Iron: ଲୁହାପଥରରେ ୪୧୬୨ କୋଟି ରୟାଲ୍ଟି କ୍ଷତି: ବାସ୍ତବ ମୂଲ୍ୟଠାରୁ କମ୍ ନିର୍ଦ୍ଧାରଣ କରି ଫାଙ୍କୁଛନ୍ତି
ଲୁହାପଥରର ଉଚିତ୍ ମୂଲ୍ୟାଙ୍କନ କରାଯାଉନଥିବାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରୟାଲ୍ଟି ହରାଉଛନ୍ତି। ସରକାରୀ ତଥ୍ୟ ଅନୁସାରେ ଲୁହାପଥରର ସ୍ବଳ୍ପ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିବାରୁ ୨୦୨୦-୨୧ ଓ ୨୦୨୧-୨୨ରେ ରାଜ୍ୟ ସରକାର ୪୧୬୨.୭୯ କୋଟି ଟଙ୍କାର ରୟାଲ୍ଟି ହରାଇଛନ୍ତି।

ଭୁବନେଶ୍ବର: ଲୁହାପଥରର ଉଚିତ୍ ମୂଲ୍ୟାଙ୍କନ କରାଯାଉନଥିବାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରୟାଲ୍ଟି ହରାଉଛନ୍ତି। ସରକାରୀ ତଥ୍ୟ ଅନୁସାରେ ଲୁହାପଥରର ସ୍ବଳ୍ପ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିବାରୁ ୨୦୨୦-୨୧ ଓ ୨୦୨୧-୨୨ରେ ରାଜ୍ୟ ସରକାର ୪୧୬୨.୭୯ କୋଟି ଟଙ୍କାର ରୟାଲ୍ଟି ହରାଇଛନ୍ତି। ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ସମୀକ୍ଷକ (ସିଏଜି)ଙ୍କ ତଥ୍ୟ ଅନୁସାରେ ଜାଜଙ୍ଗ ଖଣିରୁ ସର୍ବାଧିକ ୨୮୭୭.୨୭ କୋଟି ଟଙ୍କାର ରୟାଲ୍ଟି କ୍ଷତି ହୋଇଛି। ସେହିପରି ଜରିବାହାଳ ଖଣିରୁ ୭୦୩.୬୬ କୋଟି ଟଙ୍କା, ରୋଇଡା-୨ରୁ ୨୧୫.୨୭ କୋଟି ଟଙ୍କା, ଗଣୁଆ ଖଣିରୁ ୧୮୫.୧୫ କୋଟି ଟଙ୍କା, ନୂଆଗାଁ ଖଣିରୁ ୧୫୩.୭୯ କୋଟି ଟଙ୍କା ଓ ଠାକୁରାଣୀ ଖଣିରୁ ୨୭.୬୫ କୋଟି ଟଙ୍କାର ରୟାଲ୍ଟି କ୍ଷତି ହୋଇଛି।
ଏ ସମ୍ପର୍କରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ କହିଛନ୍ତି ଯେ ସିଏଜି ଦର୍ଶାଇଥିବା ତ୍ରୁଟିକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ଖଣି କମ୍ପାନିଗୁଡ଼ିକ କରିଥିବା ସ୍ବଳ୍ପ ମୂଲ୍ୟାଙ୍କନ ମାମଲାଗୁଡ଼ିକର ଯାଞ୍ଚ କରାଯାଉଛି। ୨୦୨୨-୨୩ରେ କୋଇଡ଼ା ଓ ଯୋଡ଼ା ଖଣି ସର୍କଲ୍ରେ ସେଭଳି କିଛି ମାମଲା ଚିହ୍ନଟ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଲୁହାପଥରର ମୂଲ୍ୟକୁ ସ୍ବଳ୍ପ ନିର୍ଦ୍ଧାରଣ କରିଥିବା ତିନିଟି କମ୍ପାନିକୁ ନୋଟିସ୍ ପଠାଯାଇଛି। ପାଞ୍ଚଟି ମାମଲାରେ ରାଜ୍ୟ ସରକାର ୫୭୯.୭୨ କୋଟି ଟଙ୍କାର ଡିମାଣ୍ଡ ନୋଟିସ୍ ପଠାଇଛନ୍ତି। କିନ୍ତୁ ଖଣି ଲିଜ୍ଧାରୀମାନେ ତାହା ବିରୋଧରେ କୋର୍ଟ ଯାଇଥିବାରୁ ଟଙ୍କାଟିଏ ସେମାନଙ୍କଠାରୁ ଆଦାୟ କରାଯାଇପାରିନାହିଁ।
କାରସାଦି କରି ଜାଣିଶୁଣି ଲୁହାପଥରର ମାନକୁ ହ୍ରାସ କରି ସ୍ବଳ୍ପ ମୂଲ୍ୟାଙ୍କନ କରାଯାଉଛି। ଉଚ୍ଚ ମାନର ଲୁହାପଥରକୁ ନିମ୍ନ ମାନର ଦର୍ଶାଯାଉଛି। ମାନ ବର୍ଗୀକରଣ ତ୍ରୁଟିପୂର୍ଣ୍ଣ ରହୁଥିବାରୁ ଡିମାଣ୍ଡ୍ ନୋଟିସ୍ ପରିମାଣ କମ୍ ରହୁଛି ଓ ସେହି ଅନୁସାରେ ରୟାଲ୍ଟ ଆଦାୟ ମଧ୍ୟ ହ୍ରାସ ପାଉଛି। ଯୋଡ଼ା-କୋଇଡ଼ା-ଯାଜପୁର ରୋଡ୍ ଦେଇ ପରିବହନ କରାଯାଉଥିବା ଲୁହାପଥରରେ ସର୍ବାଧିକ ରୟାଲ୍ଟି ହ୍ରାସ ପାଉଥିବା ଜଣାପଡ଼ିଛି।
ଲୁହାପଥର ମୂଲ୍ୟକୁ ସ୍ବଳ୍ପ କରି ନିର୍ଦ୍ଧାରଣ କରାଯାଉଥିବା ଅଭ୍ୟାସ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସେନେଇ ଓଡ଼ିଶା ଖଣିଜ ଓ ବେଆଇନ ଖଣି ଓ ନିୟାମକ ନିୟମରେ ଆବଶ୍ୟକ ସଂଶୋଧନ କରାଯାଇଛି। ତୃତୀୟ ପକ୍ଷ ଦ୍ବାରା ନମୁନା ସଂଗ୍ରହ, ସ୍ବୟଂକ୍ରିୟ ମାନ ଅନୁଶୀଳନ ଓ ଖଣିଜ ପରିବହନରର ବାସ୍ତବ ସମୟ ଡିଜିଟାଲ ନିରୀକ୍ଷଣ ଆଦି ବ୍ୟବସ୍ଥା କରାଯାଇଛି। ଖଣିଜ ପଦାର୍ଥର ଚୋରାଚାଲାଣ ଓ ଖଣିଜ ପଦାର୍ଥର ମାନ କମ୍ କରିବା ଭଳି ଘଟଣାଗୁଡ଼ିକୁ ଧରିବା ଲାଗି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତି ବ୍ୟବହାର କରିବା ଉପରେ ରାଜ୍ୟ ସରକାର ବିଚାର କରୁଛନ୍ତି।
ସୌଜନ୍ୟ ସମ୍ବାଦ




