ଓଡିଶାଜିଲ୍ଲା

Lockdown in the education complex: ବଦଳୁନି ଲାଞ୍ଜିଆ ସୌରାଙ୍କ ଭାଗ୍ୟ: ଏଜୁକେସନ୍‌ କମ୍ପ୍ଲେକ୍ସରେ ତାଲା, ଦାଦନ ଖଟୁଛନ୍ତି ପିଲା

ରାୟଗଡ଼ା ଜିଲ୍ଲାରେ ବସବାସ କରୁଥିବା ଜନଜାତିଙ୍କ ମଧ୍ୟରୁ ଲାଞ୍ଜିଆ ସୌରା ଅନ୍ୟତମ। ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଏହି ସମ୍ପ୍ରଦାୟର ବିକାଶ ଲାଗି ମାଳମାଳ ଯୋଜନା ପ୍ରଣୟନ କରିଛନ୍ତି ସରକାର।....

ଶିବ ପ୍ରସାଦ ଦୋରା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ବସବାସ କରୁଥିବା ଜନଜାତିଙ୍କ ମଧ୍ୟରୁ ଲାଞ୍ଜିଆ ସୌରା ଅନ୍ୟତମ। ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଏହି ସମ୍ପ୍ରଦାୟର ବିକାଶ ଲାଗି ମାଳମାଳ ଯୋଜନା ପ୍ରଣୟନ କରିଛନ୍ତି ସରକାର। ହେଲେ ବାଟମାରଣା କାରଣରୁ ଲାଞ୍ଜିଆଙ୍କ ସାମାଜିକ ଅର୍ଥନୈତିକ ସ୍ଥିତିରେ ଆସିନି କାଣିଚାଏ ପରିବର୍ତ୍ତନ। ଇଡ଼ିତାଲ ଚିତ୍ରକଳା ଲାଞ୍ଜିଆଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିବାରୁ ଜିଆଇ ଟ୍ୟାଗ୍‌ ପ୍ରଦାନ କରିଛନ୍ତି ସରକାର। ହେଲେ ପ୍ରଚାର ପ୍ରସାର ଅଭାବରୁ ଏହି ଚିତ୍ରକଳା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରିନି।

ଏଜୁକେସନ୍‌ କମ୍ପ୍ଲେକ୍ସରେ ତାଲା, ଦାଦନ ଖଟୁଛନ୍ତି ପିଲା
୧୫ ଗାଁକୁ ନାହିଁ ରାସ୍ତା, ୮୦ ଗ୍ରାମରେ ପାନୀୟ ଜଳ ସ୍ବପ୍ନ
୩୦୦୦ ପରିବାରକୁ ମିଳିନି ଆବାସ, ନାହିଁ ବିଦ୍ୟୁତ୍‌ ସୁବିଧା
ଜିଆଇ ଟ୍ୟାଗ୍‌ ସତ୍ତ୍ବେ ଇଡ଼ିତାଲ ଚିତ୍ରକଳାର ପ୍ରଚାର ନାହିଁ

ଗୁଣପୁର ବ୍ଲକର ପୁଟାସିଂ, ଜଲତାର, ଟଲଣା, ଶଗଡ଼ା, ଆବାଡ଼ା, ଚିନାସାରୀ ଓ କୁଲସିଂ ପଞ୍ଚାୟତରେ ରହୁଛନ୍ତି ୬୪୬୦ ଲାଞ୍ଜିଆ ସୌରା ପରିବାର। ଜନସଂଖ୍ୟା ୨୯ ହଜାରରୁ ଅଧିକ। ରାଜ୍ୟର ବିରଳ ଓ ପୁରାତନ ଜନଜାତି ଭାବେ ପରିଚିତ ଲାଞ୍ଜିଆ ସୌରାଙ୍କ ଜୀବନ ଶୈଳୀ ଓ ବେଶଭୁଷା ନିଆରା। ଇଡ଼ିତାଲ ଚିତ୍ରକଳା ସେମାନଙ୍କ ଭାବବୋଧକ ଲିପି। ଏହି ସମ୍ପ୍ରଦାୟର ବିକାଶ ପାଇଁ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା (ଏଲ୍‌ଏସ୍‌ଡିଏ) ଗୁଣପୁର ଆଇଟିଡିଏ ଅଧୀନରେ ଗତ ୩ ଦଶନ୍ଧିରୁ ଊର୍ଧ୍ବ ସମୟ ହେଲା କାର୍ଯ୍ୟ କରି ଆସୁଛି। ସେହିପରି ଓପିଲିପି ମାଧ୍ୟମରେ ସରକାର ଜୀବନ ଜୀବିକାର ବିକାଶ ଲାଗି ପଦକ୍ଷେପ ନେଇଥିଲେ। ଗତ କିଛି ମାସ ହେଲା ଓପିଲିପି ବନ୍ଦ ହୋଇଯିବାରୁ ଲାଞ୍ଜିଆ ସୌରାଙ୍କ ଜୀବନ ଜୀବିକା ସଙ୍କଟରେ।  ପାହାଡ଼ ଅଞ୍ଚଳରେ ରହୁଥିବା ଏହି ଜନଜାତିଙ୍କ ପାଇଁ ପାଣି ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି। ଜଳସେଚନ ସୁବିଧା ନ ଥିବାରୁ ପାରମ୍ପରିକ କୃଷି ଛାଡ଼ି କିଛି ଜଣ କାଜୁ ସମେତ ଅନ୍ୟ ବ୍ୟବସାୟକୁ ଆପଣାଇଛନ୍ତି। ପିଏମ୍‌ କିଷାନ ଯୋଜନାରୁ ମଧ୍ୟ ଅନେକ ଲାଞ୍ଜିଆ ‌ସୌରା ବଞ୍ଚିତ ହୋଇଛନ୍ତି।

ପାନୀୟ ଜଳ ସଙ୍କଟ ଦୂର ପାଇଁ ବସୁଧା ଯୋଜନାରେ ନିର୍ମାଣ ହୋଇଛି ପ୍ରକଳ୍ପ। ହେଲେ ପାହାଡ଼ିଆ ଅଞ୍ଚଳରେ ଭୂତଳ ଜଳସ୍ତର ବହୁ ତଳକୁ ଖସିଯାଇଥିବାରୁ ପ୍ରକଳ୍ପରୁ ପାଣି ମିଳୁନି। ଚୁଆ ଓ ଝରଣା ପାଣି ପିଇ ଶୋଷ ମେଣ୍ଟୁଥିବା କହିଛନ୍ତି ଆବାଡ଼ା ସମିତିସଭ୍ୟ ଇଶ୍ରୋ ଶବର। ଆବାଡ଼ା ଭଳି ୮୦ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରତିକାର ଦିଗରେ କୌଣସି ପଦକ୍ଷେପ ନେଉନି ପ୍ରଶାସନ। ଏହି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷିତ କରିବା ଆଶାରେ ଗତ ୫/୬ ବର୍ଷ ତଳେ ଆବଡ଼ାରେ ଏଜୁକେସନ୍‌ କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ନ ପାରି ତାଲା ଝୁଲୁଥିବାରୁ ପିଲାମାନେ ପାଠପଢ଼ାରେ ଡୋରି ବାନ୍ଧି ବିଭିନ୍ନ ରାଜ୍ୟରେ ଦାଦନ ଖଟୁଛନ୍ତି। ଅନ୍ୟପକ୍ଷରେ ୩ହଜାର ଜନଜାତି ପରିବାରଙ୍କୁ ଏଯାବତ ଆବାସ କାର୍ଯ୍ୟାଦେଶ ମିଳିପାରିନି। ୧ହଜାରରୁ ଊର୍ଧ୍ବ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ମିଳି ନ ଥିବାରୁ ଡିବିରି ଆଲୁଅରେ ଏମାନେ ରାତି କାଟୁଛନ୍ତି। ସେହିପରି ୧୫ଟି ଗାଁକୁ ନିତିଦିନିଆ ରାସ୍ତା ନିର୍ମାଣ ହୋଇପାରିନି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button