Woman Raped Inside Bus: ଦିଲ୍ଲୀରେ ଚଳନ୍ତା ସ୍ଲିପର ବସରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ଡ୍ରାଇଭର ଓ କଣ୍ଡକ୍ଟର ଗିରଫ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତା ମହିଳାଙ୍କୁ ଏକ ସ୍ଲିପର ବସ୍ ମଧ୍ୟରେ ଡ୍ରାଇଭର ଓ କଣ୍ଡକ୍ଟର ମିଳିତ ଭାବେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଗତ ମେ’ ୧୨ ତାରିଖରେ ଘଟିଥିଲା। ପୀଡ଼ିତା ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସଂପୃକ୍ତ ବସ୍ଟିକୁ ମଧ୍ୟ ଜବତ କରିଛି ଏବଂ ପୀଡ଼ିତା ମହିଳାଙ୍କର ଡାକ୍ତରୀ ମାଇନା କରାଯିବା ପରେ ପୋଲିସ ତାଙ୍କର ବୟାନ ରେକର୍ଡ କରିଛି।

ଘଟଣା ସମୟର ସ୍ଥିତି ପରଖୁଛି ଦିଲ୍ଲୀ ପୋଲିସ

ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମହିଳା ଜଣକ ବସରେ ଯାତ୍ରା କରୁଥିବା ସମୟରେ ହିଁ ଏହି ଜଘନ୍ୟ ଅପରାଧ ଘଟିଥିଲା। ତେବେ ବସଟି କେଉଁ ରୁଟରେ ଯାଉଥିଲା ଏବଂ ସେହି ସମୟରେ ବସରେ ଅନ୍ୟ କୌଣସି ଯାତ୍ରୀ ଥିଲେ କି ନାହିଁ, ସେ ନେଇ ପୁଲିସ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ପ୍ରକାଶ କରିନାହିଁ। ଗିରଫ ହୋଇଥିବା ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ପୋଲିସ ଜେରା କରୁଥିବା ବେଳେ ବସ୍ ମଧ୍ୟରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଛି। ଫୋରେନ୍ସିକ୍ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଆଧାର କରି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଯିବ। ଦିଲ୍ଲୀ ପୋଲିସ ଏହି ମାମଲାରେ ସମସ୍ତ ଦିଗକୁ ଗୁରୁତ୍ୱର ସହ ଯାଞ୍ଚ କରୁଥିବା ବେଳେ ପୀଡ଼ିତା କିମ୍ବା ଅଭିଯୁକ୍ତଙ୍କ ପରିଚୟକୁ ଗୁପ୍ତ ରଖାଯାଇଛି। ସାଧାରଣ ପରିବହନ ସେବାରେ ମହିଳାଙ୍କ ସୁରକ୍ଷାକୁ ନେଇ ଏହି ଘଟଣା ପରେ ପୁଣି ଥରେ ଗଭୀର ଚିନ୍ତା ପ୍ରକାଶ ପାଇଛି।

 

 

 

ସୌଜନ୍ୟ ସମ୍ବାଦ