ଜ୍ଞାନବ୍ରତ ଭୋଇ
ଝାରସୁଗୁଡ଼ା: ରାଜ୍ୟର ଅନ୍ୟତମ ଶିଳ୍ପ ସମୃଦ୍ଧ ଜିଲ୍ଲା ହେଉଛି ଝାରସୁଗୁଡ଼ା। ଜିଲ୍ଲାରେ ରାଷ୍ଟ୍ରାୟତ୍ତ ସଂସ୍ଥାରୁ ଆରମ୍ଭ କରି ବହୁରାଷ୍ଟ୍ରୀୟ କଂପାନି ଭଳି ଅନେକ ବୃହତ୍ ଶିଳ୍ପ ସ୍ଥାପିତ ହୋଇଛି। ଏହାଛଡ଼ା ଡଜନ ଡଜନ ସଂଖ୍ୟାରେ ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗ ବି ଗଢ଼ିଉଠିଛି। ଏଥିପାଇଁ ମୁଣ୍ଡ ପିଛା ଆୟ ଦୃଷ୍ଟିରୁ ଝାରସୁଗୁଡ଼ା ରାଜ୍ୟର ଅନ୍ୟତମ ଧନୀ ଜିଲ୍ଲା ଭାବେ ପରିଗଣିତ ହେଉଛି। ହେଲେ ଏଭଳି ଧନୀ ଜିଲ୍ଲାରେ ବି ଦାଦନର କଳାଛାଇ ସମସ୍ତଙ୍କୁ ବ୍ୟଥିତ କରୁଛି। ନିକଟରେ ବିଧାନସଭାରେ ଉପସ୍ଥାପିତ ତଥ୍ୟ ମୁତାବକ ଜିଲ୍ଲାର ୯୩୦ ଜଣ ଶ୍ରମିକ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ଏହି ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି।
ବେକାରୀ ଦୂରୀକରଣ ସହ ପାରିପାର୍ଶ୍ବିକ ଉନ୍ନୟନ ସକାଶେ ପ୍ରାୟ ଅଢ଼େଇ ଦଶନ୍ଧି ତଳେ ଝାରସୁଗୁଡ଼ା ଜିଲ୍ଲାରେ ଦ୍ରୁତ ଶିଳ୍ପାୟନର ଧାରା ଆରମ୍ଭ ହୋଇଥିଲା। ଅବଶ୍ୟ ଏହାର ୮ ଦଶନ୍ଧି ପୂର୍ବରୁ କୋଇଲା ଖଣି ଆରମ୍ଭ ହୋଇସାରିଥିଲା। ଇତିମଧ୍ୟରେ ରାଷ୍ଟ୍ରାୟତ୍ତ ସଂସ୍ଥାରୁ ଆରମ୍ଭ କରି ୧୨ରୁ ଅଧିକ ବୃହତ୍ ଶିଳ୍ପ ସହିତ ୩ ଡଜନ୍ରୁ ଅଧିକ ମଧ୍ୟମ ଶିଳ୍ପ ଏବଂ ଶତାଧିକ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ହୋଇସାରିଛି। ଏପରିକି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ପ୍ରାୟ ୧୨ଟି ବୃହତ୍ ଶିଳ୍ପ ଅଧୀନରେ ଶତାଧିକ ସଂଖ୍ୟାରେ ଆନୁଷଙ୍ଗିକ ସଂସ୍ଥା କାର୍ଯ୍ୟ କରିଆସୁଛି। ତେବେ ସରକାରୀ ଭାବେ ଏହି ଶିଳ୍ପ ସଂସ୍ଥାଗୁଡ଼ିକରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ଜିଲ୍ଲାର ଯୁବକ ଯୁବତୀଙ୍କ ସଂଖ୍ୟା ହାର ନିରାଶାଜନକ। ପ୍ରତିଟି ପ୍ରତିଷ୍ଠାନରେ ଜିଲ୍ଲାର ନିଯୁକ୍ତିହାର ୧୦ରୁ ୧୮ ପ୍ରତିଶତ ମଧ୍ୟରେ ସୀମିତ। ତାହା ପୁଣି ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଭାବେ ପରୋକ୍ଷ ନିଯୁକ୍ତିରେ ସୀମିତ। ହେଲେ ବାସ୍ତବରେ ବେସରକାରୀ ଭାବେ ଜିଲ୍ଲାର ବେକାରୀ ସଂଖ୍ୟା ଉଦ୍ବେଗଜନକ। କାରଣ, ଜିଲ୍ଲାର ୫ ବ୍ଲକ୍ରେ ବେକାରଙ୍କ ସଂଖ୍ୟା ୭୦ ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ବିଶେଷ କରି ସମସ୍ତ ବୃହତ୍ ଶିଳ୍ପାନୁଷ୍ଠାନରେ ବାହାର ରାଜ୍ୟର ଶ୍ରମିକ ଓ କର୍ମଚାରୀଙ୍କ ସଂଖ୍ୟା ୭୦ ପ୍ରତିଶତରୁ ଅଧିକ ରହୁଥିବା ନେଇ ସବୁ ବେସରକାରୀ ରିପୋର୍ଟରେ ପ୍ରକାଶିତ ହୋଇଆସୁଛି।
ରାଜ୍ୟ ବାହାରେ ଖଟୁଛନ୍ତି ୯୩୦ ଶ୍ରମିକ
ସ୍ଥାନୀୟ ନିଯୁକ୍ତି ହାର ନଗଣ୍ୟ
ଏଭଳି ସ୍ଥିତିରେ ବିଧାନସଭାର ସଦ୍ୟ ରିପୋର୍ଟ ଅନୁଯାୟୀ, ଝାରସୁଗୁଡା ଜିଲ୍ଲାରେ ଏତେ ଶିଳ୍ପସଂସ୍ଥା ଥିବା ସତ୍ତ୍ବେ କାମଧନ୍ଦା ଅଭାବରୁ ଏଠାକାର ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ରାଜ୍ୟର ଦାଦନ ଶ୍ରମିକଙ୍କ ସ୍ଥିତି ସଂପର୍କରେ ଦେଇଥିବା ସୂଚନା ଉଦ୍ବେଗଜନକ ରହିଛି। ଜିଲ୍ଲାରେ ଗତ ୨୦୨୪ରେ ମାତ୍ର ୯ ଜଣ ଲାଇସେନ୍ସପ୍ରାପ୍ତ ଶ୍ରମିକ ଯୋଗାଣକାରୀ ଥିବା ବେଳେ ୭୩୦ ଜଣ ଦାଦନ ଶ୍ରମିକ ଥିଲେ। କିନ୍ତୁ ୨୦୨୫ରେ ୧୫ ଜଣଙ୍କୁ ଶ୍ରମିକ ଯୋଗାଣ ପାଇଁ ଲାଇସେନ୍ସ ମିଳିଥିଲା। ଆଉ ଦାଦନ ଶ୍ରମିକଙ୍କ ସଂଖ୍ୟା କମିବା ପରିବର୍ତ୍ତେ ୯୩୦ରେ ପହଞ୍ଚିଛି। ଏହି ଅଢ଼େଇ ମାସ ମଧ୍ୟରେ ମାତ୍ର ୩ ଜଣଙ୍କୁ ଶ୍ରମିକ ଯୋଗାଣ ପାଇଁ ଲାଇସେନ୍ସ ଦିଆଯାଇଥିବା ବେଳେ ୬୫ ଜଣ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିଯାଇଥିବା ସୂଚନା ଦିଆଯାଇଛି। କିନ୍ତୁ ବେସରକାରୀ ତଥ୍ୟ ଏହାଠାରୁ କାହିଁ କେତେ ଗୁଣ ଅଧିକ ବୋଲି କୁହାଯାଉଛି।
ସୌଜନ୍ୟ ସମ୍ବାଦ