Kerala Simbox: ରାଜଧାନୀରେ କେରଳୀ ସିମ୍ବକ୍ସ ରୢାକେଟ୍: ବିଦେଶକୁ ତଥ୍ୟ ଦେଉଥିଲେ ବିଟେକ୍ ଡ୍ରପ୍ଆଉଟ୍
କେରଳର ଦୁଇ ବିଟେକ୍ ଡ୍ରପ୍ଆଉଟ୍ ଛାତ୍ର, ଭୁବନେଶ୍ବରରେ ରହି ପ୍ରାୟ ୬ ମାସ ହେଲା ଗୁଇନ୍ଦା ତଥ୍ୟ ବିଦେଶକୁ ପଠାଉଥିଲେ। ଚନ୍ଦ୍ରଶେଖରପୁର ଥାନା ଇନ୍ଫୋସିଟିରୋଡ୍ରେ ଛାତ୍ର ବୋଲି ଜାଲ୍ ପରିଚୟପତ୍ର ଦେଇ ୬ ହଜାର....

ଭୁବନେଶ୍ବର: କେରଳର ଦୁଇ ବିଟେକ୍ ଡ୍ରପ୍ଆଉଟ୍ ଛାତ୍ର, ଭୁବନେଶ୍ବରରେ ରହି ପ୍ରାୟ ୬ ମାସ ହେଲା ଗୁଇନ୍ଦା ତଥ୍ୟ ବିଦେଶକୁ ପଠାଉଥିଲେ। ଚନ୍ଦ୍ରଶେଖରପୁର ଥାନା ଇନ୍ଫୋସିଟିରୋଡ୍ରେ ଛାତ୍ର ବୋଲି ଜାଲ୍ ପରିଚୟପତ୍ର ଦେଇ ୬ ହଜାର ଟଙ୍କାରେ ଘରଭଡ଼ା ନେଇ ସିମ୍ବକ୍ସ ଜରିଆରେ ଗୁପ୍ତତଥ୍ୟ ପଠାଇ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିଲେ। ସାଇବର ଥାନା ଓ ସ୍ବତନ୍ତ୍ର ସ୍କ୍ବାଡ଼ ଟିମ୍ ମିଳିତ ଚଢ଼ଉ କରି ୨ କେରଳୀ ଯୁବକଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ମହମ୍ମଦ ଉମର ଓ ସିୟା ଉଲ୍ ହକ୍। ସେମାନଙ୍କ ଠାରୁ ୧୨ଟି ସିମ୍ ବକ୍ସ ଓ ଶତାଧିକ ବେନାମୀ ସିମ୍, ୩ଟି ୱାଇଫାଇ ରାଉଟର୍, ସର୍ଭର୍ରେ ବ୍ୟବହୃତ ଲାପ୍ଟପ୍ ଜବତ କରାଯାଇଛି।
ଉମର୍ ଓ ହକ୍ ପେସାଦାର ଗୁପ୍ତଚର ରୢାକେଟ୍ ସଦସ୍ୟ ଓ ପୂର୍ବରୁ କେରଳ, ଆସାମ ଏବଂ ତାମିଲନାଡ଼ୁରେ ସକ୍ରିୟ ଥିଲେ। ସେଠାକାର ପୁଲିସ ଚଢ଼ଉରେ ଅନ୍ୟମାନେ ଗିରଫ ହୋଇଥିଲେ ମଧ୍ୟ ଉମର ଓ ହକ୍ ଖସିଯାଇ ଗତ ଅକ୍ଟୋବରରେ ଓଡ଼ିଶା ପଳାଇ ଆସିଥିଲେ। ଇଂଜିନିୟରିଂ ଛାତ୍ର ପରିଚୟପତ୍ର ଦେଖାଇ ଘରମାଲିକଙ୍କ ବିଶ୍ବାସଭାଜନ ହେବା ପରେ ରୁମ୍ ଭଡ଼ାନେଇ ଆରମ୍ଭ କରିଦେଇଥିଲେ ସିମ୍ବକ୍ସ କାରବାର। ସେମାନଙ୍କ ଚାଲିଚଳନକୁ ସନ୍ଦେହ କରିଥିଲେ ଅନ୍ତେବାସୀ। ସ୍ବତନ୍ତ୍ର ସ୍କ୍ବାଡ୍ ବି ସୁରାକ୍ ପାଇ ସାଇବର ଥାନା ସହ ଯୋଗାଯୋଗ କରି ଉଭୟଙ୍କ ଉପରେ ନଜର ରଖିଲା। ଡିସିପି ଜଗମୋହନ ମୀନାଙ୍କ ନେତୃତ୍ବରେ ସ୍ବତନ୍ତ୍ର ସ୍କ୍ବାଡ୍, ସାଇବର୍ ଥାନା ଓ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍ ଆଜି ସକାଳୁ ଉକ୍ତ ଘରେ ଅତର୍କିତ ଚଢ଼ଉ କରିଥିଲେ।
ଉମର୍ ଓ ହକ୍ ଖସିବାକୁ ଉଦ୍ୟମ କରିଥିଲେ ବି ପୁଲିସ କବ୍ଜାରୁ ଖସିପାରି ନ ଥିଲେ। ଘର ଯାଞ୍ଚ ବେଳେ ସିମ୍ବକ୍ସ ଓ ବିପୁଳ ସିମ୍ ଆଦି ଜବତ ହୋଇଥିଲା। ପ୍ରଥମେ ସେମାନେ ନିର୍ବାଚନ ମେସେଜ୍ ପଠାଇବାକୁ ଏହାକୁ ବ୍ୟବହାର କରୁଥିବା କହିଥିଲେ। ପୁଲିସର ଝାଳବୁହା ଜେରା ଓ ଖୋଳତାଡ଼ରୁ ଜଣାଗଲା, ବିଦେଶକୁ ତଥ୍ୟ ଦେଇ ମାସକୁ ଦେଢ଼ ଲକ୍ଷରୁ ୨ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଚାଇନା ହାର୍ଡୱେର୍ ଏବଂ ବାଂଲାଦେଶ ସଫ୍ଟଓୟାର (ଭିଓଏସ୍ ୩୦୦୦) ବ୍ୟବହାର କରୁଥିଲେ। ସିମ୍ବକ୍ସରୁ କଲ୍ ଓ ମେସେଜ୍ ଯାଇଥିବା ନମ୍ବରକୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିଛି ପୁଲିସ। ଏମାନେ ୟୁଏଇ, ୟୁରୋପ, ଚୀନ ଭଳି ଦେଶ ସହ ସମ୍ପର୍କରେ ଥିଲେ।
ଆସାମ, କେରଳ, ତାମିଲନାଡୁ ପରେ ଟାର୍ଗେଟ୍ରେ ଓଡ଼ିଶା
୨ ଗିରଫ, ୧୨ ସିମ୍ବକ୍ସ, ୩ ରାଉଟର୍, ଲାପଟ୍ପ, ଶତାଧିକ ସିମ୍ ଜବତ
ପୁଲିସ ଟିମ୍ ବାହାରକୁ ଯିବାକୁ ଏବଂ ଆଇବି, ଏନ୍ଆଇଏ, ଇଣ୍ଟରପୋଲ୍ର ସହାୟତା ନେବାକୁ ଯୋଜନା ରଖିଥିବା ଜଣେ ଅଧିକାରୀ କହିଛନ୍ତି। ଏନେଇ ସାଇବର ଥାନା ପୁଲିସ ମାମଲା ରୁଜୁକରି ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସ୍ବତନ୍ତ୍ର ସ୍ବ୍ବାଡ୍ ଏସିପି ହିମାଂଶୁ ଶେଖର ସ୍ବାଇଁ କହିଛନ୍ତି , ସିମ୍ବକ୍ସ ମାଧ୍ୟମରେ କଲ୍ ରିସିଭ୍ କରୁଥିବା ବ୍ୟକ୍ତି କଲ୍ ସମ୍ପର୍କରେ, କିଏ କରିଛି ତାହାର କୌଣସି ସୂଚନା ପାଇବ ନାହିଁ କି ଏହାକୁ ରେକର୍ଡିଂ କରାଯାଇପାରିବ ନାହିଁ। କମ୍ ସମୟରେ ଜଣେ ବ୍ୟକ୍ତି ହଜାର ହଜାର ଲୋକଙ୍କୁ ମେସେଜ୍ ପଠାଇ ପାରିବ, ଏକାଧିକ କଲ୍ କରାଯାଇପାରିବ। ଅର୍ନ୍ତଜାତୀୟ କଲ୍ଗୁଡ଼ିକୁ ଲୋକାଲ୍ କଲ୍ରେ କନ୍ଭର୍ଟ କରାଯାଇପାରିବ। ଏପରିକି ଘଣ୍ଟାଏରେ ୫୦ହଜାରରୁ ଊର୍ଦ୍ଧ୍ବ ମେସେଜ୍ ପଠାଯାଇପାରିବ। ସାଇବର ଅପରାଧ ଓ ଆତଙ୍କୀ କାର୍ଯ୍ୟକଳାପରେ ସିମ୍ବକ୍ସ ବ୍ୟବହାର ହେଉଥିବାରୁ ସାଇଣ୍ଟିଫିକ୍ ଟିମ୍ ଓ ଏସ୍ଏଫ୍ଏସ୍ଏଲ୍ ଏକ୍ସପର୍ଟଙ୍କୁ ନେଇ ଘଟଣାର ତଦନ୍ତ ଚାଲିଛି ବୋଲି ଏସିପି ଶ୍ରୀ ସ୍ବାଇଁ କହିଛନ୍ତି।
ଓଡ଼ିଶାରେ ପ୍ରଥମ ଘଟଣା ନୁହେଁ
ଓଡ଼ିଶାରେ ପ୍ରଥମେ ୨୦୧୬ରେ ବ୍ରହ୍ମପୁରରୁ ଦିଲ୍ଲୀ ପୁଲିସ ସିମ୍ବକ୍ସ ଜବତ କରି ୪ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ୨୦୨୫ରେ ସୁନ୍ଦରପଦା ଅଞ୍ଚଳରୁ, ୨୦୨୪ରେ ଲକ୍ଷ୍ମୀସାଗର ଥାନା ମହାଦେବନଗରରୁ ଜଣକୁ ଗିରଫ କରି ୭ଟି ସିମ୍ବକ୍ସ ମିଳିଥିଲା। ଏହାପରେ କଟକ ସମେତ ୩ଟି ସ୍ଥାନରେ ଚଢ଼ଉରେ ୧୭ଟି ସିମ୍ବକ୍ସ ଠାବ ହୋଇଥିଲା। ସେହିପରି କମିସନରେଟ୍ ପୁଲିସ ସିମ୍ବକ୍ସ ବ୍ୟବହାର କରୁଥିବା ସାଇବର ଠକ ଗ୍ରୁପକୁ ଧରିଥିଲା। ଗତ ୨୦୨୨ ମସିହାରେ ମୟୂରଭଞ୍ଜର ବେତନଟୀରେ ସିମ୍ବକ୍ସ ବ୍ୟବହାର କରି ସାଇବର ଠକେଇ କରୁଥିବା ରୢାକେଟକୁ ଧରିଥିଲା।
ସୌଜନ୍ୟ ସମ୍ବାଦ




