Jana Nayagan Release Delay: ବିଜୟଙ୍କ ଜନ ନାୟଗନକୁ ହାଇକୋର୍ଟରେ ବଡ଼ ଝଟକା
ହାଇକୋର୍ଟରେ ଥଲାପତି ବିଜୟଙ୍କ ଫିଲ୍ମ ଜନ ନାୟଗନକୁ ବଡ଼ ଝଟକା ଲାଗିଛି। ଏପର୍ଯ୍ୟନ୍ତ ମୁକ୍ତିଲାଭ ତାରିଖ ନେଇ କୌଣସି ନିଷ୍ପତ୍ତି ହୋଇ ପାରିନାହିଁ। କେଭିଏନ୍ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଫିଲ୍ମ ଜାନୁଆରି ୯ତାରିଖରେ ମୁକ୍ତିଲାଭ କରିବାର ଯୋଜନା ଥିଲା।

ଚେନ୍ନାଇ: ହାଇକୋର୍ଟରେ ଥଲାପତି ବିଜୟଙ୍କ ଫିଲ୍ମ ଜନ ନାୟଗନକୁ ବଡ଼ ଝଟକା ଲାଗିଛି। ଏପର୍ଯ୍ୟନ୍ତ ମୁକ୍ତିଲାଭ ତାରିଖ ନେଇ କୌଣସି ନିଷ୍ପତ୍ତି ହୋଇ ପାରିନାହିଁ।
କେଭିଏନ୍ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଫିଲ୍ମ ଜାନୁଆରି ୯ତାରିଖରେ ମୁକ୍ତିଲାଭ କରିବାର ଯୋଜନା ଥିଲା। ମାଡ୍ରାସ ହାଇକୋର୍ଟ ମଙ୍ଗଳବାର ଦିନ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରକୁ ସେନ୍ସର ପ୍ରମାଣପତ୍ର ଦେବା ପାଇଁ ଏକକ ବିଚାରପତିଙ୍କ ଆଦେଶକୁ ଖାରଜ କରିଦେଇଛନ୍ତି। ଯାହା ଫଳରେ ଏହାର ମୁକ୍ତିଲାଭ ଆହୁରି ବିଳମ୍ବିତ ହୋଇଛି। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏକକ ବିଚାରପତି ସେନ୍ସର ବୋର୍ଡକୁ ପ୍ରତିବାଦ ପାଇଁ ସମୟ ଦେବା ଉଚିତ ଥିଲା। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି)ଦ୍ୱାରା ପ୍ରଦର୍ଶନ ପାଇଁ ଅନୁମତି ନମିଳିଲେ ଜନ ନାୟଗନ ହଲ୍ରେ ମୁକ୍ତିଲାଭ କରିପାରିବ ନାହିଁ। ଫିଲ୍ମକୁ ଏପର୍ଯ୍ୟନ୍ତ ବୋର୍ଡରୁ ସେନ୍ସର ସାର୍ଟିଫିକେଟ୍ ମିଳିନାହିଁ। ମାଡ୍ରାସ ହାଇକୋର୍ଟରେ ଜନ ନାୟଗନ ସେନ୍ସର ସାର୍ଟିଫିକେଟ୍ ମାମଲାର ନୂତନ ଶୁଣାଣି ଆରମ୍ଭ ହେବାକୁ ଯାଉଛି ।
ଜାନୁଆରି ୨୦ ତାରିଖରେ, ମାଡ୍ରାସ ହାଇକୋର୍ଟ ସେନ୍ସର ବିବାଦ ଉପରେ ରାୟ ସଂରକ୍ଷିତ ରଖି କହିଥିଲେ ଯେ, ଜାନୁଆରି ୨୭ରେ ମାମଲାର ରାୟ ପ୍ରଦାନ କରାଯିବ। ବିଜୟ ରାଜନୀତିରେ ପାଦ ଦେବା ପୂର୍ବରୁ ତାଙ୍କର ଶେଷ ଚଳଚ୍ଚିତ୍ର ଜନ ନାୟଗନ , ପୋଙ୍ଗଲ ଉତ୍ସବ ପୂର୍ବରୁ ଜାନୁଆରି ୯ରେ ବିଶ୍ୱବ୍ୟାପୀ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ଥିଲା। କିନ୍ତୁ ମୁକ୍ତିଲାଭର କିଛି ଦିନ ପୂର୍ବରୁ, ସେନ୍ସର ବୋର୍ଡ ପ୍ରଯୋଜନା ସଂସ୍ଥା କେଭିଏନ ପ୍ରଡକ୍ସନ୍ସକୁ ଜଣାଇଥିଲା ଯେ, ବୋର୍ଡର ଅଭିଯୋଗ ଆଧାରରେ ଚଳଚ୍ଚିତ୍ରକୁ ସଂଶୋଧନ କମିଟିକୁ ପଠାଯାଇଛି। ଏହା ପରେ ନିର୍ମାତା ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଫିଲ୍ମକୁ ୟୁଏ ସାର୍ଟିଫିକେଟ୍ ଜାରି କରିବାକୁ ସେନ୍ସର ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବୋର୍ଡ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଏକ ଆବେଦନ କରିଥିଲା। ଏହା ପରେ ମାଡ୍ରାସ ହାଇକୋର୍ଟଙ୍କର ଦୁଇ ଜଣିଆ ଖଣ୍ଡପୀଠ ସେନ୍ସର ବୋର୍ଡକୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଦେଇଥିବା ଏକକ ଖଣ୍ଡପୀଠର ନିର୍ଦ୍ଦେଶକୁ ସ୍ଥଗିତ ରଖିଥିଲେ ।
ବିଳମ୍ବ ହେବାରେ ଲାଗିଛି ରିଲିଜ୍
ପୋଙ୍ଗଲ ଛୁଟି ପରେ ଜାନୁଆରି ୨୧ ତାରିଖରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା। ପରେ କେଭିଏନ ପ୍ରଡକ୍ସନ୍ସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜାନୁଆରି ୧୫ ତାରିଖରେ ମାମଲାର ଶୁଣାଣି ହୋଇଥିଲା। ଶୀର୍ଷ ଅଦାଲତ ଆବେଦନକୁ ଖାରଜ କରି ମାଡ୍ରାସ ହାଇକୋର୍ଟଙ୍କୁ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାରଣ ହାଇକୋର୍ଟ ଶୀଘ୍ର ଶୁଣାଣି କରିବାକୁ ମନା କରିଦେଇଥିଲେ।
ସୌଜନ୍ୟ ସମ୍ବାଦ




