Land: ଘର କଲେ ଜମି କିସମ ବଦଳିବ
ସହରାଞ୍ଚଳରେ ଏବେ ଚାଷ ଜମିର କିସମ ବଦଳୁନି। ଅର୍ଥାତ ଲୋକ ଜମି କିଣି ଘର କରିବାକୁ ଚାହିଲେ ବି ଜମିର କିସମ ଘରବାଡ଼ି କରିପାରୁନଥିବାରୁ ଘର ନିର୍ମାଣ କରିବାକୁ ବ୍ୟାଙ୍କରୁ ଋଣ ମିଳୁନି।

ଭୁବନେଶ୍ବର: ସହରାଞ୍ଚଳରେ ଏବେ ଚାଷ ଜମିର କିସମ ବଦଳୁନି। ଅର୍ଥାତ ଲୋକ ଜମି କିଣି ଘର କରିବାକୁ ଚାହିଲେ ବି ଜମିର କିସମ ଘରବାଡ଼ି କରିପାରୁନଥିବାରୁ ଘର ନିର୍ମାଣ କରିବାକୁ ବ୍ୟାଙ୍କରୁ ଋଣ ମିଳୁନି। କେବଳ ଋଣ ନୁହେଁ, ଘର ନିର୍ମାଣ ପାଇଁ ବି ପ୍ଲାନ୍ ଅନୁମୋଦନ ହେଉନି। ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିବାବେଳେ ରାଜସ୍ବ ବିଭାଗ ଏନେଇ ତତ୍ପରତା ଦେଖାଉନି। ଫଳରେ ବିଭିନ୍ନ ସହରାଞ୍ଚଳରେ ଏବେ ବେଆଇନ ନିର୍ମାଣ ବଢ଼ିବାରେ ଲାଗିଛି।
ରାଜସ୍ବ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ସହରାଞ୍ଚଳରେ ଜମି କିସମ ବଦଳାଇବାଜନିତ ନିଷ୍ପତ୍ତି ଏଣିକି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମାଧ୍ୟମରେ ନିଆଯିବ। ଅର୍ଥାତ ଯେଉଁ ଜମିର କିସମ ବଦଳାଇବାକୁ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ ବିଭିନ୍ନ ସଂସ୍ଥା (ଉନ୍ନୟନ କର୍ତ୍ତୃପକ୍ଷ, ପୌର ସଂସ୍ଥା) ନିଷ୍ପତ୍ତି ନେବେ ସେହି ଜମିର କିସମ ବଦଳିବ। ଏଥିପାଇଁ ରାଜସ୍ବ ବିଭାଗ ପକ୍ଷରୁ ଏକ ଚିଠା ନିୟମ ପ୍ରସ୍ତୁତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ସେଠାରୁ ଅନୁମୋଦନ ମିଳିଲେ ଏହାକୁ କାର୍ଯ୍ୟକାରୀ କରାଯିବ।
ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଏଣିକି କେବଳ ଚାଷ ଜମିର କିସମ ବଦଳି ଘରବାଡ଼ି ହେବ। ଅର୍ଥାତ୍ ସାରଦ, ବଗାୟତ, ଚାଷ, ପତିତ, ମାଳ, ବେରଣ କିସମ ଜମିକୁ ଘରବାଡ଼ି କରାଯାଇପାରିବ। ହେଲେ ଏଥିପାଇଁ ଯିଏ ଜମି କିଣିଥିବେ ତାଙ୍କୁ ସ୍ଥାନୀୟ ପୌରସଂସ୍ଥା ବା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଘର କରିବାକୁ ପ୍ଲାନ୍ ମଞ୍ଜୁର ପାଇଁ ଆବେଦନ କରିବାକୁ ପଡ଼ିବ। ଏହି ପ୍ଲାନ୍ ମଞ୍ଜୁର କରିବାକୁ ଆବେଦନକାରୀଙ୍କୁ ଆବଶ୍ୟକ ଫି’, ଜମି କିସମ ବଦଳାଇବା ଫି’ ଆଦି ଦେବାକୁ ପଡ଼ିବ। ଯଦି କର୍ତ୍ତୃପକ୍ଷ ଏହାକୁ ମଞ୍ଜୁର କଲେ ତେବେ ଏ ନେଇ ସ୍ଥାନୀୟ ତହସିଲଦାରଙ୍କ ନିକଟକୁ ଅନଲାଇନ୍ରେ ଜମି କିସମ ବଦଳାଇବାକୁ ଆବେଦନପତ୍ରଟି ପଠାଯିବ। ସେ ସ୍ଥାନୀୟ ଆର୍ଆଇଙ୍କ ମାଧ୍ୟମରେ ଏହାର ଯାଞ୍ଚ କରି କିସମ ବଦଳାଇବେ। ଏହାପରେ ଜମି କ୍ରେତା ଘରର ମଞ୍ଜୁର ହୋଇଥିବା ପ୍ଲାନ୍ ସହ ସଂଶୋଧିତ ପଟ୍ଟା ପାଇବେ। ତାଙ୍କୁ ତହସିଲ ଅଫିସ ଯିବାକୁ ପଡ଼ିବନି।
ସୌଜନ୍ୟ ସମ୍ବାଦ




