
ରାୟଗଡା (ଶିବ ପ୍ରସାଦ ଦୋରା): ରାୟଗଡା ସହରରେ ଲୁଟେରା ଗ୍ୟାଙ୍ଗ ସ୍କୁଟି ଡିକି ଭାଙ୍ଗି ୧୦ ତୋଳା ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନାରୁ ଜଣାପଡିଛି ସହରର ସ୍ବାଗତ ଲେନ୍ର ଏକ ହଟେଲକୁ ସୁନା ବ୍ୟବସାୟୀ ସନ୍ତୋଷ ମହାପାତ୍ର ମଧ୍ୟାହ୍ଣ ଭୋଜନ କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ସ୍କୁଟି ଡିକି ଭାଙ୍ଗି କେହି ଦୁର୍ବୃତ୍ତ ପ୍ରାୟ ୧୦ ତୋଳା ସୁନା ଅଳଙ୍କାର ଲୁଟ୍ କରି ନେଇଯାଇଥିଲେ।
ଦୁଇ ଜଣ ଦୁର୍ବୃତ୍ତ ହୋଟେଲ ପରିସରରେ ଥିବା ପାର୍କିଙ୍ଗ ସ୍ଥାନକୁ ଆସି ସ୍କୁଟିର ଡିକି ଭାଙ୍ଗି ପ୍ରାୟ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ଏନେଇ ସଂପୃକ୍ତ ବ୍ୟବସାୟୀ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହୋଟେଲ ବାହାରେ ଲାଗିଥିବା ସିସିଟିଭିକୁ ଯାଞ୍ଚ୍ କରିଛି ପୁଲିସ।
ବ୍ୟବସାୟୀ ସନ୍ତୋଷ ମହାପାତ୍ରଙ୍କ ଘର ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଅଞ୍ଚଳରେ ହୋଇଥିବା ବେଳେ ସେ ରାୟଗଡା ସହରରେ ଥିବା ସୁନା ଦୋକାନୀଙ୍କ ଠାରୁ ବକେୟାରେ ସୁନା ଆଣି ବିଭିନ୍ନ ସ୍ଥାନରେ ବିକ୍ରି କରିଥାନ୍ତି। ତେବେ ରାୟଗଡା ସହରରେ ବାରମ୍ବାର ଲୁଟ୍ ଘଟଣା ହେଉଥିବା ଦେଖିବାକୁ ମିଳିଛି।
ରାୟଗଡା ଅତିରିକ୍ତ ଆଇଆଇସି ଅଜିତ କୁମାର ପରିଡା ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି। କିଛି ଦିନ ହେଲା ରାୟଗଡା ସହରରେ ଲୁଟ ଘଟଣା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ନିକଟରେ ରାୟଗଡା ରେଳବାୟି ଷ୍ଟେସନ ନିକଟରେ ଜଣେ ଅଧ୍ୟାପକଙ୍କୁ ଆକ୍ରମଣ କରି ଲୁଟ କରିଥିଲେ କିନ୍ତୁ ପୁଲିସ ଏହି ଘଟଣାରେ ୨ଜଣଙ୍କୁ ଗିରଫ କରିଥିଲା। ଗତ ୧୨ତାରିଖ ରାତିରେ ଫାୟାର ଷ୍ଟେସନ ନିକଟରେ ପୂର୍ତ ବିଭାଗର ଜଣେ କର୍ମଚାରୀଙ୍କୁ ୪/୫ଜଣ ଦୁର୍ବୁତ୍ତ ରାତି ୧୧ଟାରୁ ସକାଳ ୫ଟା ଯାଏ ବନ୍ଧୁକ ମୁନରେ ତାଙ୍କୁ ଅକଥନିୟ ଅତ୍ୟାଚାର କରିବା ସହ ଫୋନପେ ରେ ଯୋରଜବରଦସ୍ତି ପଇସା ନେବା ସହ ତାଙ୍କର ଆସବାପତ୍ର ଓ ବାଇକ ଲୁଟି ନେଇଥିଲେ। ପୁଲିସ ଏଯାଏଁ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ।
ସୌଜନ୍ୟ ସମ୍ବାଦ




