ଓଡିଶାବିଶେଷ

Kalahandi : କଳାହାଣ୍ଡି ହାବସପୁରୀ ପାଟଶାଢ଼ି, ପ୍ରଚାର ଅଧିକ, ପ୍ରୋତ୍ସାହନ କମ୍‌

କଳାହାଣ୍ଡି ଜିଲ୍ଲାର ହାବସପୁରୀ ପାଟଶାଢ଼ିର ସ୍ବତନ୍ତ୍ର ପରିଚୟ ରହିଛି। ତେବେ ପ୍ରୋତ୍ସାହନ ଅଭାବ ଯୋଗୁଁ ବୁଣାକାରମାନେ ସଙ୍କଟରେ ଥିବା ଲକ୍ଷ୍ୟ କରାଯାଇଛି। ଚିଚୈଗୁଡ଼ା.....

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ହାବସପୁରୀ ପାଟଶାଢ଼ିର ସ୍ବତନ୍ତ୍ର ପରିଚୟ ରହିଛି। ତେବେ ପ୍ରୋତ୍ସାହନ ଅଭାବ ଯୋଗୁଁ ବୁଣାକାରମାନେ ସଙ୍କଟରେ ଥିବା ଲକ୍ଷ୍ୟ କରାଯାଇଛି। ଚିଚୈଗୁଡ଼ା, ବଲଧିଆମାଲ, ହାବସପୁର, ଚକୁଳି ଆଦି ସ୍ଥାନରେ ମେହେର ବା ଭୁଲିଆ ସମ୍ପ୍ରଦାୟର ପରିବାର ହାବସପୁରୀ ଶାଢ଼ି ବୁଣିବାରେ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହି ଶାଢ଼ିର ଉଭୟ ମୁହଁ ଓ ଦେହରେ ବାନ୍ଧ ରହିଥାଏ। ବାନ୍ଧରେ ରଙ୍ଗକାମ କୌଶଳକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଛାନ୍ଦରେ ସୂତାକାମର କୌଶଳକୁ ପ୍ରାଧାନ୍ୟ ଦିଆଯାଇଥାଏ। ହାବସପୁରୀ ଶାଢ଼ିରେ ଡବଲ୍‌ ଫୁଲ ତିଆରି ଏହାର ଏକ ସ୍ବତନ୍ତ୍ରତା। ଅନ୍ୟ ଶାଢ଼ିରେ ଗୋଟିଏ ଫୁଲ ରହୁଥିବା ବେଳେ ଏହାର ଭିନ୍ନତା ପାଇଁ ବୁଣାକାରଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ। ବୁଣାକାରମାନଙ୍କୁ ୯ କାରିଆ ବଦଳରେ ୧୮ କାରିଆ କାମ କରିବାକୁ ପଡ଼ିଥାଏ। ଜାଲା ତିଆରି କରିବା ଏହି ଶାଢ଼ିର ଆଉ ଏକ ନିଆରା କୌଶଳ।

ହାବସପୁରୀ ଶାଢ଼ିରେ ଆଦିବାସୀମାନଙ୍କର କାନ୍ଥଚିତ୍ର, ଦେହର ଚିତାକୁଟା ଡିଜାଇନ୍‌ ଶାଢ଼ିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ। ଶାଢ଼ିରେ ମାଛ, ହରିଣ, ହାତୀ ପ୍ରଭୃତି ଚିତ୍ରକୁ ଧଡ଼ିରେ ବୁଣି ମନଲୋଭା କରିଥାନ୍ତି। ଜୁନାଗଡ଼ ବ୍ଲକ୍‌ର ‌ଚିଚୈଗୁଡ଼ା, ହାବସପୁର ଓ ବଲଧିଆମାଲଠାରେ ବୁଣାକାରମାନଙ୍କ ପରିବାର ସେମାନଙ୍କ କୌଳିକ ବୃତ୍ତିକୁ ସମ୍ମାନ ଦେଇ ଏହି ଶାଢ଼ିର ଚମକକୁ ଦେଶବିଦେଶରେ ପରିଚିତ କରିବାକୁ ‌ପ୍ରଚେଷ୍ଟା କରୁଛନ୍ତି। ଏହାର ପ୍ରଚାର ପ୍ରସାର ଯେଭଳି ଭାବେ ହେଉଛି ସେହି ଅନୁସାରେ ବୁଣାକାରଙ୍କୁ ପ୍ରୋତ୍ସାହନ ମିଳୁ ନଥିବାରୁ ସେମାନେ ଏବେ ସଙ୍କଟରେ ଥିବା ପ୍ରକାଶ କରିଛନ୍ତି। ଏଥିପାଇଁ ହସ୍ତତନ୍ତ ବିଭାଗ ଉଦ୍ୟମ ଆରମ୍ଭ କରିଥିଲେ ହେଁ ଏହା ତାଲିମରେ ସୀମିତ ରହିଛି। ଅଧିକ ଉତ୍ପାଦନ ନଥିବା ଯୋଗୁଁ ଅନ୍ୟ ଜିଲ୍ଲାର ଶାଢ଼ି ଓ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ହାବସପୁରୀ ନାଁରେ କାୟାବିସ୍ତାର କରିବାରେ ଲାଗିଛି। ସରକାରୀ ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରେ ୧୨୧ଟି ପରିବାର ବୁଣାକାର ବୃତ୍ତିରେ ଅଛନ୍ତି। ହେେଲ ଏହାଠାରୁ ଅଧିକ ପରିବାର ଏହି କାମରେ ନିୟୋଜିତ ଅଛନ୍ତି। ସେମାନଙ୍କ ପାଇଁ କୌଣସି ସରକାରୀ ସହଯୋଗ ନାହିଁ। ଏଥିପାଇଁ ସରକାରଙ୍କ ପକ୍ଷରୁ ଠୋସ୍‌ ପଦକ୍ଷେପ ନିଆଗଲେ ବୁଣାକାରମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button