ଚେନ୍ନାଇ: ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ଦ୍ରୁତ ବୋଲର ଖଲିଲ ଅହମଦଙ୍କ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ଏହି ବିଷୟରେ ସିଏସ୍କେ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ଆଇପିଏଲ୍ ଅବସରରେ ତାଙ୍କର ମାଂସପେସୀ ଜନିତ ଆହତ ସମସ୍ୟା ଦେଖା ଦେବାରୁ ସେ ପ୍ରତିଯୋଗିତାରୁ ଓହରି ଯାଇଥିଲେ। ‘ଖଲିଲଙ୍କ ଅସ୍ତ୍ରୋପଚାର ଶେଷ ହୋଇଛି। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛୁ’’ ବୋଲି ସିଏସ୍କେ ପକ୍ଷରୁ ଟ୍ବିଟ୍ କରାଯାଇଛି। ଏବେ ଖଲିଲଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ପ୍ରାୟ ୧୨ ସପ୍ତାହ ଲାଗିଯିବ ବୋଲି ସୂଚନା ମିଳିଛି।
ଆହୁରି ପଢନ୍ତୁ;Suryavanshi: ଟ୍ବେଣ୍ଟି-୨୦ରେ ୧୦୦୦ ରନ୍ କରିବାରେ ସୂର୍ଯ୍ୟବଂଶୀ ଦ୍ରୁତତମ
ଚଳିତ ମାସ ୧୬ ତାରିଖରେ ଚିପକ ଷ୍ଟାଡିୟମ୍ରେ ଖେଳାଯାଇଥିବା କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ତାଙ୍କ ଡାହାଣ ଜଙ୍ଘ ମାଂସପେସୀ ଟାଣି ହୋଇଯାଇଥିଲା। ସେ ଚଳିତ ସଂସ୍କରଣରେ ୫ ମ୍ୟାଚ୍ ଖେଳି ୭୩.୦୦ ହାରାହାରି ଓ ୮.୬୭ ଇକୋନୋମିରେ ୨ ୱିକେଟ୍ ନେଇଛନ୍ତି। ଗତ ଋତୁରେ ସିଏସ୍କେ ପକ୍ଷରୁ ୧୪ ମ୍ୟାଚ୍ ଖେଳି ୨୯.୮୦ ହାରାହାରି ଓ ୯.୫୭ ଇକୋନୋମିରେ ୧୫ ୱିକେଟ୍ ଅକ୍ତିଆର କରିଥିଲେ। ଆଇପିଏଲ୍ କ୍ୟାରିୟର୍ ଭିତରେ ସେ ସନ୍ରାଇଜର୍ସ ହାଇଦ୍ରାବାଦ, ଦିଲ୍ଲୀ କ୍ୟାପିଟାଲ୍ସ ଓ ସିଏସ୍କେ ପକ୍ଷରୁ ଖେଳି ମୋଟ ୯୧ ୱିକେଟ୍ ନେଇଛନ୍ତି।
ସୌଜନ୍ୟ ସମ୍ବାଦ

