Supreme court: ସୋସିଆଲ ମିଡିଆରେ କୋର୍ଟ କାର୍ଯ୍ୟର ଅଡିଓ-ଭିଡିଓ ସେୟାର୍ ଉପରେ ରୋକ୍ ଲଗାଇଲେ ସୁପ୍ରିମ୍କୋର୍ଟ
କୋର୍ଟ କାର୍ଯ୍ୟର ଭିଡିଓ ଓ ଅଡିଓ ରେକର୍ଡିଂ ସୋସିଆଲ ମିଡିଆରେ ଅପ୍ଲୋଡ୍ ଓ ସେୟାର କରିବା ଉପରେ ସୁପ୍ରିମ୍କୋର୍ଟ ରୋକ୍ ଲଗାଇଛନ୍ତି। କୋର୍ଟଙ୍କ ଅନୁମତି ବିନା କୋର୍ଟ କାର୍ଯ୍ୟର ଭିଡିଓ କିମ୍ବା ଅଡିଓ ରେକର୍ଡିଂକୁ ସୋସିଆଲ ମିଡିଆ କିମ୍ବା ଅନ୍ୟ ଡିଜିଟାଲ ମାଧ୍ୟମରେ ପୋଷ୍ଟ କରାଯାଇପାରିବ ନାହିଁ।

ନୂଆଦିଲ୍ଲୀ: କୋର୍ଟ କାର୍ଯ୍ୟର ଭିଡିଓ ଓ ଅଡିଓ ରେକର୍ଡିଂ ସୋସିଆଲ ମିଡିଆରେ ଅପ୍ଲୋଡ୍ ଓ ସେୟାର କରିବା ଉପରେ ସୁପ୍ରିମ୍କୋର୍ଟ ରୋକ୍ ଲଗାଇଛନ୍ତି। କୋର୍ଟଙ୍କ ଅନୁମତି ବିନା କୋର୍ଟ କାର୍ଯ୍ୟର ଭିଡିଓ କିମ୍ବା ଅଡିଓ ରେକର୍ଡିଂକୁ ସୋସିଆଲ ମିଡିଆ କିମ୍ବା ଅନ୍ୟ ଡିଜିଟାଲ ମାଧ୍ୟମରେ ପୋଷ୍ଟ କରାଯାଇପାରିବ ନାହିଁ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି ମୋହନାଙ୍କ ଖଣ୍ଡପୀଠ ବିଚାରଣ ସମୟର ଲାଇଭ୍ଷ୍ଟ୍ରିମିଂ ଓ ଭିଡିଓ ପ୍ରସାରଣକୁ ନିୟନ୍ତ୍ରଣ କରିବାକୁ ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ଅନ୍ତରୀଣ ଆଦେଶ ଜାରି କରିଛନ୍ତି।
ସମ୍ପୃକ୍ତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ କିମ୍ବା ସୁପ୍ରିମ୍କୋର୍ଟର ସେକ୍ରେଟାରି ଜେନେରାଲଙ୍କ ପୂର୍ବ ଅନୁମତି ବିନା ନ୍ୟାୟିକ କାର୍ଯ୍ୟର ଅଡିଓ କିମ୍ବା ଭିଡିଓ ରେକର୍ଡିଂକୁ ସଂଗ୍ରହ, ସମ୍ପାଦନ, ପରିବର୍ତ୍ତନ, ପ୍ରସାରଣ, ପୋଷ୍ଟ, ପୁନଃପୋଷ୍ଟ, ଅପଲୋଡ୍ କିମ୍ବା ଆର୍ଥିକ ଲାଭ ପାଇଁ ବ୍ୟବହାର କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି।
ସୁପ୍ରିମ୍କୋର୍ଟସ୍ପଷ୍ଟ କରିଛନ୍ତି ଯେ, ଏହି ନିଷେଧାଦେଶ କୋର୍ଟ କାର୍ଯ୍ୟର ସମ୍ବାଦ ସଂଗ୍ରହ କିମ୍ବା ପ୍ରକାଶ ଉପରେ ଲାଗୁ ହେବ ନାହିଁ। ଏହାକୁ ଗ୍ୟାଗ୍ ଅର୍ଡର ବା ଚୁପ୍ ରହିବା ଆଦେଶ ବୋଲି ଭାବିବା ଉଚିତ ନୁହେଁ। ଆବେଦନକାରୀ ସାମ୍ବାଦିକଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, କୋର୍ଟ କାର୍ଯ୍ୟର କିଛି ଅଂଶକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି। ଏହା ଅଦାଲତର ଗରିମାକୁ କ୍ଷୁଣ୍ଣ କରିବା ସହ ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସକୁ ମଧ୍ୟ କମାଉଛି। ଶୁଣାଣି ସମୟରେ ବିଚାରପତି ଜୟମାଲ୍ୟ ବାଗ୍ଚୀ କହିଛନ୍ତି, ଆମେ ଯାହାକୁ ରୋକୁଛୁ, ତାହା ହେଉଛି ଅଡିଓ-ଭିଡିଓ ରେକର୍ଡିଂ ଏବଂ ସେହି ରେକର୍ଡିଂକୁ ଅପଲୋଡ୍ କରିବା।
ସୌଜନ୍ୟ ସମ୍ବାଦ




