ଦେଶ ବିଦେଶ

Kerala CM: କେରଳ ମୁଖ୍ୟମନ୍ତ୍ରୀ ହେବେ ଭିଡି ସତୀଶନ୍‌

ତିରୁଅନନ୍ତପୁରମ: ବରିଷ୍ଠ କଂଗ୍ରେସ ନେତା ତଥା ଛଅଥରର ବିଧାୟକ ଭିଡି ସତୀଶନ ହେବେ କେରଳ ଆଗାମୀ ମୁଖ୍ୟମନ୍ତ୍ରୀ। ମେ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ବିଜୟୀ ୟୁଡିଏଫ୍ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଗତ ୧୦ ଦିନ ହେଲା ସସ୍‌ପେନ୍ସ ଜାରି ରହିଥିଲା। ଗୁରୁବାର କଂଗ୍ରେସ ହାଇକମାଣ୍ଡ ସତୀଶନଙ୍କ ନାଁରେ ମୋହର ମାରିଛନ୍ତି। ବରିଷ୍ଠ କଂଗ୍ରେସ ସାଂସଦ କେସି ବେଣୁଗୋପାଳ, ରମେଶ ଚେନ୍ନିଥଲା ଓ ସତୀଶନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଲାଗି ରହିଥିଲା।

୧୦ ଦିନର ସସ୍‌ପେନ୍ସ ପରେ ନାଁ ଘୋଷଣା କଲା କଂଗ୍ରେସ

ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରାୟ ୧୦ ଦିନର କଳ୍ପନାଜଳ୍ପନା ଓ ଆଭ୍ୟନ୍ତରୀଣ ଆଲୋଚନାର ଅନ୍ତ ଘଟାଇ କଂଗ୍ରେସ ଗୁରୁବାର ଦିନ ସତୀଶନ୍‌ଙ୍କୁ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି।କେରଳ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପୂର୍ବରୁ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦଳର ଶୀର୍ଷ ନେତାଙ୍କ ସହ ଶେଷ ମୁହୂର୍ତ୍ତରେ ଆଲୋଚନା କରିଥିଲେ। ସୂତ୍ର ଅନୁସାରେ ଖଡ଼ଗେ କେରଳ ପାଇଁ ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସମ୍ପାଦକ ଦୀପା ଦାସମୁନସି ଓ ଦୁଇ ବରିଷ୍ଠ ପର‌୍ୟ୍ୟବେକ୍ଷକ ଅଜୟ ମାକେନ ଓ ମୁକୁଲ ୱାସନିକ୍‌ଙ୍କ ସହିତ ଆଲୋଚନା କରିଥିଲେ, ଯେଉଁମାନେ ପୂର୍ବରୁ ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକଙ୍କୁ ଭେଟିଥିଲେ। ବୁଧବାର ସନ୍ଧ୍ୟାରେ ଖଡ଼ଗେ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ୩୦ ମିନିଟ୍ ଧରି ଆଲୋଚନା ହୋଇଥିଲା। ରାହୁଲ ଗାନ୍ଧୀ ଗୁରୁବାର ସକାଳେ ବେଣୁଗୋପାଳଙ୍କୁ ଭେଟିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button