ନୂଆଦିଲ୍ଲୀ,: ଦେଶରେ ବର୍ତ୍ତମାନ ଖରାଛୁଟି ସମୟ ଚାଲିଛି। ନିଜ ପରିବାର ସହିତ ବିଭିନ୍ନ ସ୍ଥାନ ବୁଲିବାକୁ ଲୋକମାନେ ବାହାରିଛନ୍ତି। ତାହାର ପ୍ରଭାବରେ ହୋଟେଲ୍, ବିମାନ ଓ ବସ୍ ବୁକିଂରେ ବୃଦ୍ଧିି ଘଟିଛି। କ୍ଲିୟରଟ୍ରିପ୍ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଲୋକମାନେ ଛୁଟି କଟାଇବା ବେଳେ ବିଳାସକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ଏହି ସମୟରେ ପଞ୍ଚତାରକା ହୋଟେଲ୍ଗୁଡ଼ିକରେ ବୁକିଂରେ ୧୦୮.୨ ପ୍ରତିଶତ ବୃଦ୍ଧି ହୋଇଛି। ମୋଟ୍ ଉପରେ ହୋଟେଲ୍ ବୁକିଂ ୮୦ ପ୍ରତିଶତ ବଢ଼ିଛି। ବିମାନ ଟିକଟ ବୁକିଂରେ ୨୦ ପ୍ରତିଶତ ଓ ବସ୍ ବୁକିଂରେ ୩୫ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି।
ହୋଟେଲ୍ ବୁକିଂରେ ୧୨୪.୯ ପ୍ରତିଶତ ବୃଦ୍ଧି ପାଇଛି
ଲୋକମାନେ ଆରାମ, ଉନ୍ନତ ଅନୂଭତି ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ରିପୋର୍ଟରୁ ଜଣାପଡ଼ିଛି ଯେ ପରିବାରଗୁଡ଼ିକ ଦ୍ବାରା କରାଯାଉଥିବା ହୋଟେଲ୍ ବୁକିଂରେ ୧୨୪.୯ ପ୍ରତିଶତ ଓ ଦଳଗତ ଭ୍ରମଣ ବୁକିଂରେ ୨୪ ପ୍ରତିଶତର ବୃଦ୍ଧି ହୋଇଛି। ଦେଶ ଭିତରେ ଛୁଟି କଟାଇବା ଲାଗି ଲୋକମାନେ ଜୟପୁର, ଲକ୍ଷ୍ନୌ, ଉଦୟପୁର, ଋଷିକେଶ, ବାରାଣସୀ, ଦିବ୍ରୁଗଡ଼, ଦିମାପୁର, ଇମ୍ଫାଲ, ଅଗରତାଲା ଯାଉଛନ୍ତି। ମହିଳାମାନେ ଏକାକୀ ଛୁଟି କଟାଇବାକୁ ମଧ୍ୟ ଯାଉଛନ୍ତି। ଯେଭଳି ମହିଳାଙ୍କ ଦ୍ବାରା ବୁକିଂରେ ୩୧.୯ ପ୍ରତିଶତ ବୃଦ୍ଧି ହୋଇଛି। ଯୁବବର୍ଗ ଛୁଟି କଟାଇବାକୁ ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ଓ ହାଇଦ୍ରାବାଦ ଯିବାକୁ ପସନ୍ଦ କରୁଛନ୍ତି। ବିଦେଶରେ ସେମାନଙ୍କ ପସନ୍ଦ ହେଉଛି ବାଲି, ଫୁକେଟ, କ୍ବାଲାଲୁମ୍ପୁର, ଦୁବାଇ ଓ ସିଙ୍ଗାପୁର। ଭାରତୀୟମାନଙ୍କ ଛୁଟି କଟାଇବା ପାଇଁ ନୂଆ ପସନ୍ଦର ସ୍ଥାନ ଭାବେ ନଭି ମୁମ୍ବାଇ, ଦରଭଙ୍ଗା, ଲେହ, ଗୋରଖପୁର, କନ୍ନୁର ଉଭା ହୋଇଛି। ବିଦେଶରେ ନୂଆ ସ୍ଥାନ ହେଉଛି ନାଇରୋବି, ଗୁଆଙ୍ଗଝୁ, ରିୟାଧ, ଲିସବନ୍, ମିଲାନ ଓ ହାନେଡା। ଭ୍ରମଣ ବୁକିଂ ବେଳେ ଭାରତୀୟମାନେ କ୍ରେଡିଟ୍ କାର୍ଡ ବ୍ୟହବାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ୬୩.୧ ପ୍ରତିଶତ ଘରୋଇ ଓ ୪୮.୯ ପ୍ରତିଶତ ଅନ୍ତର୍ଜାତୀୟ ବୁକିଂ କ୍ରେଡିଟ୍ କାର୍ଡ ଜରିଆରେ କରାଯାଇଛି।
ସୌଜନ୍ୟ ସମ୍ବାଦ

