ଖେଳ

Kalinga; କଳିଙ୍ଗରେ ତାରକାଙ୍କ ଭିଡ଼: ଶନିବାର ମହାଦେଶୀୟ ଲଢ଼େଇ

ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଓ ସ୍ମରଣୀୟ ଆ‌ୟୋଜନ ପାଇଁ ଓଡ଼ିଶା ସୁପରିଚିତ। ଶନିବାର ଏହି ଧାରାରେ ଆଉ ଏକ ଅଧ୍ୟାୟ ଯୋଡ଼ିହେବାକୁ ଯାଉଛି। ରାଜ୍ୟର କ୍ରୀଡ଼ା ପ୍ରାଣକେନ୍ଦ୍ର କଳିଙ୍ଗ ଷ୍ଟାଡିୟମରେ ଦିନକ ପରେ ଖେଳାଯିବାକୁ ଯାଉଛି ବିଶ୍ବ କଣ୍ଟିନେଣ୍ଟାଲ....

ଭୁବନେଶ୍ବର: ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଓ ସ୍ମରଣୀୟ ଆ‌ୟୋଜନ ପାଇଁ ଓଡ଼ିଶା ସୁପରିଚିତ। ଶନିବାର ଏହି ଧାରାରେ ଆଉ ଏକ ଅଧ୍ୟାୟ ଯୋଡ଼ିହେବାକୁ ଯାଉଛି। ରାଜ୍ୟର କ୍ରୀଡ଼ା ପ୍ରାଣକେନ୍ଦ୍ର କଳିଙ୍ଗ ଷ୍ଟାଡିୟମରେ ଦିନକ ପରେ ଖେଳାଯିବାକୁ ଯାଉଛି ବିଶ୍ବ କଣ୍ଟିନେଣ୍ଟାଲ ଟୁର (ରୌପ୍ୟ) ଆଥଲେଟିକ୍ସ ପ୍ରତିଯୋଗିତା। ଗତବର୍ଷ କଳିଙ୍ଗର ଲାଲ୍‌ ଟର୍ଫରେ ଭାରତବର୍ଷର ପ୍ରଥମ ବିଶ୍ବ କଣ୍ଟିନେଣ୍ଟାଲ ଟୁର୍‌ (କାଂସ୍ୟସ୍ତରୀୟ) ପ୍ରତିଯୋଗିତା ଆୟୋଜିତ ‌ହୋଇଥିଲା। ଏଥର ଆଉ ଏକ ପାହାଚ ଉପରକୁ ଉଠି ଓଡ଼ିଶା ଆୟୋଜନ କରିବାକୁ ଯାଉଛି ଏହି ବହୁ ଦେଶୀୟ ପ୍ରତିଯୋଗିତାର ରୌପ୍ୟ ପର୍ଯ୍ୟାୟ। ଆଉ ଏଥିଲାଗି ରାଜଧାନୀ ଭୁବନେଶ୍ବରରେ ଭିଡ଼ ଜମାଇଛନ୍ତି ୨୬ ଦେଶର ପାଖାପାଖି ୧୮୭ ଆଥଲେଟ୍‌। ବ୍ରାଜିଲଠାରୁ ଆରମ୍ଭ କରି ଗ୍ରେଟ୍‌ ବ୍ରି‌ଟେନର ବଛାବଛା ଆଥଲେଟ୍‌ ଏଠାରେ ନିଜ ଯାଦୁ ଦେଖାଇବାକୁ ଯେମିତି ପୂରା ବ୍ୟଗ୍ର ଅଛନ୍ତି। ବିଭିନ୍ନ ମହାଦେଶର ଉଲ୍ଲସିତ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ରହିଛନ୍ତି ଭାରତର  ୮୮ ଆଥଲେଟ୍‌।

ଏହି ଦିନିକିଆ ପ୍ରତିଯୋଗିତାର ଉଭୟ ମହିଳା ଓ ପୁରୁଷ ବର୍ଗର ୯ଟି ଲେଖାଏଁ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା ହେବ। ରୢାଙ୍କିଙ୍ଗ୍‌ ପଏଣ୍ଟ୍‌ ସହ ଏସିଆ ମହାଦେଶର ଆଥଲେଟ୍‌ମାନଙ୍କ ପାଇଁ ଏହି ପ୍ରତିଯୋଗିତା ଆଗାମୀ ଏସୀୟ କ୍ରୀଡ଼ା ଲାଗି ପ୍ରସ୍ତୁତି ପର୍ବର ବଡ଼ ମଞ୍ଚ ହେବ।  ୨୦୨୮ରେ କଳିଙ୍ଗ ଷ୍ଟାଡିୟମ୍‌‌ରେ ଏସୀୟ ଓ ବିଶ୍ବ ଇନ୍‌ଡୋର ଆଥଲେଟିକ୍ସ ପ୍ରତିଯୋଗିତା ଖେଳାଯିବାକୁ ଥିବାରୁ ବିଶ୍ବ କଣ୍ଟିନେଣ୍ଟାଲ ବା ମହାଦେଶୀୟ ଟୁର୍‌ ମଧ୍ୟ ଓଡ଼ିଶାର ଆୟୋଜକ ଓ ପ୍ରାୟୋଜକ କ୍ଷମତାକୁ ଆହୁରି ପରିବ୍ୟାପ୍ତ କରିବା ଲାଗି ଏକ ବଡ଼ ସୁଯୋଗ ନେଇ ଆସିବ। ମହିଳାମାନେ ୧୦୦, ୪୦୦, ୧୫୦୦, ୫୦୦୦ ମିଟର ଦୌଡ଼ ଓ ୧୦୦ ମିଟର ହର୍ଡଲ୍‌ସ ସହ ଲଙ୍ଗ ଜମ୍ପ୍‌, ଡିସ୍‌କସ୍‌ ଥ୍ରୋ’ ଓ ଜାଭଲିନ ଥ୍ରୋରେ ପରସ୍ପରର ମୁକାବିଲା କରିବେ। ସେହିଭଳି ପୁରୁଷ ବର୍ଗରେ ୧୦୦, ୪୦୦, ୮୦୦, ୫୦୦୦ ମିଟର ଦୌଡ଼ ସହ ୧୧୦ ମିଟର ହର୍ଡଲ୍‌ସ, ହାଇ ଜମ୍ପ, ଲଙ୍ଗ ଜମ୍ପ, ସଟ୍‌ ପୁଟ୍‌ ଓ ଜାଭଲିନ ଥ୍ରୋରେ ପ୍ରତିଦ୍ବନ୍ଦ୍ବିତା ହେବ। ଓଡ଼ିଶା ସରକାରଙ୍କ ପକ୍ଷରୁ ଗତ ବିଶ୍ବ କଣ୍ଟିନେଣ୍ଟାଲ ଟୁର ପ୍ରତିଯୋଗିତାରେ ଦିଆଯାଇଥିବା ପ୍ରତିଯୋଗିତାର ୩ଗୁଣ ଅର୍ଥାତ୍ ୭୫,୦୦୦ ଡଲାର ବା ପାଖାପାଖି ୭୧ ଲକ୍ଷ ୭୯ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଶୀର୍ଷ ୬ସ୍ଥାନରେ ରହିଥିବା ଖେଳାଳିଙ୍କୁ ଯଥାକ୍ରମେ ୧୬୦୦, ୧୨୦୦, ୯୦୦, ୬୦୦, ୪୦୦ ଓ ୨୦୦ ଡଲାରର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।

ଶନିବାର ମହାଦେଶୀୟ ଲଢ଼େଇ
ଭାଗନେବେ ୨୬ ଦେଶର ଆଥଲେଟ୍‌
ଓଡ଼ିଶା ବାଣ୍ଟିବ ୭୧ ଲକ୍ଷର ପୁରସ୍କାର

ଗୁରୁବାର ଏଥିନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବହୁଦେଶୀୟ ପ୍ରତିଯୋଗିତାର ଆୟୋଜନକୁ ନେଇ ଓଡ଼ିଶାର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। ସେହିଭଳି କଳିଙ୍ଗରେ ବିଶ୍ବ କଣ୍ଟିନେଣ୍ଟାଲ ଟୁର୍‌ର ସ୍ବର୍ଣ୍ଣ ଇଭେଣ୍ଟ୍ ଆୟୋଜନ କରିବା ଲାଗି ବାଟ ଖୋଲି ସାରିଛି। ଏପରିକି ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କିଛି ଖେଳ ଏଠାରେ ଆୟୋଜନ କରିବାକୁ ଚର୍ଚ୍ଚା ଚାଲିଛି ବୋଲି ସଙ୍କେତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା  ନିର୍ଦ୍ଦେଶକ ୟେଦୁଲା ବିଜୟ, ଭାରତୀୟ ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କରନ୍‌, ଆନ୍‌ସି ସୋଜନ ଏବଂ ବିଶ୍ବ ଦୌଡ଼କୁଦ ଉପସଭାପତି ଆଦିଲ ସୁମରିୱାଲା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀଶଙ୍କରନ୍‌ ଓ ଆନ୍‌ସି ଏସୀୟ କ୍ରୀଡ଼ା ପୂର୍ବରୁ ନିଜ ଦକ୍ଷତାକୁ ତଉଲିବାରେ କଳିଙ୍ଗ ଷ୍ଟାଡିୟମ୍‌ ସେମାନଙ୍କୁ ଭଲ ସୁଯୋଗ ଦେବ ବୋଲି କହିଥିଲେ। ସେହିଭଳି ବ୍ରାଜିଲର ମହିଳା ହର୍ଡଲ୍‌ସ ତାରକା ଭିକ୍ଟୋରିଆ ଆଲେଭେସ୍‌ ଏବଂ ନାଇଜେରିଆର ପୁରୁଷ ସଟ୍‌ପୁଟର୍‌ ତଥା‌ ରାଜ୍ୟଗୋଷ୍ଠୀ ଚାମ୍ପିଅନ୍‌ସିପ୍‌ ବିଜେତା ଏବଂ ବିଶ୍ବ ଆଥଲେଟିକ୍ସ ଓ ଅଲିମ୍ପିକ୍ସ ଫାଇନାଲିଷ୍ଟ୍‌ ଚୁକବୁଏବୁକା ଏନ୍‌କେବେଚି  କଳିଙ୍ଗ ଷ୍ଟାଡିୟମ୍‌ ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ।

ଓଡ଼ିଶାରୁ ଶ୍ରାବଣୀଙ୍କ ସମେତ ୬
ବିଶ୍ବ କଣ୍ଟିନେଣ୍ଟାଲ ଟୁର (ରୌପ୍ୟ) ପ୍ରତିଯୋଗିତାରେ ଓଡ଼ିଶାର ୬ଜଣ ଆଥଲେଟ୍‌ ଅଂଶଗ୍ରହଣ କରିବେ। ସେମାନେ ଅନିମେଷ କୁଜୁର (ପୁରୁଷ ୧୦୦ ମିଟର), ବାପି ହାଂସଦା (ପୁରୁଷ ୮୦୦ ମିଟର), ସ୍ବାଧୀନ କୁମାର ମାଝୀ (ପୁରୁଷ ୮୦୦ ମିଟର), କିଶୋର କୁମାର ଜେନା (ପୁରୁଷ ଜାଭଲିନ), ଶ୍ରାବଣୀ ନନ୍ଦ (ମହିଳା ୧୦୦ ମିଟର) ଓ ପ୍ରଜ୍ଞାପ୍ରଶାନ୍ତି ସାହୁ (ମହିଳା ୧୦୦ ମିଟର ହର୍ଡଲ୍‌ସ)। ବାପି ଏହି ପ୍ରତିଯୋଗିତାରେ ପଦାର୍ପଣ କରିବେ। ଅନ୍ୟମାନେ ଦ୍ବିତୀୟ ଥର ପାଇଁ ଟ୍ରାକ୍‌କୁ ଓହ୍ଲାଇବେ। ଓଡ଼ିଶା ଆୟୋଜକ ଥିବାରୁ ଅଧିକ ଖେଳାଳିଙ୍କୁ ୱାଇଲ୍‌ଡ କାର୍ଡ ଜରିଆରେ ଏଥି‌ରେ ଖେଳାଇବା ନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରୢାଙ୍କିଙ୍ଗ୍‌ ଅନୁସାରେ ଶ୍ରେଷ୍ଠ ୬ ଖେଳାଳିଙ୍କୁ ଏଥିରେ ଖେଳିବାର ସୁଯୋଗ ମିଳୁଥିବାରୁ ଆମକୁ ଏଭଳି ଖେଳାଳି ସୃଷ୍ଟି ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ବୋଲି କହିଥିଲେ ସେ।

ଚର୍ଚ୍ଚାରେ ଭିଟୋରିଆଙ୍କ କେଶବିନ୍ୟାସ
ବିଶ୍ବ କଣ୍ଟିନେଣ୍ଟାଲ ଟୁର୍‌ର ଦୁଇ ଦିନ ପୂର୍ବରୁ ଭୁବନେଶ୍ବର ପହଞ୍ଚିଥିବା ବ୍ରାଜିଲର ମହିଳା ହର୍ଡଲ୍‌ସ ତାରକା ଭିଟୋରିଆ ଆଲଭିସ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କ ନିଆରା କେଶ ବିନ୍ୟାସ ଏବଂ ନୋଥ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି। ୨୮ବର୍ଷୀୟା ଭିଟୋରିଆ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲା ବେଳେ ଶନିବାର କଳିଙ୍ଗ ଷ୍ଟାଡିୟମ୍‌ରେ ନିଜ ଛାପ ଛାଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ଏଠାକୁ ଆସିବାର ଉତ୍ସାହକୁ ପରିପ୍ରକାଶ କରିବାକୁ ଯାଇ ସେ କହିଛନ୍ତି ଯେ କଳିଙ୍ଗ ଷ୍ଟାଡିୟମ୍‌‌ର ଭିତ୍ତିଭୂମି ବେଶ୍‌ ସୁନ୍ଦର ଓ ଆଧୁନିକ। ଏଠାକୁ ଆସି ମୁଁ ବହୁତ ଖୁସି ଅଛି। ଭାରତ ତଥା ଓଡ଼ିଶା ବିଷୟରେ ଅଧିକ ତଥ୍ୟ ଏକଦା ମୋର ସହପାଠୀ ଥିବା ମୁରଲୀ ଶ୍ରୀଶଙ୍କରନ୍‌ଙ୍କଠାରୁ ବୁଝିଛି। ଶନିବାର ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଶ୍ରେଷ୍ଠ ୩ଜଣଙ୍କ ମଧ୍ୟରେ ରହିବାକୁ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ ଯେ ଆଲଭିସ୍‌ ପାନ୍‌ ଆମେରିକାନ୍‌ ଚାମ୍ପିଅନସିପ୍‌, ଦକ୍ଷିଣ ଆମେରିକୀୟ ଚାମ୍ପିଅନସିପ୍‌ ଭଳି ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଏଠାକୁ ଆସିଛନ୍ତି। ଏଣୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆହୁରି ଭଲ କରିବାକୁ ଆଶା ରଖିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button