ମହାନଗର

Liver Transplant: ଭାତୃତ୍ବ ପ୍ରେମର ଅପୂର୍ବ ନିଦର୍ଶନ: ବଡ଼ଭାଇଙ୍କୁ ଜୀବନ ଦେଲେ ସାନଭାଇ

ଏମ୍ସ ଭୁବନେଶ୍ବର ନିଜର ସଫଳତାର ଯାତ୍ରାରେ ଆଉ ଏକ ଗୌରବମୟ ଫର୍ଦ୍ଦ ଯୋଡ଼ିଛି। ସମ୍ପୂର୍ଣ୍ଣ ପୂର୍ବ ଭାରତରେ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ନିର୍ଭରଯୋଗ୍ୟ ବ୍ରାଣ୍ଡ୍ ପାଲଟିଥିବା ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ସଫଳତାର ସହିତ ପ୍ରଥମ ଯକୃତ(ଲିଭର) ପ୍ରତିରୋପଣ ସମ୍ପନ୍ନ କରିଛି।

ଭୁବନେଶ୍ୱର: ଏମ୍ସ ଭୁବନେଶ୍ବର ନିଜର ସଫଳତାର ଯାତ୍ରାରେ ଆଉ ଏକ ଗୌରବମୟ ଫର୍ଦ୍ଦ ଯୋଡ଼ିଛି। ସମ୍ପୂର୍ଣ୍ଣ ପୂର୍ବ ଭାରତରେ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ନିର୍ଭରଯୋଗ୍ୟ ବ୍ରାଣ୍ଡ୍ ପାଲଟିଥିବା ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ସଫଳତାର ସହିତ ପ୍ରଥମ ଯକୃତ(ଲିଭର) ପ୍ରତିରୋପଣ ସମ୍ପନ୍ନ କରିଛି। ଏହି ଜୀବନ ରକ୍ଷାକାରୀ ଚିକିତ୍ସା ସେବା ପ୍ରଦାନ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ଜନସାଧାରଣଙ୍କୁ ବିଶେଷ ଲାଭ ପ୍ରଦାନ କରିବ। ଚଳିତ ମାସ ୨୦ ତାରିଖରେ ଏମ୍ସ ଭୁବନେଶ୍ୱର ପ୍ରଥମ ଲିଭର ପ୍ରତିରୋପଣ କରି ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ୨୦୨୩ରେ ଆରମ୍ଭ ହୋଇଥିବା ଲିଭର ପ୍ରତିରୋପଣ କାର୍ଯ୍ୟକ୍ରମର ପରିକଳ୍ପନା, ସେହି ବର୍ଷ ହିଁ ସରକାରୀ ଲାଇସେନ୍ସ ପାଇଥିଲା, ପ୍ରକ୍ରିୟା ଆରମ୍ଭ କରିବାକୁ। ଯକୃତ ପ୍ରତିରୋପଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଚଳିତ ବର୍ଷ ଆରମ୍ଭ ହୋଇଥିଲା ଏକ ସ୍ବତନ୍ତ୍ର ଯକୃତ ପ୍ରତିରୋପଣ ଓପିଡି। ପ୍ରତିରୋପଣ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ, ୧୦ ଶଯ୍ୟା ବିଶିଷ୍ଟ, ଅତ୍ୟନ୍ତ ଉନ୍ନତ ପ୍ରତିରୋପଣ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ନଭେମ୍ବର ୨୦୨୫ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି।

ଅଭିନନ୍ଦନ ଜଣାଇଲେ କାର୍ଯ୍ୟକାରୀ ନିର୍ଦ୍ଦେଶକ

ଏପରି ସଫଳତା ନିମନ୍ତେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସମଗ୍ର ପ୍ରତିରୋପଣ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏମ୍ସ ଭୁବନେଶ୍ବର ଏହିଭଳି ଭାବେ ଓଡ଼ିଶା ଏବଂ ଦେଶର ଜନସାଧାରଣଙ୍କୁ ନୂତନ ଅଭିନବ ପ୍ରକ୍ରିୟା ଏବଂ ସେବା ପ୍ରଦାନ କରିବାର ପ୍ରତିବଦ୍ଧତା ରଖିଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।
ଆଜିର ଏହି ପ୍ରତିରୋପଣ ପ୍ରକ୍ରିୟା, ଭାତୃତ୍ବଭାବର ଅପୂର୍ବ ପ୍ରେମକୁ ପୁନର୍ବାର ପ୍ରମାଣିତ କରିଛି। ସାନ ଭାଇର ଯକୃତ ଗ୍ରହଣ କରି ବଡ଼ ଭାଇ ଏକ ନୂତନ ଜୀବନ ପାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁରୀଜିଲ୍ଲା ଅନ୍ତର୍ଗତ ପିପିଲି ଅଞ୍ଚଳର ୩୭ ବର୍ଷୀୟ ଯୁବକ, ନିଜର ଅସୁସ୍ଥ ଯକୃତ କାରଣରୁ ଲକ୍ଷାଧିକ ଟଙ୍କା ବ୍ୟୟ କରି ଏକପ୍ରକାର ଅସହାୟ ହୋଇପଡ଼ିଥିଲେ। ସୁସ୍ଥ ହେବାର କୌଣସି ଲକ୍ଷଣ ଦେଖାଯାଇନଥିଲା। ଉନ୍ନତ ଚିକିତ୍ସା ପାଇଁ ପ୍ରାୟ ୮୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ନେଇ ତଥ୍ୟ ରଖିଥିଲେ ବିଭିନ୍ନ ହସ୍ପିଟାଲ। ମାତ୍ର ଏମ୍ସରେ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସୁଲଭ ମୂଲ୍ୟରେ ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗରେ ସେ ଆଜି ସୁସ୍ଥ ହୋଇପାରିଥିବା ଭାବବିହ୍ବଳ ହୋଇ ପ୍ରକାଶ କରିଛନ୍ତି ତାଙ୍କ ପିତା। ୩୦ ବର୍ଷୀୟ ସାନ ଭାଇ ବଡ଼ ଭାଇଙ୍କୁ ନିଜର ଯକୃତ ପ୍ରଦାନ କରିଛନ୍ତି।

 

ଦୁଇ ଭାଇ ସୁସ୍ଥ

c1698ec1-9c40-4989-beaa-882a3ab67004

ପ୍ରତିରୋପଣ ପରେ ଉଭୟ ଭାଇ ସୁସ୍ଥ ଅଛନ୍ତି। ସାନ ଭାଇ ହସ୍ପିଟାଲରୁ ଡିସ୍ଚାର୍ଯ ହୋଇଥିବା ବେଳେ ଆଉ କିଛିଦିନ ମଧ୍ୟରେ ବଡ଼ ଭାଇ ମଧ୍ୟ ଘରକୁ ଯିବାନେଇ ସୂଚନା ଦେଇଛନ୍ତି ଡ. ବିଶ୍ବାସ। ୫୦ ରୁ ଅଧିକ ସଦସ୍ୟଙ୍କୁ ନେଇ ଗଠିତ ଏହି ଅସ୍ତ୍ରୋପଚାର ଦଳ ଏହି ପ୍ରକ୍ରିୟା ସମାପ୍ତ କରିବାକୁ ପ୍ରାୟ ୧୪ ଘଣ୍ଟା ସମୟ ନେଇଥିଲା। ଉତ୍କର୍ଷତା ଏବଂ ସ୍ଥାୟୀ କ୍ଷମତା ନିର୍ମାଣ ସୁନିଶ୍ଚିତ କରିବା ପାଇଁ, ଏମ୍ସ ଭୁବନେଶ୍ୱର ଲିଭର ଏବଂ ପିତ୍ତ ରୋଗ ପାଇଁ ଦେଶର ପ୍ରମୁଖ ସରକାରୀ କ୍ଷେତ୍ର ପ୍ରତିଷ୍ଠାନ, ନୂଆଦିଲ୍ଲୀର ଆଇଏଲ୍ବିଏସ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button