ଦେଶ ବିଦେଶ

Iran Navy: ଇରାନ ନୌସେନାର ସୁରକ୍ଷାକବଚ ‘କାସ୍ପିଆନ୍‌ ସାଗର’; ଆମେରିକା ପାଇଁ ଅପହଞ୍ଚ

ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଇରାନ ନୌସେନାକୁ ପରିହାସ କରିଆସୁଛନ୍ତି। ଗତ ବୁଧବାର ଟ୍ରମ୍ପ ଇରାନ ନୌସେନାକୁ ଆକ୍ଷେପ କରି ଟ୍ରୁଥ୍ ସୋସିଆଲରେ…

ତେହେରାନ: ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଇରାନ ନୌସେନାକୁ ପରିହାସ କରିଆସୁଛନ୍ତି। ଗତ ବୁଧବାର ଟ୍ରମ୍ପ ଇରାନ ନୌସେନାକୁ ଆକ୍ଷେପ କରି ଟ୍ରୁଥ୍ ସୋସିଆଲରେ ଏକ ମିମ୍ ସେୟାର କରିଥିଲେ। ଏଆଇ-ଜେନେରେଟେଡ୍ ମିମ୍‌ରେ ଇରାନ ଯୁଦ୍ଧଜାହାଜ ସମୁଦ୍ରର ପାଣି ତଳେ ଥିବା ଚିତ୍ରିତ କରିଥିଲେ। ଟ୍ରମ୍ପ କହିବାର ଉଦ୍ଦେଶ୍ୟ ଥିଲା ଯେ, ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ଇରାନର ନୌସେନା ସମୂଳ ନଷ୍ଟ ହୋଇଯାଇଛି। ଟ୍ରମ୍ପଙ୍କ ଅଂହକାର ପୂରାପୂରି ଅସତ୍ୟ ମଧ୍ୟ ନୁହେଁ।

ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ପାରସ୍ୟ ସାଗରରେ ଇରାନର ନୌସେନା ଗଭୀର ଭାବେ ପ୍ରଭାବିତ ହୋଇଛି। ଦକ୍ଷିଣ ଉପକୂଳରେ ଆମେରିକା ଇରାନର ଜାହାଜଗୁଡ଼ିକ ବୁଡ଼ାଇ ଦେଇଥିଲା। ଫଳରେ ଇରାନର ନୌସେନାର କ୍ଷମତା ଗଭୀର ଭାବେ ହ୍ରାସ ପାଇଛି। କିନ୍ତୁ ଇରାନର ଉତ୍ତରରେ ଉପସାଗର ଜଳସୀମାଠାରୁ ବହୁ ଦୂରରେ ସ୍ଥଳଭାଗ ଘେରା କାସ୍ପିଆନ ସାଗରରେ ତେହେରାନର ଏକ ସକ୍ରିୟ ନୌବାହିନୀ ରହିଛି। ଯୁଦ୍ଧରେ ଏପର୍ଯ୍ୟନ୍ତ ଆମେରିକା ଇରାନର ଉତ୍ତରରେ ଥିବା ଏହି ନୌସେନାକୁ ଏପର୍ଯ୍ୟନ୍ତ ଟାର୍ଗେଟ କରିନାହିଁ, ଯାହାକି ଅସମାନ ଯୁଦ୍ଧରେ ଇରାନର ଜୀବନରେଖା ପାଲଟିଛି।

କାସ୍ପିଆନ ସାଗରର ଏକ ଅନନ୍ୟ ଭୂରାଜନୈତିକ ପରିବେଶ ଦ୍ୱାରା ସୁରକ୍ଷିତ ଇରାନର ଉତ୍ତର ନୌବାହିନୀ ପାଇଁ ସୁରକ୍ଷା କବଚ ପାଲଟିଛି ତାହା ନୁହେଁ ଯୁଦ୍ଧ ସମୟରେ ଦେଶକୁ ଏପରି ଭାବରେ ସହାୟତା କରିଛି ଯାହା ଗଣମାଧ୍ୟମର ଶିରୋନାମାରେ ସ୍ଥାନ ପାଇନାହିଁ। କାସ୍ପିଆନ ସାଗରକୁ ତୁର୍କମେନିସ୍ତାନ, ଆଜରବାଇଜାନ, ରୁଷ, ଇରାନ ଓ କାଜାଖସ୍ତାନ ଘେରି ରହିଛନ୍ତି। ଆମେରିକା ପାଇଁ ଏଠାରେ ଆକ୍ରମଣ କରିବା ଜଟିଳ ହୋଇଯାଇଛି। ପାରସ୍ୟ ଉପସାଗର ପରି କାସ୍ପିଆନ ସାଗର ମଧ୍ୟ ଏକ ଭୂରାଜନୈତିକ ଜଳକ୍ଷେତ୍ର। ଏହି ଅଞ୍ଚଳ ଉପରେ ରୁଷ୍‌ ଓ ଚୀନ୍‌ର ଗଭୀର ପ୍ରଭାବ ରହିଥିବାରୁ ଏଠାରେ ଇରାନ ଉପରେ ଆକ୍ରମଣ କରିବା ଆମେରିକା ପାଇଁ ଖୁବ୍‌ କଷ୍ଟକର। ଏକଦା ସୋଭିଏତ୍ ସଂଘର ଅଂଶ ଥିବା କେନ୍ଦ୍ର ଏସିଆ ଗଣରାଜ୍ୟ (ସିଏଆର୍‌)କୁ ଦୀର୍ଘଦିନ ଧରି ରୁଷର ରଣନୈତିକ ପ୍ରଭାବ କ୍ଷେତ୍ରର ଅଂଶ ଭାବରେ ବିବେଚନା କରାଯାଇଆସୁଛି।

 

ଇରାନର ନର୍ଦର୍ଣ୍ଣ ଫ୍ଲିଟ୍‌ ପୂର୍ବରୁ ଇସଲାମିକ୍ ଗଣରାଜ୍ୟ ଇରାନ ନୌବାହିନୀ (ଆଇଆର୍‌ଆଇଏନ୍‌)ର ଚତୁର୍ଥ ନୌବାହିନୀ କ୍ଷେତ୍ର ଭାବରେ ଜଣାଶୁଣା ଥିଲା। ଏହାର ମୁଖ୍ୟାଳୟ କାସ୍ପିଆନ ସାଗରର ଦକ୍ଷିଣ ଉପକୂଳରେ ଗିଲାନ ପ୍ରଦେଶର ବନ୍ଦର ଅଞ୍ଜାଲିରେ ଅବସ୍ଥିତ। ଇରାନର ଉତ୍ତର ସାମୁଦ୍ରିକ ସୀମାକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଷ୍ଠିତ ଏହି ନୌବାହିନୀ ସୀମା ସୁରକ୍ଷା, ତାଲିମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ସାମ୍ପ୍ରତିକ ଆକଳନ ଅନୁଯାୟୀ, ନୌବାହିନୀରେ ପ୍ରାୟ ୩୦୦୦ କର୍ମଚାରୀ ଓ କାସ୍ପିଅନର ଆପେକ୍ଷିକ ଅଗଭୀର ଜଳରାଶି ପାଇଁ ଉପଯୁକ୍ତ ଜାହାଜ ଏଠାରେ ମୁତୟନ ହୋଇଛି।

ଆଇଆର୍‌ଆଇଏନ୍‌ଏସ୍‌ ଡେଲାମାନ ପରି ଗୋଟିଏ ମଉଜ-କ୍ଲାସ୍ ଫ୍ରିଗେଟ ରହିଛି। ୨୦୨୩ ରେ ଏହାକୁ ଇରାନ ନୌସେନା ସାମିଲ କରିଥିଲା। ଏଥିରେ କର୍ଭେଟ୍, ଆଣ୍ଟିସିପ୍‌ କ୍ଷେପଣାସ୍ତ୍ର ସହିତ ମାଇନ୍ସସ୍ୱିପର ଓ ପ୍ରାୟ ୧୦ ଟି ପାଟ୍ରୋଲିଂ ଡଙ୍ଗା ଅନ୍ତର୍ଭୁକ୍ତ ଅଛି। ଏହି ପ୍ଲାଟଫର୍ମ ଉପକୂଳ ପ୍ରତିରକ୍ଷା, ତଲାସୀ ଓ ଉଦ୍ଧାର କାର୍ଯ୍ୟ ଏବଂ ମିଳିତ ତାଲିମ କାର୍ଯ୍ୟରେ ସାମିଲ ରହିଥାଏ। ବିଶେଷ କରି ରୁଷ୍‌ ସହିତ ଇରାନ ଏଠାରେ ନୌସେନା ଅଭ୍ୟାସ କରିଥାଏ। ଇରାନର ଦକ୍ଷିଣ ନୌସେନା ବାରମ୍ବାର ଆକ୍ରମଣର ସମ୍ମୁଖୀନ ହେଉଥିବାବେଳେ ଉତ୍ତର ନୌସେନା ପ୍ରତିରକ୍ଷା, ତାଲିମ କେନ୍ଦ୍ର ଓ ଲଜିଷ୍ଟିକ୍ ବେସ୍ ଭାବରେ କାର୍ଯ୍ୟ କରେ। ଏହି ଅଞ୍ଚଳରେ ଚୀନ୍‌ ମଧ୍ୟ ପ୍ରଭାବ ବଢ଼ୁଛି। ଚୀନ୍‌ ଏହାର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ଏବଂ ଶକ୍ତି ଆବଶ୍ୟକତା ମାଧ୍ୟମରେ ମଧ୍ୟ ଏସିଆ ଓ କାସ୍ପିଅନ୍ ଅଞ୍ଚଳରେ ଆର୍ଥିକ ସମ୍ପର୍କ ବିସ୍ତାର କରିଛି। ବନ୍ଦର, ପାଇପଲାଇନ୍ ଓ ପରିବହନ କରିଡରରେ ନିବେଶ ଚୀନର ପଶ୍ଚିମ ପ୍ରଦେଶଗୁଡ଼ିକୁ କାଜାଖସ୍ତାନ, ଆଜରବାଇଜାନ ଓ ଇରାନ ମାଧ୍ୟମରେ ୟୁରୋପୀୟ ବଜାର ସହିତ ସଂଯୋଗ କରେ। ଚୀନ୍‌ ଓ ରୁଷ୍‌ର ପ୍ରଭାବ ଯୋଗୁଁ ଆମେରିକା ସିଧାସଳଖ ଏଠାରେ ଇରାନ ଉପରେ ଆକ୍ରମଣ କରିବାରୁ ଦୂରେଇ ରହୁଛି।

ଇରାନର ବନ୍ଦର ଅଞ୍ଜାଲି ନିକଟରେ ମଧ୍ୟ ଘରୋଇ ଜାହାଜ ନିର୍ମାଣ ସୁବିଧା ରହିଛି। ଏଠାରେ ପେକାନ-ଶ୍ରେଣୀ କ୍ଷେପଣାସ୍ତ୍ର ଡଙ୍ଗା ଭଳି ଜାହାଜ ଉତ୍ପାଦନ କରାଯାଉଛି। ତେବେ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ୩୦ ରେ ଇସ୍ରାଏଲୀ ଆକ୍ରମଣ ଯୋଗୁଁ ବନ୍ଦର ଆଞ୍ଜାଲିରେ ନୌସେନା ମୁଖ୍ୟାଳୟ ସମେତ ଭିତ୍ତିଭୂମି ଓ ଜାହାଜଗୁଡ଼ିକୁ କ୍ଷତି ପହଞ୍ଚିଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button