ରାଜ୍ୟ

Judgement: ସୁପ୍ରିମକୋର୍ଟରୁ ପ୍ରତାପ ଜେନାଙ୍କୁ ଆଶ୍ବସ୍ତି, ହାଇକୋର୍ଟଙ୍କ ରାୟ କାଏମ ରହିଲା

ମାହାଙ୍ଗା ଡବଲ ମର୍ଡର ମାମଲାରେ ସୁପ୍ରିମକୋର୍ଟରୁ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ଆଶ୍ବସ୍ତି ମିଳିଛି। ଓଡ଼ିଶା ହାଇକୋର୍ଟଙ୍କ ୨୦୨୪, ଅକ୍ଟୋବର ୧ର ରାୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି।

କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ସୁପ୍ରିମକୋର୍ଟରୁ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ଆଶ୍ବସ୍ତି ମିଳିଛି। ଓଡ଼ିଶା ହାଇକୋର୍ଟଙ୍କ ୨୦୨୪, ଅକ୍ଟୋବର ୧ର ରାୟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ଏଥି ସହିତ ହାଇକୋର୍ଟଙ୍କ ରାୟ ବିରୋଧରେ ରଣଜିତ ବରାଳ ଦାୟର କରିଥିବା ଏସଏଲପିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଅପରେଶ କୁମାର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ବରାଳଙ୍କ ଏସଏଲପିର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ମାହାଙ୍ଗା ଡବଲ ମର୍ଡର ମାମଲାରେ ଶ୍ରୀ ଜେନାଙ୍କ ବିରୋଧରେ ସାଲେପୁର ଜେଏମଏଫସି ଅଦାଲତ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ କଗନିଜାନ୍ସ ଗ୍ରହଣ କରି ୨୦୨୩, ସେପ୍ଟେମ୍ବର ୨୫ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ୨୦୨୪, ଅକ୍ଟୋବର ୧ରେ ରଦ୍ଦ କରିଥିଲେ। ଏଥି ସହିତ ନିମ୍ନ ଅଦାଲତରେ ଶ୍ରୀ ଜେନାଙ୍କ ବିରୋଧରେ ବିଚାରାଧୀନ ଏ ସଂପର୍କିତ ଫୌଜଦାରୀ ମାମଲାକୁ ମଧ୍ୟ ହାଇକୋର୍ଟ ଖାରଜ କରିଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଚାଲେଞ୍ଜ କରି ଶ୍ରୀ ବରାଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୫, ଜାନୁଆରି ୨୪ରେ ସୁପ୍ରିମକୋର୍ଟ ଶ୍ରୀ ବରାଳଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟରେ ଶ୍ରୀ ବରାଳଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି ସମୟରେ ଶ୍ରୀ ଜେନାଙ୍କ ତରଫରୁ ଆଇନଜୀବୀ ଉପସ୍ଥିତ ରହି ପକ୍ଷ ରଖିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ ଜାନୁଆରି ୨ରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାର ତଦନ୍ତ କରି ପୁଲିସ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥିରେ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ସ୍ଥାନ ପାଇ ନ ଥିଲା। ଏତଲାରେ ଶ୍ରୀ ଜେନାଙ୍କ ନାଁରେ ଅଭିଯୋଗ ଥିବା ବେଳେ ଚାର୍ଜସିଟରୁ କିନ୍ତୁ ତାଙ୍କୁ ବାଦ ଦିଆଯାଇଥିଲା। ପୁଲିସର ଚାର୍ଜସିଟ ବିରୋଧରେ ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ ହୋଇଥିଲା। ଅଦାଲତ ପିଟିସନର ଶୁଣାଣି କରି ଘଟଣାର ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button