ରାଜ୍ୟ

Kumar Prashant: ଚୁପ୍‌ ରୁହନି, ଗଣତନ୍ତ୍ର ପାଇଁ ସ୍ବର ଉଠାଅ: କୁମାର ପ୍ରଶାନ୍ତ

ଭୁବନେଶ୍ବର: ଆଗକୁ ବହୁତ କଠିନ ସମୟ ଆସିବାକୁ ଯାଉଛି। ଆର୍ଥିକ, ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ। ଲେଖକ, ଗଣମାଧ୍ୟମ ଓ କହିବା ଲୋକ ସମସ୍ତେ ଚୁପ୍‌ ହୋଇଗଲେଣି। ତେଣୁ ଗଣତନ୍ତ୍ର ସପକ୍ଷରେ ସ୍ବର ଉଠାଇବାକୁ ହେବ। ଯିଏ ଯେଉଁ ସ୍ଥାନରେ ଥାଉ ନା କାହିଁକି, ଆଉ ଚୁପ୍‌ ନ ରହି ସ୍ବର ଉଠାନ୍ତୁ ବୋଲି ଆହ୍ବାନ କରିଛନ୍ତି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ। ଆଜି ‘ସମ୍ବାଦ-ଆମ ଓଡ଼ିଶା’ ସଭାକକ୍ଷରେ କୁମାର ପ୍ରଶାନ୍ତଙ୍କ ଅନ୍ତରଙ୍ଗ ଆଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଶାନ୍ତ କହିଲେ, ଦେଶରେ ଗତ ୧୦-୧୨ବର୍ଷ ହେବ ଏକ ନୂଆ ପ୍ରକାର ଗଣତନ୍ତ୍ର ଆରମ୍ଭ ହୋଇଛି। କ୍ଷମତାରେ ଥିବା ଦଳ ଭାବୁଛି, ଯେନତେନ ପ୍ରକାର ଆମେ କ୍ଷମତାରେ ରହିବୁ। ଦେଶର ନିର୍ବାଚନ କମିସନଙ୍କ ଦାୟିତ୍ବ ହେଉଛି ପ୍ରତ୍ୟେକ ଭୋଟର ଯେପରି ନିଜର ଭୋଟଦାନ କରିପାରିବେ। ମାତ୍ର ଏବେ ନିର୍ବାଚନ କମିସନ ଯେତେ କମ୍‌ ସଂଖ୍ୟକ ଭୋଟର ଭୋଟ୍‌ ଦେବେ ତାହାକୁ ସୁନିଶ୍ଚିତ କରୁଛନ୍ତି। ବିହାର-ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟରେ ଏସ୍‌ଆଇଆର ଜରିଆରେ ୨କୋଟି ଭୋଟରଙ୍କ ନାଁକୁ କାଟି ଦିଆଯାଇଛି। ସୁପ୍ରିମକୋର୍ଟରେ ଏହି ମାମଲା ପହଞ୍ଚିବା ପରେ ବିଚାରପତି କହୁଛନ୍ତି ଏଥର ଭୋଟ୍‌ ନ ଦେଇପାରିଲେ ନାହିଁ, ଆରଥର ଭୋଟ୍‌ ଦେଇଦେବ। ସୁପ୍ରିମକୋର୍ଟଙ୍କ ଏଭଳି ଅବାସ୍ତବ ମନ୍ତବ୍ୟ ପୂର୍ବରୁ କେବେ ଶୁଣିବାକୁ ମିଳି ନ ଥିଲା। ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତ ସାମ୍ବିଧାନିକ ଅନୁଷ୍ଠାନରେ ଥିବା ବ୍ୟକ୍ତିମାନେ ଜାଣି ରଖିବା ଦରକାର ଯେ ଦେଶର ଭୋଟର ହେଉଛନ୍ତି ସ୍ଥାୟୀ, ଅନ୍ୟ ସମସ୍ତେ ଅସ୍ଥାୟୀ। ନାଗରିକତା କାହା ଦୟାରୁ ମିଳିନାହିଁ। ସେହିପରି ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ବୋଲି ଘୋଷଣା କଲେ ଅଥଚ ଏଥିରେ ସବୁ ରାଜନୈତିକ ଦଳକୁ ଆସିଥିବା କୋଟି କୋଟି ଟଙ୍କା ଫେରାଇବାକୁ କୌଣସି ନିର୍ଦ୍ଦେଶ ଦେଲେ ନାହିଁ।

କୁମାର ପ୍ରଶାନ୍ତଙ୍କ ସହ ଅନ୍ତରଙ୍ଗ ଆଳାପ

ସେ ଆହୁରି ମଧ୍ୟ କହିଥିଲେ, ସମ୍ବିଧାନରେ ସୁପ୍ରିମକୋର୍ଟ ହେଉଛନ୍ତି ଏକମାତ୍ର ସଂସ୍ଥା ଯିଏକି ସବୁବେଳେ ବିରୋଧୀ ଭୂମିକାରେ ରହିଥା’ନ୍ତି। ସମ୍ବିଧାନରେ ସୁପ୍ରିମକୋର୍ଟଙ୍କ ଭୂମିକାକୁ ସନ୍ତୁଳନ ରକ୍ଷା କରିବା ପାଇଁ କୌଣସି ଭୂମିକା ଦିଆଯାଇନାହିଁ। ଏହାସତ୍ତ୍ବେ ବିଚାରପତି କହୁଛନ୍ତି ଆମେ ସନ୍ତୁଳନ ରକ୍ଷା କରୁଛୁ। ଗଣତନ୍ତ୍ର‌ରେ ସମସ୍ତଙ୍କୁ ସମାନ ମଇଦାନ ମିଳିବା କଥା। ବର୍ତ୍ତମାନ ସମୟରେ କ’ଣ ଏହା ଦେଖିବାକୁ ମିଳୁଛି? ଲୋକବଳ, ସରକାରୀ କଳର ଅପବ୍ୟବହାର କରି ଗୋଟିଏ ପଟେ କ୍ଷମତାରେ ଥିବା ଦଳ ଥିବା ବେଳେ ଅନ୍ୟପଟରେ ବିରୋଧୀମାନେ ରହୁଛନ୍ତି। ଅମ୍ପାୟାର ଯଦି ଗୋଟିଏ ପଟେ ରହିବେ ତା’ହେଲେ ଖେଳ ଠିକ୍‌ଭାବେ ପରିଚାଳିତ ହେବାର ଆଶଙ୍କା ରହିଛି। ଏଥିରେ କ’ଣ ଗଣତନ୍ତ୍ର ବଜାୟ ରହିପାରିବ? ଦେଶରେ ଥିବା ରାଜନୈତିକ ଦଳମାନଙ୍କର କାର୍ଯ୍ୟଶୈଳୀକୁ ଅନୁମାନ କଲେ ଜଣାପଡ଼ିବ ଯେ ‌ଏଥିରେ ଗଣତନ୍ତ୍ର ବଢ଼ିବାର କୌଣସି ପ୍ରକାର ଲକ୍ଷଣ ଦେଖିବାକୁ ମିଳୁନାହିଁ। ତେଣୁ ଗଣତନ୍ତ୍ରକୁ ମଜଭୁତ କରିବା ପାଇଁ ଏହାର ସପକ୍ଷରେ କହିବାକୁ ହେବ ବୋଲି ଶ୍ରୀ ପ୍ରଶାନ୍ତ କହିଥିଲେ।

ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ କହିଲେ, ଭାରତୀୟ ଅସ୍ମିତାର ପ୍ରତୀକ ହେଉଛନ୍ତି ଗାନ୍ଧୀ। ଜୀବନରେ ସତ୍ୟ କହିବାକୁ ଗାନ୍ଧୀଜୀ ନିଜର ବ୍ରତ କରିଥିଲେ। ହିନ୍ଦ୍‌ ସ୍ବରାଜ ଓ ଗ୍ରାମ ସ୍ବରାଜ ଗାନ୍ଧୀଜୀଙ୍କ ରାଜନୈତିକ ଓ ସାମାଜିକ ଦର୍ଶନର ଦୁଇଟି ସ୍ତମ୍ଭ ରହିଥିଲା। ଏକଦା ଗାନ୍ଧୀଜୀଙ୍କୁ ପଚାରାଗଲା ଆପଣ ତ ବ୍ରିଟିସ୍‌ଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି, ହେଲେ ଗଡ଼ଜାତ ରାଜାମାନଙ୍କ ଉପରେ କାହିଁକି କିଛି କହୁନାହାନ୍ତି। ଏହାର ଉତ୍ତରରେ ଗାନ୍ଧୀଜୀ କହିଥିଲେ ବ୍ରିଟିସ୍‌ ଭାରତରୁ ଯିବା ପରେ ଗଡ଼ଜାତ ରାଜାମାନେ ମଧ୍ୟ ଆପେ ଆପେ ଚାଲିଯିବେ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଲେ, ସାଧାରଣ ଲୋକଙ୍କ ନିକଟରେ ଗାନ୍ଧୀଜୀ କେବଳ ଜଣେ ସ୍ବାଧୀନତା ସଂଗ୍ରାମୀ ଭାବେ ପରିଗଣିତ ହେଉଛନ୍ତି। ଅନେକ ତାଙ୍କର ଅବଦାନକୁ ଠିକ୍‌ ଭାବେ ବୁଝିପାରୁନାହାନ୍ତି। ଏପରିକି ବହୁ ଅଧ୍ୟାପକ ମଧ୍ୟ ଗାନ୍ଧୀଜୀଙ୍କ ଅବଦାନ ସଂପର୍କରେ ଅଜ୍ଞ। ଆତ୍ମନିର୍ଭରଶୀଳତା ବା ସେଲ୍‌ଫ ରିଲାଏନ୍‌ସକୁ ଗାନ୍ଧୀଜୀ ସର୍ବାଧିକ ପ୍ରାଧାନ୍ୟ ଦେଇଥିଲେ। ଦେଶବାସୀ ନିଜେ ଲୁଣ ମାରିବା, ଖଦୀ ପିନ୍ଧିବା ପାଇଁ ଗାନ୍ଧୀଜୀ ଆହ୍ବାନ ଦେବା ବେଳେ ଏହା ପଛରେ ଥିବା ବ୍ରିଟିସ୍‌ ସରକାରଙ୍କ ବ୍ୟବସାୟିକ ଦିଗକୁ ବିଚାରକୁ ନେଇଥିଲେ। ତେଣୁ ଗାନ୍ଧୀଜୀ ଆଜି ବି ପ୍ରାସଙ୍ଗିକ। ପ୍ରାରମ୍ଭରେ ଆମ ଓଡ଼ିଶା ଅଧ୍ୟକ୍ଷ ଅସିତ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ସଂଯୋଜକ ବିଶ୍ବଜିତ ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ‘ସମ୍ବାଦ’ ସାହିତ୍ୟଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଧନ୍ୟବାଦ ଦେଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button