ଦେଶ ବିଦେଶ

Jantar Mantar: ଯନ୍ତରମନ୍ତର ହିଂସା ତଦନ୍ତ ପ୍ୟାନେଲ ସୁପ୍ରିମ୍‌କୋର୍ଟ ତତ୍ତ୍ୱାବଧାନରେ କାମ କରିବ

ଯନ୍ତରମନ୍ତରରେ ସିଜେପିର ଛାତ୍ର ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଓ ହିଂସାର ତଦନ୍ତ ପାଇଁ ଗଠିତ ଉଚ୍ଚକ୍ଷମତାସମ୍ପନ୍ନ କମିଟି ସୁପ୍ରିମ୍‌କୋର୍ଟର ତତ୍ତ୍ୱାବଧାନରେ କାମ କରିବ। ମଙ୍ଗଳବାର ଏ ସମ୍ପର୍କିତ ଏକ ଆବେଦନର ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ ଏହା ସ୍ପଷ୍ଟ କରିଛନ୍ତି।

ନୂଆଦିଲ୍ଲୀ: ଯନ୍ତରମନ୍ତରରେ ସିଜେପିର ଛାତ୍ର ଆନ୍ଦୋଳନ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଓ ହିଂସାର ତଦନ୍ତ ପାଇଁ ଗଠିତ ଉଚ୍ଚକ୍ଷମତାସମ୍ପନ୍ନ କମିଟି ସୁପ୍ରିମ୍‌କୋର୍ଟର ତତ୍ତ୍ୱାବଧାନରେ କାମ କରିବ। ମଙ୍ଗଳବାର ଏ ସମ୍ପର୍କିତ ଏକ ଆବେଦନର ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ ଏହା ସ୍ପଷ୍ଟ କରିଛନ୍ତି। ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ଆର୍‌ ସୁଭାଷ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ କମିଟିକୁ ବର୍ତ୍ତମାନ ପୁନର୍ଗଠନ କରାଯିବ ନାହିଁ ବୋଲି ଅଦାଲତଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ହୋଇଛି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠରେ ଏହି ପ୍ରସଙ୍ଗ ଉଠିଥିଲା। କିଛି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ କମିଟିର ଗଠନ ନେଇ ଆପତ୍ତି ଉଠାଇ ଆବେଦନଟିର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ଅନୁରୋଧ କରିଥିଲେ। ତେବେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାକୁ ବିରୋଧ କରିଥିଲେ। ଆବେଦନରେ କମିଟିର ଅଧ୍ୟକ୍ଷ କିଏ ହେବା ଉଚିତ, ସେନେଇ ନିର୍ଦ୍ଦିଷ୍ଟ ବିଚାରପତିଙ୍କ ନାମ ଉଲ୍ଲେଖ କରାଯାଇଥିବାକୁ ସେ ଆପତ୍ତି କରିଥିଲେ। ଏହାପରେ ପ୍ରଧାନ ବିଚାରପତି କହିଥିଲେ ଯେ କମିଟିରେ ଯିଏ କାମ କରିବେ, ସେ ସୁପ୍ରିମ୍‌କୋର୍ଟର ତତ୍ତ୍ୱାବଧାନରେ କାମ କରିବେ। ମାମଲା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସମସ୍ତ ପକ୍ଷ କମିଟିକୁ ସହଯୋଗ କରନ୍ତୁ ଏବଂ ଏହାକୁ କାମ କରିବାକୁ ଦିଆଯାଉ ବୋଲି ଖଣ୍ଡପୀଠ କହିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମଧ୍ୟ ଏହା ଆବେଦନକାରୀମାନଙ୍କର ସାଧାରଣ ଚିନ୍ତା ବୋଲି କହିଥିଲେ।

ଅଗଷ୍ଟ ୨୦ରେ ସୁପ୍ରିମ୍‌କୋର୍ଟ ଏହି ପାଞ୍ଚଜଣିଆ କମିଟି ଗଠନ କରିଥିଲେ। ଜଷ୍ଟିସ୍‌ ରେଡ୍ଡୀଙ୍କ ବ୍ୟତୀତ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରବିଶଙ୍କର ଝା, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଶାଲିନ୍ଦର କୌର, ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଋଷିକୁମାର ଶୁକ୍ଲା ଓ ମେଘାଳୟର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଏଲ୍‌ଆର୍‌ ବିଷ୍ଣୋଇ ଏଥିରେ ସଦସ୍ୟ ଅଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button