Israeli prisoners: ଇସ୍ରାଏଲୀ ବନ୍ଦୀମାନଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା, ରିପୋର୍ଟ ପ୍ରକାଶ

ଜେରୁଜେଲମ: ଏକ ଇସ୍ରାଏଲୀ ତଦନ୍ତରୁ ଜଣାପଡିଛି ଯେ, ୭ ଅକ୍ଟୋବର, ୨୦୨୩ରେ ଇସ୍ରାଏଲ ଉପରେ ଆକ୍ରମଣ ସମୟରେ ଏବଂ ପରେ ହମାସ ଯୌନ ହିଂସା କରିଥିଲା। ୫,୦୦୦ ରୁ ୬,୦୦୦ ପାଲେଷ୍ଟାଇନୀ ଆତଙ୍କବାଦୀ,ମୁଖ୍ୟତଃ ହମାସର ଏବଂ ଅନ୍ୟାନ୍ୟ ସଶସ୍ତ୍ର ଗୋଷ୍ଠୀର ସଦସ୍ୟ ସ୍ଥଳ, ସମୁଦ୍ର ଏବଂ ଆକାଶପଥ ଦେଇ ଇସ୍ରାଏଲରେ ପ୍ରବେଶ କରି ଲୋକଙ୍କ ଉପରେ ‌ଗୁଳି ବର୍ଷା କରିଥିଲେ। ଏଥିରେ ୧,୨୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଅନେକଙ୍କୁ ଅପହରଣ କରାଯାଇଥିଲା। ଆତଙ୍କବାଦୀମାନେ ଗାଜା ସୀମା ନିକଟରେ ଥିବା ବିଭିନ୍ନ ସ୍ଥାନରେ ସମନ୍ୱିତ ଆକ୍ରମଣ ଆରମ୍ଭ କରିଥିଲେ। ମହିଳା ଏବଂ ଶିଶୁଙ୍କ ଉପରେ କରାଯାଇଥବା ହମାସର ଅପରାଧ ଉପରେ ସିଭିଲ କମିସନ ଦ୍ୱାରା କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ଯେ, ହିଂସା ଯୋଜନାବଦ୍ଧ ଭାବେ ଲଗାତାର କରାଯାଇଥିଲା। ଅପହରଣ, ସ୍ଥାନାନ୍ତର ଏବଂ ବନ୍ଦୀତ୍ୱ ସମେତ ଆକ୍ରମଣର ବିଭିନ୍ନ ସ୍ଥାନ ଏବଂ ପର୍ଯ୍ୟାୟରେ, ହମାସ ଏବଂ ଏହାର ସହଯୋଗୀମାନେ ପୀଡିତଙ୍କୁ ଯୌନ ଶୋଷଣ ଏବଂ ନିର୍ଯାତନା ଦେଇଥିଲେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ଦୁଇ ବର୍ଷର ସ୍ୱାଧୀନ ତଦନ୍ତ ପରେ, ସିଭିଲ୍ କମିସନ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ଯୌନ ଏବଂ ଲିଙ୍ଗ-ଭିତ୍ତିକ ହିଂସା ଅକ୍ଟୋବର ୭ ଆକ୍ରମଣ ଏବଂ ଏହାର ପରବର୍ତ୍ତୀ ଘଟଣାରେ ଘଟିଥିଲା। ଏହି ରିପୋର୍ଟ ବଞ୍ଚିଥିବା ବ୍ୟକ୍ତି, ସାକ୍ଷୀ, ଫେରିଥିବା ବନ୍ଧକ, ଚିକିତ୍ସା ବିଶେଷଜ୍ଞ, ପ୍ରଥମ ପ୍ରତିକ୍ରିୟାକାରୀ ଏବଂ ପରିବାର ସଦସ୍ୟଙ୍କ ସହିତ ୪୩୦ ଜଣଙ୍କ ସାକ୍ଷାତକାର ଆଧାରରେ ପ୍ରସ୍ତୁତ କରାଯାଇଛି। ୧୦,୦୦୦ରୁ ଅଧିକ ଫଟୋଗ୍ରାଫ୍ ଏବଂ ଭିଡିଓ ସେଗମେଣ୍ଟ ସମୀକ୍ଷା କରାଯାଇଥିଲା। ରିପୋର୍ଟରେ ଆକ୍ରମଣ ସମୟରେ, ଅପହରଣ ସମୟରେ କିମ୍ବା ଗାଜାରେ ବନ୍ଦୀ ଅବସ୍ଥାରେ ଥିବା ସମୟରେ ଯୌନ ହିଂସା ଏବଂ ନିର୍ଯାତନା ସହିଥିବା ୧୦ ରୁ ଅଧିକ ବଞ୍ଚିଥିବା ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ସାକ୍ଷ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ପୂର୍ବତନ ବନ୍ଧକ ରୋମି ଗୋନେନ୍, ରୋମ୍ ବ୍ରାସ୍ଲାଭସ୍କି, ଆର୍ବେଲ୍ ୟେହୁଦ୍, ଅମିତ୍ ସୌସାନା ଏବଂ ଇଲାନା ଗ୍ରିଟଜିୱସ୍କି ପ୍ରମୁଖ ରହିଛନ୍ତି। ରିପୋର୍ଟରେ ଗାଜା ସୀମା ନିକଟରେ ନୋଭା ସଂଗୀତ ମହୋତ୍ସବ ସ୍ଥଳରେ ହୋଇଥିବା ଦୁଷ୍କର୍ମ ଘଟଣାର ତିନୋଟି ପୃଥକ ଘଟଣାର ବିବରଣୀ ଦିଆଯାଇଛି।

୭ ଅକ୍ଟୋବର ୨୦୨୩ ରେ ହଜାର ହଜାର ହମାସ ଆତଙ୍କବାଦୀ ଇସ୍ରାଏଲର ସୀମା ବାଡ଼ ଡେଇଁ ଗାଜାରୁ ଦେଶ ଭିତରକୁ ପ୍ରବେଶ କରିଥିଲେ। ସେମାନେ ଖୋଲା ଆକାଶ ତଳେ ଟ୍ରାଇବ ଅଫ୍ ନୋଭା ସଂଗୀତ ମହୋତ୍ସବରେ ଇସ୍ରାଏଲୀ ଇତିହାସର ବର୍ବର ନରସଂହାର ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ହଜାର ହଜାର ଉପସ୍ଥିତ ଲୋକଙ୍କ ଉପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୧,୨୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ୨୫୧ ଜଣଙ୍କୁ ଅପହରଣ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଗାଜାକୁ ନିଆଯାଇଥିଲା।

 

 

 

ସୌଜନ୍ୟ ସମ୍ବାଦ