ଖେଳ

Jurel’s century: ଜୁରେଲଙ୍କ ଶତକ: ଭାରତ ୫୦୩/୯; ଶ୍ରୀଲଙ୍କା ୮/୨

କଲମ୍ବୋ ଟେଷ୍ଟରେ ଭାରତୀୟ କ୍ରିକେଟ୍‌ ଦଳର ଆଧିପତ୍ୟ ଅବ୍ୟାହତ ରହିଛି। ପ୍ରଥମ ଦିନରେ ୩୦୦ ରନ୍‌ କରି ଘରୋଇ ଶ୍ରୀଲଙ୍କାକୁ ଚାପରେ ରଖିଥିବା ଭାରତ ସୋମବାର ଦ୍ବିତୀୟ ଦିନରେ ଲମ୍ବା ବର୍ଷା ବ୍ୟାଘାତ ସତ୍ତ୍ବେ ୫୦୦ ରନ୍‌ ଟପିଛି।

କଲମ୍ବୋ: କଲମ୍ବୋ ଟେଷ୍ଟରେ ଭାରତୀୟ କ୍ରିକେଟ୍‌ ଦଳର ଆଧିପତ୍ୟ ଅବ୍ୟାହତ ରହିଛି। ପ୍ରଥମ ଦିନରେ ୩୦୦ ରନ୍‌ କରି ଘରୋଇ ଶ୍ରୀଲଙ୍କାକୁ ଚାପରେ ରଖିଥିବା ଭାରତ ସୋମବାର ଦ୍ବିତୀୟ ଦିନରେ ଲମ୍ବା ବର୍ଷା ବ୍ୟାଘାତ ସତ୍ତ୍ବେ ୫୦୦ ରନ୍‌ ଟପିଛି। ତା’ ସହିତ ଖେଳ ଶେଷ ହେବାର କିଛି ମିନିଟ୍‌ ପୂର୍ବରୁ ଦୁଇଟି ୱିକେଟ୍‌ ଝାଡ଼ି ଶ୍ରୀଲଙ୍କାକୁ ସଙ୍କଟ ଭିତରକୁ ଠେଲି ଦେଇଛି। ଶ୍ରୀଲଙ୍କା ହାତରେ ୮ ୱିକେଟ୍‌ ଥିଲା ବେଳେ ଏବେବି ଘରୋଇ ଦଳ ୪୯୫ ରନ୍‌ ପଛରେ ରହିଛି। ପ୍ରଥମ ଦିନରେ ଦେବଦତ୍ତ ପଡ଼ିକଲ ନିଜ ପରାକ୍ରମ ଦେଖାଇଥିଲେ। ଦ୍ବିତୀୟ ଦିନରେ ଭାରତର ନାୟକ ସାଜିଛନ୍ତି ଯୁବ ବ୍ୟାଟର୍‌ ଧ୍ରୁବ ଜୁରେଲ (୧୧୫*)। ତାଙ୍କ ସହ କଚଟିରେ ଯନ୍ତ୍ରଣାଦାୟକ ଆଘାତ ସତ୍ତ୍ବେ ଆଉ ଏକ ଲଢ଼ୁଆ ଅର୍ଦ୍ଧଶତକୀୟ ପାଳି ଖେଳି ଭାରତର ସ୍ଥିତିକୁ ପୂରା ସୁଦୃଢ଼ କରି ଦେଇଛନ୍ତି ୱିକେଟ୍‌ ରକ୍ଷକ ବ୍ୟାଟର୍‌ ଋଷଭ ପନ୍ତ। ୬୩ ରନ୍‌ର ପାଳିରେ ୪ଟି ଦର୍ଶନୀୟ ଛକା ମାରି ସେ ସର୍ବାଧିକ ଛକା ମାରିଥିବା ବ୍ୟାଟର୍‌ଙ୍କ ଭିତରେ ତୃତୀୟକୁ ଉଠିଛନ୍ତି। ଏହି କ୍ରମରେ ସଂପ୍ରତି ପନ୍ତ (୧୦୨ ଛକା)ଙ୍କ ଆଗରେ କେବଳ ବେନ୍ ଷ୍ଟୋକ୍ସ (୧୩୮, ୧୨୨ ମ୍ୟାଚ୍‌), ବ୍ରେଣ୍ଡନ ମ୍ୟାକଲମ୍‌ (୧୦୭ ଛକା, ୧୦୧ ମ୍ୟାଚ୍‌) ରହିଛନ୍ତି। ଜୁରେଲ ୧୭୧ ବଲ୍‌ରୁ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଟେ‌‌‌ଷ୍ଟ ଶତକ ଅର୍ଜନ କରିବା ପରେ ଭାରତ ୫୦୩/୯ରେ ପାଳି ଘୋଷଣା କରିଛି। ତା’ ସହିତ ଶ୍ରୀଲଙ୍କା ପାଳିର ଦ୍ବିତୀୟ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ପ୍ରତିପକ୍ଷ ଓପନର୍‌ ଲହିରୁ ଉଦାରା ଏବଂ ମାନବ ସୂଥାର ତୃତୀୟ ଓଭରରେ ନାଇଟ୍‌ ୱାଚ୍‌ମ୍ୟାନ୍‌ ପ୍ରଭାତ ଜୟସୂରିୟାଙ୍କୁ ଆଉଟ୍‌ କରିବା ପରେ ପ୍ରଥମ ଭଳି ଦ୍ବିତୀୟ ଦିନର ସବୁ ସମ୍ମାନ ଭାରତ ସାଉଣ୍ଟି ନେଇଛି।

ଭାରତ ତା’ର ରବିବାର ସ୍କୋର ୩୦୦/୫ରୁୁ ସୋମବାରର ଖେଳ ଆରମ୍ଭ କରିଥିଲା। ମାତ୍ର ୭ ରନ୍‌ ପରେ କିନ୍ତୁ ସାରାଂଶ ଜୈନଙ୍କୁ ହରାଇଥିଲା। ତେବେ ଜୁରେଲ ଅପୂର୍ବ ଏକାଗ୍ରତାର ପରିଚୟ ଦେଇଥିଲେ। ପ୍ରଥମ ଦିନରେ ଆହତ ଅବସର ହୋଇଥିବା ଋଷଭ ପନ୍ତ ମଧ୍ୟ ତାଙ୍କୁ ଭରପୂର ସମର୍ଥନ କରିଥିଲେ। ଉଭୟ ସପ୍ତମ ୱିକେଟ୍‌ରେ ୧୧୨ ରନ୍‌ ଯୋଡ଼ି ଭାରତ ସ୍କୋର୍‌କୁ ୪୦୦ ରନ୍‌ ପାର କରାଇ ଦେଇଥିଲେ। ଅର୍ଦ୍ଧଶତକର ୧୩ ରନ୍‌ ପରେ କେଶରା ନୁୱାନ୍ଥା ପନ୍ତଙ୍କୁ ଶିକାର କରି ଏହି ଦୁଇ ତାରକାଙ୍କୁ ଅଲଗା କରିଥିଲେ। ହେଲେ ଜୁରେଲ ସାହସ ହରାଇ ନଥିଲେ। ଟେଲଏଣ୍ଡର୍‌ଙ୍କ ସହ ମିଶି ନିଜ ଶତକ ପୂରଣ କରିବା ସହ ଚୟନକର୍ତ୍ତାଙ୍କ ନିଷ୍ପତ୍ତିର ଯଥାର୍ଥ ସମ୍ମାନ ରଖିଥିଲେ। ଭାରତର ସ୍କୋର୍ ବୋର୍ଡକୁ ବି ଆଗେଇ ନେଇଥିଲେ ସେ। ଶେଷରେ ପ୍ରସିଦ୍ଧ କ୍ରିଷ୍ଣା ଚୌକା ମାରି ଭାରତ ସ୍କୋର୍‌କୁ ୫୦୦ ପାର କରାଇଥିଲେ ଏବଂ ତୁରନ୍ତ ଅଧିନାୟକ ଶୁବମନ ଗିଲ୍‌ ପାଳି ଘୋଷଣା କରିଥିଲେ। କମି କମି ଆସୁଥିବା ଆଲୋକରେ ଶ୍ରୀଲଙ୍କାକୁ କିଛି ଓଭର ଖେଳାଇବା ଲାଗି ସେ ଯେଉଁ ଯୋଜନା କରିଥିଲେ ତାହା ମଧ୍ୟ ବେଶ୍‌ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା। ସ୍ଥାନୀୟ ସମୟ ଅପରାହ୍‌ଣ ୨.୧୩ରେ ବର୍ଷା ଆରମ୍ଭ ହେବାରୁ ୪.୨୨ରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଖେଳ ବନ୍ଦ ରହିଥିଲା। ସେଥିପାଇଁ ସୋମବାର ମାତ୍ର ୫୧ ଓଭରର ଖେଳ ସମ୍ଭବ ହୋଇଥିଲା।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି-୧୩୮ ଓଭରରେ ୫୦୩/୯, ଘୋଷଣା (ଦେବଦତ୍ତ ପଡ଼ିକଲ-୧୧୭, ଧ୍ରୁବ ଜୁରେଲ ୧୧୫*, ଋଷଭ ପନ୍ତ ୬୩, ଶୁବମନ ଗିଲ୍‌-୫୦, ଯଶସ୍ବୀ ଜୟସ୍ବାଲ-୪୫, ରବୀନ୍ଦ୍ର ଜାଡ଼େଜା-୪୩, ଅସିଥ ଫର୍ଣ୍ଣାଣ୍ଡୋ-୪/୧୦୬, ପ୍ରବଥ ଜୟସୂରିୟା ୨/୧୩୨, କେଶରା ନୁୱନ୍ଥା-୧/୧୫୪, ଲାହିରୁ କୁମାରା-୧/୬୮)। ଶ୍ରୀଲଙ୍କା ପ୍ରଥମ ପାଳି-୩ ଓଭରରେ ୮/୨ (କାମିଲ ମିସାରା ୫*, ପ୍ରସିଦ୍ଧ କ୍ରିଷ୍ଣା ୧/୧, ମାନବ ସୂଥାର ୧/୬)।

ଟାଟୁରେ ‘ଜୟ ଯବାନ, ଜୟ କିଷାନ’
ଯୁବ ଭାରତୀୟ ବ୍ୟାଟର୍‌ ଧ୍ରୁବ ଜୁରେଲ ସୋମବାର ନିଜ ଦ୍ୱିତୀୟ ଟେଷ୍ଟ୍‌ ଶତକ ହାସଲ କରିଥିଲେ। ତେବେ ଏହି ସ୍ମରଣୀୟ ଶତକର ଉତ୍ସବକୁ ସେ ଯେଭଳି ଭା‌ବେ ପାଳନ କରିଥିଲେ, ତାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ସିଙ୍ଗଲ୍‌ ନେଇ ଶତକ ଅର୍ଜନ କରିବା ପରେ ପରେ ଜୁରେଲ ନିଜ ବାହୁରେ ଖୋଦେଇ ଥିବା ଟାଟୁକୁ ଗର୍ବରେ ଦେଖାଇଥିଲେ। ଯେଉଁଥିରେ ଲେଖାଥିଲା ‘ଜୟ ଯବାନ, ଜୟ କିଷାନ’। ଏହା କରି ସେ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ହୃଦୟ ଜିତି ନେଇଥିଲେ। ତାଙ୍କ ତିନି ଅଙ୍କ ଛୁଇଁବା ଧାରା ବି ଥିଲା ବେଶ୍‌ ନାଟକୀୟ ଥିଲା। ୯୯ ରନ୍‌ରେ ପହଞ୍ଚିବା ପରେ ୧୨ଟି ବଲ୍‌ ଧରି ଶତକ ପାଇଁ ଅପେକ୍ଷା କରିଥିଲେ ସେ। ଶେଷରେ ୧୩ତମ ବଲ୍‌ରେ ଅସିଥ ଫର୍ନାଣ୍ଡୋଙ୍କୁ ମିଡ୍‌ଅଫ୍‌ ଅଞ୍ଚଳକୁ ଖେଳି ସିଙ୍ଗଲ ଚୋରାଇ ନେବାକୁ ଦୌଡ଼ିଥିଲେ।  କିନ୍ତୁ ରନ୍‌ଆଉଟ୍‌ରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ପୂରା ଶରୀର ଲଗାଇ ଡାଇଭ୍‌ ମାରି କଷ୍ଟେମଷ୍ଟେ କ୍ରିଜ୍‌ରେ ପହଞ୍ଚିଥିଲେ। ବଲ୍‌ ଷ୍ଟମ୍ପ୍‌ରେ ଲାଗି ଯାଇଥିଲେ ସେ ନର୍ଭସ ନାଇଣ୍ଟିର ଶିକାର ହୋଇ ରନ୍‌ଆଉଟ୍‌ ହେବା ଏକପ୍ରକାର ନିଶ୍ଚିତ ଥିଲା। ଚଳିତ ଶୃଙ୍ଖଳାରେ ଜୁରେଲଙ୍କ ଏହା ଲଗାତାର ଦ୍ୱିତୀୟ ୫୦ରୁ ଅଧିକ ରନ୍‌ର ପାଳି। ପ୍ରଥମ ଟେଷ୍ଟ୍‌ରେ ସେ ୬୮ ବଲ୍‌ରୁ ୫୧ ରନ୍‌ କରି ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଜୁରେଲଙ୍କ ପ୍ରଥମ ଟେଷ୍ଟ୍‌ ଶତକ ଗତବର୍ଷ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଆସିଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button