ରାଜ୍ୟ

Kalinganagar: ‘କଳିଙ୍ଗନଗରରୁ ଦ୍ବିତୀୟ ଶିଳ୍ପ ବିପ୍ଳବ’: ୧୪ ଜିଲ୍ଲାରେ ୪୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାର ପ୍ରମୁଖ କେନ୍ଦ୍ର ପାଲଟିଛି ଯାଜପୁର ଜିଲ୍ଲାର କଳିଙ୍ଗନଗର। ଏଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଶିଳ୍ପ ବିପ୍ଳବର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ପୂର୍ବ ସରକାରରେ ଶିଳ୍ପ ନିବେଶ କେବଳ ସ୍ଲୋଗାନ ଓ ପ୍ରଚାରରେ ସୀମିତ ଥିଲା।

ଯାଜପୁର/ଦାନଗଦୀ: ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାର ପ୍ରମୁଖ କେନ୍ଦ୍ର ପାଲଟିଛି ଯାଜପୁର ଜିଲ୍ଲାର କଳିଙ୍ଗନଗର। ଏଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଶିଳ୍ପ ବିପ୍ଳବର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ପୂର୍ବ ସରକାରରେ ଶିଳ୍ପ ନିବେଶ କେବଳ ସ୍ଲୋଗାନ ଓ ପ୍ରଚାରରେ ସୀମିତ ଥିଲା। ଆମ ସରକାର ପ୍ରତିଟି ବୁଝାମଣାପତ୍ରକୁ ବାସ୍ତବ ରୂପ ଦେବା ସହ ଶିଳ୍ପକାରଖାନା ନିର୍ମାଣ କରି ଉତ୍ପାଦନ ଆରମ୍ଭ କରିଛି। ଓଡ଼ିଆ ପୁଅଝିଅମାନଙ୍କୁ ନିଯୁକ୍ତି ଦେବାରେ ସମର୍ଥ ହୋଇଛି ବୋଲି କଳିଙ୍ଗନଗରଠାରେ ଆଜି ଅନୁଷ୍ଠିତ ବୃହତ୍‌ ଶିଳ୍ପ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ସମାରୋହରୁ ୧୪ଟି ଜିଲ୍ଲାରେ ୩୯,୩୮୩ କୋଟି ଟଙ୍କାର ପୁଞ୍ଜି ନିବେଶରେ ୪୬ଟି ମଧ୍ୟମ, ବୃହତ୍ ଶିଳ୍ପ ପ୍ରକଳ୍ପର ଭୂମିପୂଜନ ଓ ଉଦ୍‌ଘାଟନ କରିଥିଲେ। ଏହାଦ୍ୱାରା ୪୨,୫୧୨ ନିଯୁକ୍ତି ସୃଷ୍ଟି ହେବ। ଏହି ପଦକ୍ଷେପ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ଯୁବବର୍ଗଙ୍କ ପାଇଁ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ପରିକଳ୍ପନାର କେନ୍ଦ୍ରରେ ରହିଛି ଓଡ଼ିଶା। ଆଗାମୀ ଦଶବର୍ଷ ଭିତରେ ରାଜ୍ୟର ଅର୍ଥନୀତିକୁ ୫୦୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ନିତି ଆୟୋଗର ସୂଚକାଙ୍କ ମୁତାବକ ଓଡ଼ିଶା ବର୍ତ୍ତମାନ ଦେଶରେ ପୁଞ୍ଜି ଆକର୍ଷଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। କଳିଙ୍ଗନଗର ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାର ପ୍ରମୁଖ କେନ୍ଦ୍ର ପାଲଟିଛି। ଜିନ୍ଦଲ ଷ୍ଟେନ୍‌ଲେସ୍ ଗ୍ରୁପ୍‍ର କାର୍ବନ୍ ଷ୍ଟିଲ୍ ଓ ଷ୍ଟେନ୍‌ଲେସ୍ ଷ୍ଟିଲ୍ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ସହ ନୂତନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସେହିପରି ଟାଟା ଷ୍ଟିଲ୍‌ର ନୂତନ ଡାଉନ୍‌ଷ୍ଟ୍ରିମ୍ ସୁବିଧା, ସ୍ଲରି ପାଇପ୍‌ଲାଇନ୍, ଗ୍ରାଇଣ୍ଡିଂ ଏବଂ ଫିଲ୍ଟରେସନ୍ ୟୁନିଟ୍ ଆଦି ପ୍ରକଳ୍ପ ରାଜ୍ୟରେ ଉଚ୍ଚ ମୂଲ୍ୟର ଷ୍ଟିଲ୍ ଉତ୍ପାଦନକୁ ଆହୁରି ମଜଭୁତ କରିବ। ଇଣ୍ଡିଆନ୍ ମେଟାଲ୍‌ସ ଆଣ୍ଡ ଫେରୋ ଅଲଏଜ୍, ଜଟିଆ ଷ୍ଟିଲ୍, ବିକେ ଉତ୍କଳ ଷ୍ଟିଲ୍, ଶ୍ରୀଏମ୍‌କେ ଷ୍ଟିଲ୍ ଭଳି ପ୍ରତିଷ୍ଠିତ କମ୍ପାନିଗୁଡ଼ିକର ପ୍ରକଳ୍ପ ଏହି କ୍ଷେତ୍ରର ଶିଳ୍ପ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବ।

୩୯,୩୮୩ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ, ୪୨,୫୧୨ ନିଯୁକ୍ତି
ପୂର୍ବ ସରକାର ବିରୋଧରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହି ଶିଳ୍ପଗୁଡ଼ିକ ରାଜ୍ୟର ୧୪ଟି ଜିଲ୍ଲା ଯଥା ଅନୁଗୋଳ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ସ୍ଥାପନ କରାଯାଇଛି। ଶିଳ୍ପ କେବଳ ନିର୍ଦ୍ଦିଷ୍ଟ କିଛି ଜିଲ୍ଲାରେ ସୀମିତ ନ ରହି ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସ୍ଥାପିତ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ନୀତିକୁ ଆଧାର କରି କେନ୍ଦୁଝର ଓ ସୁନ୍ଦରଗଡ଼ରେ ଇସ୍ପାତ ଶିଳ୍ପ, ଅନୁଗୋଳ ଓ ଢେଙ୍କାନାଳରେ ଅକ୍ଷୟ ଶକ୍ତି ପ୍ରକଳ୍ପ, ଖୋର୍ଦ୍ଧାରେ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପୁରୀ, କଟକ, ବରଗଡ଼, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ, ହସ୍ପିଟାଲିଟି ଓ ଅନ୍ୟାନ୍ୟ ଶିଳ୍ପକୁ ସ୍ଥାନ ଦିଆଯାଇଛି। ଦୁଇବର୍ଷରୁ କମ୍ ସମୟ ମଧ୍ୟରେ ୧୫୧ଟି ପ୍ରକଳ୍ପର ଭୂମିପୂଜନ ଓ ଉଦ୍‌ଘାଟନ କରାଯାଇ ୩ ଲକ୍ଷ ୧୧ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ ହୋଇଛି। ଏହାଦ୍ୱାରା ୨ ଲକ୍ଷ ୪୦ ହଜାରରୁ ଅଧିକ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଆଜିର ପ୍ରକଳ୍ପକୁ ମିଶାଇଲେ ରାଜ୍ୟରେ ସମୁଦାୟ ୩ ଲକ୍ଷ ୫୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ରାଜ୍ୟର ଯୁବକଯୁବତୀମାନେ ଯେପରି ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ନ ଯାଆନ୍ତି, ସେଥିପାଇଁ ରାଜ୍ୟ ସରକାର ଶ୍ରମଭିତ୍ତିକ ଶିଳ୍ପ- ବୟନ ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଗତବର୍ଷ ଅନୁଷ୍ଠିତ ଟେକ୍ସଟାଇଲ କନ୍‌କ୍ଲେଭ୍ ମାଧ୍ୟମରେ ୫୩ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଥିବାବେଳେ କେନ୍ଦୁଝର, ସମ୍ୱଲପୁର, ବଲାଙ୍ଗୀର, ଗଞ୍ଜାମ, ଭଦ୍ରକ ଆଦି ସ୍ଥାନରେ ବୟନ ପାର୍କ ପ୍ରତିଷ୍ଠା କରାଯାଉଛି। ବିଶ୍ବ ଦକ୍ଷତା କେନ୍ଦ୍ର ମାଧ୍ୟମରେ ଯୁବବର୍ଗଙ୍କୁ ଅଟୋମେସନ୍, ଅକ୍ଷୟ ଶକ୍ତି, ଇଲେକ୍ଟ୍ରୋନିକ୍ସ ଏବଂ ଡିଜିଟାଲ୍ ସେବା ଭଳି ଆଧୁନିକ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯାଉଛି। ଏପର୍ଯ୍ୟନ୍ତ ୧୨.୦୭ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ସହିତ ୫୬୦ଟି ଶିଳ୍ପ ପ୍ରସ୍ତାବ ଅନୁମୋଦିତ ହୋଇସାରିଛି। ଏହା ମାଧ୍ୟମରେ ପ୍ରାୟ ୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ବୟନଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସେବା ଭଳି କ୍ଷେତ୍ରରେ ମହିଳାମାନଙ୍କୁ ଅଧିକରୁ ଅଧିକ ନିଯୁକ୍ତି ଦେବା ପାଇଁ ଶିଳ୍ପସଂସ୍ଥାଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଥିଲେ।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button