ରାଜ୍ୟ

Kalahandi politics: କଡ଼ ଲେଉଟାଉଛି କଳାହାଣ୍ଡି ରାଜନୀତି: ବିଜେପି ବିଜି, ବିଜେଡି ହ୍ୟାଙ୍ଗ୍‌, କଂଗ୍ରେସ ନେଟ୍‌ୱର୍କ ବାହାରେ

କଳାହାଣ୍ଡି ଜିଲ୍ଲାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି କଡ଼ ଲେଉଟାଉଛି। ବଦଳୁଛି ରାଜନୈତିକ ସମୀକରଣ। ଜିଲ୍ଲାର ରାଜନୈତିକ ଦୃଶ୍ୟପଟ ଦେଖିଲେ ବିଜେପିର ନେଟୱର୍କ ବିଜି...

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି କଡ଼ ଲେଉଟାଉଛି। ବଦଳୁଛି ରାଜନୈତିକ ସମୀକରଣ। ଜିଲ୍ଲାର ରାଜନୈତିକ ଦୃଶ୍ୟପଟ ଦେଖିଲେ ବିଜେପିର ନେଟୱର୍କ ବିଜି, ବିଜେଡିର ନେଟୱର୍କ ହ୍ୟାଙ୍ଗ ଓ କଂ‌ଗ୍ରେସ ନେଟୱର୍କ ବାହାରେ ବୋଲି କର୍ମୀ ମହଲରେ ଚର୍ଚ୍ଚା ଜୋର୍‌। କାରଣ କଳାହାଣ୍ଡି ଜିଲ୍ଲାରେ ଶାସନକୁ ଆସିଥିବା ବିଜେପି ଦଳରେ ଉଭୟ ବିଜେଡି ଓ କଂଗ୍ରେସର ଆଗଧାଡ଼ିର ନେତାମାନେ ସାମିଲ ହେବାରେ ଲାଗିଛନ୍ତି। ଗତ କିଛି ଦିନ ତଳେ ଜିଲ୍ଲାପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଓ ଅନ୍ୟ ୭ଜଣ ଜିଲ୍ଲାପରିଷଦ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ସେହିଭଳି ପୂର୍ବରୁ ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ଅଶେଶ୍ବର ବାଗ ବିଜେଡି ଛାଡ଼ି ପଦ୍ମ ଧରିଥିଲେ।

ନିର୍ବାଚନ ପୂର୍ବରୁ ବିଜେଡି ବିଧାୟକ ଅନାମ ନାଏକ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବର୍ତ୍ତମାନ ବିଜେଡିର ବହୁ ଆଗଧାଡ଼ିର ନେତା ବିଜେପି ନେତାମାନଙ୍କ ସମ୍ପର୍କରେ ଥିବାବେଳେ ଆଗକୁ ଯୋଗ ଦେବା ପାଇଁ ବଳ କଷୁଛନ୍ତି। ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିର ସଂଖ୍ୟା ଗରିଷ୍ଠତା ରହିଥିଲା। ଗତ ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଦଳ ବ୍ୟାକ୍‌ଫୁଟ୍‌ରେ ରହିଥିଲା। ବର୍ତ୍ତମାନ ବିଜେପି ଶାସନରେ ଥିବା ଯୋଗୁଁ ଜିଲ୍ଲା ପରିଷଦ ହାତେଇବା ପାଇଁ ଆଗ୍ରହ ଦେଖାଇଥିବାବେଳେ ତୃଣମୂଳସ୍ତରରେ କର୍ମୀମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଏହାର ଜବାବ ପଞ୍ଚାୟତ ନିର୍ବାଚନରେ ସୁଝାଇବେ ବୋଲି ଅପେକ୍ଷାରେ ରହିଛନ୍ତି କର୍ମୀ। ବିଜେପି ଦଳରେ ଏବେ ୩ ଗୋଷ୍ଠୀ ସକ୍ରିୟ ଥିବାବେଳେ ସଂଗଠନ ପ୍ରତି କାହାର ଆଗ୍ରହ ନାହିଁ। ନିଜ ନିଜ ପତିଆରା ପାଇଁ ସମସ୍ତେ ବ୍ୟସ୍ତ। ନେତା ଓ କର୍ମୀମାନେ ବାରମ୍ବାର ଆଗଧାଡ଼ିର ନେତାମାନଙ୍କୁ ଯୋଗାଯୋଗ କଲେ ମଧ୍ୟ ସେମାନଙ୍କ କାମ ହେଉ ନଥିବା ଯୋଗୁଁ ବିଜେପିର ନେଟୱର୍କ ବିଜି ବୋଲି ଚର୍ଚ୍ଚା କରୁଛନ୍ତି। ବିଜେଡି ଦଳରେ ଜୁନାଗଡ଼ ବିଧାୟକ ଓ ଧର୍ମଗଡ଼ର ପୂର୍ବତନ ମନ୍ତ୍ରୀଙ୍କ ମଧ୍ୟରେ ଗୋଷ୍ଠୀଗତ ପ୍ରତିଦ୍ବନ୍ଦ୍ବିତା ଚାଲିଥିବାବେଳେ ଜିଲ୍ଲା ସଭାପତିଙ୍କୁ ବାରମ୍ବାର ଅଡୁଆରେ ପକାଉଛନ୍ତି। କିଛି ଦିନ ତଳେ ବରିଷ୍ଠ ନେତା ସାରଦା ପ୍ରସନ୍ନ ସ୍ବାଇଁଙ୍କୁ ବିଜେଡିରୁ ନିଲମ୍ବିତ କରିବା ପରେ ସେ ଉଭୟ ଗୋଷ୍ଠୀଙ୍କ ବିରୋଧରେ ବିଷୋଦଗାର କରିଥିଲେ।

ଏବେ ମଧ୍ୟ ବିଜେଡି ନେତାମାନେ ଶାସନ ଯାଇଥିବା ଅନୁଭବ କରିପାରୁ ନଥିବାବେଳେ ହ୍ୟାଙ୍ଗ୍‌ଓଭର୍‌ ଏଯାଏଁ ଯାଇନାହିଁ। ଧୀରେ ଧୀରେ ବହୁ ଛାମୁଆ ନେତା ବିଜେପି ଓ କଂଗ୍ରେସମୁହାଁ ହେବାରେ ଲାଗିଛନ୍ତି। ନିଜସ୍ତରରେ ସଂଗଠନ ପାଇଁ ଆଗ୍ରହ ନଥିବାବେଳେ କେବଳ ରାଜ୍ୟ ନିର୍ଦ୍ଦେଶକୁ ଜଗି କାର୍ଯ୍ୟକ୍ରମରେ ସୀମିତ। ଗତ ଜିଲ୍ଲାପରିଷଦ ନିର୍ବାଚନର ବିଜୟକୁ ଦୋହରାଇବା ପାଇଁ କୌଣସି ରଣନୀତି ନଥିବା ଯୋଗୁଁ କର୍ମୀ ମହଲରେ ଅସନ୍ତୋଷ ଲାଗିରହିଛି। କଂଗ୍ରେସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପିସିସି ସଭାପତି ହେବା ପରେ ଭୁବନେଶ୍ବରରେ ବହୁ ସମୟ ଅବସ୍ଥାନ କରୁଥିବା ଯୋଗୁଁ ତୃଣମୂଳର ବହୁ ପୁରୁଣା କର୍ମୀ ଅଣଦେଖା ହେବାରେ ଲାଗିଛନ୍ତି। ସେମାନଙ୍କ ଗୁରୁତ୍ବ ରହୁ ନଥିବା ଯୋଗୁଁ କର୍ମୀମାନେ କଂଗ୍ରେସର ନେଟୱର୍କ ବାହାରେ ବୋଲି ଆଲୋଚନା ଚାଲିଛି। ଭବାନୀପାଟଣା ସଦର ବିଧାୟକଙ୍କ ସଂଗଠନ ସଦର ନିର୍ବାଚନମଣ୍ଡଳୀରେ ସୁଦୃଢ ଥିଲେ ହେଁ ଅନ୍ୟ ନିର୍ବାଚନମଣ୍ଡଳୀରେ କର୍ମୀ ନେତାଙ୍କ ଅପେକ୍ଷାରେ ରହୁଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ। ୩ ପ୍ରମୁଖ ଦଳ କସରତ କରୁଥିଲେ ହେଁ କର୍ମୀ ପାଖରେ ସେମାନଙ୍କ ଉପସ୍ଥିତି ଏକପ୍ରକାର ଶୂନ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button