Jual oram: ପ୍ରକାଶଙ୍କୁ ସୁରକ୍ଷା ନେଇ ତେଜୁଛି ଅସନ୍ତୋଷ: ଅଡୁଆରେ ଜୁଏଲ
ରାଉରକେଲା ସର୍କିଟ୍ ହାଉସରୁ ବନ୍ଧୁକ ଓ ଗୁଳି ଜବତ ଘଟଣା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି।

ରାଉରକେଲା: ରାଉରକେଲା ସର୍କିଟ୍ ହାଉସରୁ ବନ୍ଧୁକ ଓ ଗୁଳି ଜବତ ଘଟଣା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। କେନ୍ଦ୍ରମନ୍ତ୍ରୀ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶୱାନ ଏହି ସଙ୍ଗିନ ମାମଲାରେ ସଂପୃକ୍ତ ରହି ପୁଲିସ ଭୟରେ ଫେରାର ଅଛନ୍ତି। ଏହି ଘଟଣା ଜୁଏଲଙ୍କ ୩୫ ବର୍ଷର ନିଷ୍କଳଙ୍କ ରାଜନୈତିକ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରୁଥିବା ଆଲୋଚନା ହେଉଛି। ଫେରାର ପ୍ରକାଶ ବହୁଦିନରୁ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ଜଡ଼ିତ। ବିଭିନ୍ନ ଥାନାରେ ତାଙ୍କ ନାଁରେ ୧୭ ଆପରାଧିକ ମାମଲା ରହିଛି। ବିଗତ ଦିନରେ ପ୍ରକାଶଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା। ଏମିତିକି ଜୁଏଲ ଗଣମାଧ୍ୟମ ଆଗରେ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଉଥିଲେ।
କେନ୍ଦ୍ରମନ୍ତ୍ରୀଙ୍କ ନିରବତା, ପ୍ରକାଶଙ୍କୁ ସୁରକ୍ଷା ବଳୟ ଯୋଗାଇ ଦେଉଥିଲା ବୋଲି ଅଭିଯୋଗ ହେଉଛି। ଏତଦ୍ବ୍ୟତୀତ ପ୍ରକାଶଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସମର୍ଥନ ରହିଥିବା ଜନସାଧାରଣଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା। ଅବଶ୍ୟ, ଗତ ୨୨ ତାରିଖରେ ଶ୍ରୀ ଓରାମ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରକାଶ ଯଦି ଦୋଷୀ, ତା’ହେଲେ ଆଇନ ଅନୁସାରେ ଦଣ୍ଡ ଦିଆଯାଉ ବୋଲି କହିଥିଲେ। ନିଜ ପ୍ରତିନିଧିଙ୍କ କୁକର୍ମର ବୋଝ ଏବେ ଜୁଏଲଙ୍କୁ ରାଜନୈତିକ ସଙ୍କଟ ମଧ୍ୟକୁ ଠେଲି ଦେଇଛି ବୋଲି ରାଜନୈତିକ ସମୀକ୍ଷକମାନଙ୍କର ମତ। ଏଭଳି ଏକ ସମ୍ବେଦନଶୀଳ ଘଟଣା କେବଳ ଯେ ଶାସକ ଦଳକୁ ଅଡ଼ୁଆରେ ପକାଇଛି ତାହା ନୁହେଁ, ବିରୋଧୀ ଦଳଗୁଡ଼ିକର ରହସ୍ୟମୟ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିରୋଧୀ ନେତାମାନେ ଜନସାଧାରଣଙ୍କ ସ୍ୱର ହୋଇପାରିନାହାନ୍ତି। କେବଳ ଫେସବୁକ୍, ଟ୍ୱିଟର ଭଳି ସାମାଜିକ ଗଣମାଧ୍ୟମରେ ନିଜର ପ୍ରତିବାଦକୁ ସୀମିତ ରଖିଛନ୍ତି। ବିରୋଧୀଙ୍କ ଦୁର୍ବଳ ଆଭିମୁଖ୍ୟକୁ ନେଇ ଜିଲ୍ଲାର ଜନସାଧାରଣ ଏବେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ସୌଜନ୍ୟ ସମ୍ବାଦ




