ୍ରମଣ ବୋଲି ବର୍ଣ୍ଣନା କରିଛି। ସାମରିକ ଉତ୍ତେଜନା ବଢ଼ୁଥିବା ବେଳେ ୟୁଏଇ ସ୍ପଷ୍ଟ କରିଛି ଯେ, ନିଜର ଜାତୀୟ ସୁରକ୍ଷା ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାର ”ସମ୍ପୂର୍ଣ୍ଣ ଓ ଯଥାର୍ଥ ଅଧିକାର” ତାଙ୍କର ରହିଛି। ଏହି ଆକ୍ରମଣ ପରେ ଦୁବାଇ ଓ ଆବୁଧାବି ଭଳି ବଡ଼ ସହରରେ ସତର୍କ ସୂଚନା ଜାରି କରାଯାଇଛି।

ସୌଜନ୍ୟ ସମ୍ବାଦ

Show More
Back to top button