Iranian missile strikes on Diego Garcia: ୪,୦୦୦ କିମି ଦୂର ଆମେରିକୀୟ ଘାଟି ”ଡିଏଗୋ ଗାର୍ସିଆ” ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼, ବଢ଼ିଲା ଆମେରିକାର ଚିନ୍ତା
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ଇରାନ ନିଜ ସୀମାରୁ ପ୍ରାୟ ୪,୦୦୦ କିଲୋମିଟର ଦୂରରେ ଅବସ୍ଥିତ ଭାରତ ମହାସାଗରର ଗୁରୁତ୍ୱପୂର୍ଣ୍ଣ ଆମେରିକା-ୟୁକେ ସାମରିକ ଘାଟି ''ଡିଏଗୋ ଗାର୍ସିଆ'' ଉପରେ ଦୁଇଟି ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। Monalisha Parida profile image by Monalisha Parida March 21, 2026, 10:13 AM IST

ୱାଶିଂଟନ୍/ତେହେରାନ: ଏସୀୟ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ଯୁଦ୍ଧ ଏକ ଭୟଙ୍କର ମୋଡ଼ ନେଇଛି। ଇରାନ ପ୍ରଥମ ଥର ପାଇଁ ନିଜର ପ୍ରକୃତ ସାମରିକ କ୍ଷମତା ପ୍ରଦର୍ଶନ କରି ବିଶ୍ୱକୁ ଚକିତ କରିଦେଇଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ଇରାନ ନିଜ ସୀମାରୁ ପ୍ରାୟ ୪,୦୦୦ କିଲୋମିଟର ଦୂରରେ ଅବସ୍ଥିତ ଭାରତ ମହାସାଗରର ଗୁରୁତ୍ୱପୂର୍ଣ୍ଣ ଆମେରିକା-ୟୁକେ ସାମରିକ ଘାଟି ”ଡିଏଗୋ ଗାର୍ସିଆ” ଉପରେ ଦୁଇଟି ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଯଦିଓ ଏହି ଆକ୍ରମଣରେ କୌଣସି ଜୀବନହାନି ବା ସମ୍ପତ୍ତି ନଷ୍ଟ ହୋଇନାହିଁ, କିନ୍ତୁ ଏହା ଇରାନର ପୂର୍ବ ନିର୍ଦ୍ଧାରିତ ୨,୦୦୦ କିଲୋମିଟର ଦୂରତା ସୀମାକୁ ଅତିକ୍ରମ କରି ଆମେରିକାର ରଣନୈତିକ ସ୍ୱାର୍ଥକୁ ସିଧାସଳଖ ଚ୍ୟାଲେଞ୍ଜ କରିଛି।
ଏହି ଆକ୍ରମଣ ସମୟରେ ଇରାନର ବୈଷୟିକ କ୍ଷମତାକୁ ନେଇ କିଛି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗୋଟିଏ କ୍ଷେପଣାସ୍ତ୍ର ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଫଳ ହୋଇଥିବାବେଳେ, ଦ୍ୱିତୀୟଟିକୁ ଅଟକାଇବା ପାଇଁ ଆମେରିକା ଏକ ଏସଏମ୍-୩ ଇଣ୍ଟରସେପ୍ଟର ବ୍ୟବହାର କରିଥିଲା। ତଥାପି, ଏହି ପ୍ରତିରୋଧ ସମ୍ପୂର୍ଣ୍ଣ ସଫଳ ହୋଇଛି କି ନାହିଁ, ସେ ନେଇ ସାମରିକ ଅଧିକାରୀମାନେ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇପାରିନାହାଁନ୍ତି। ଏହି ଘଟଣା ପ୍ରମାଣ କରୁଛି ଯେ ଇରାନର କ୍ଷେପଣାସ୍ତ୍ରଗୁଡ଼ିକ ତେହେରାନର ପୂର୍ବ ଦାବି ଅପେକ୍ଷା ବହୁତ ଅଧିକ ଦୂରତା ଅତିକ୍ରମ କରିବାରେ ସକ୍ଷମ।
ଡିଏଗୋ ଗାର୍ସିଆ ବିଶ୍ୱର ସବୁଠାରୁ ଦୂରବର୍ତ୍ତୀ ଘାଟି ମଧ୍ୟରୁ ଅନ୍ୟତମ
ଡିଏଗୋ ଗାର୍ସିଆ ବିଶ୍ୱର ସବୁଠାରୁ ଦୂରବର୍ତ୍ତୀ ଓ ରହସ୍ୟମୟ ସାମରିକ ଘାଟି ମଧ୍ୟରୁ ଅନ୍ୟତମ। ଭାରତ ମହାସାଗରରେ ଅବସ୍ଥିତ ଏହି ଦ୍ୱୀପଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୋଇଥିଲେ ହେଁ, ଏହା ସାଧାରଣ ନାଗରିକ ଓ ସାମ୍ବାଦିକମାନଙ୍କ ପାଇଁ ସମ୍ପୂର୍ଣ୍ଣ ନିଷିଦ୍ଧ ଅଞ୍ଚଳ। ଏହା ୟୁକେ ଏବଂ ମରିସସ ମଧ୍ୟରେ ଏକ ବିବାଦୀୟ ସ୍ଥଳ ହୋଇ ରହିଥିବାବେଳେ, ଏଠାରେ କେବଳ ଉଚ୍ଚପଦସ୍ଥ ସାମରିକ ଅଧିକାରୀଙ୍କୁ ପ୍ରବେଶ ଅନୁମତି ମିଳିଥାଏ। ଇରାନ ପକ୍ଷରୁ ଏହି ଗୁପ୍ତ ଘାଟିକୁ ଟାର୍ଗେଟ କରାଯିବା ଆମେରିକା ପାଇଁ ଏକ ବଡ଼ ଚେତାବନୀ ବୋଲି କୁହାଯାଇପାରେ।
ସୌଜନ୍ୟ ସମ୍ବାଦ




