Suvendu Aide’s Murder: ଶୁଭେନ୍ଦୁଙ୍କ ସହଯୋଗୀଙ୍କୁ ହତ୍ୟା ପରେ ପଶ୍ଚିମବଙ୍ଗ ଅଶାନ୍ତ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଓ ଭୋଟ ଗଣତି ଶେଷ ହେବା ପରେ ବି ଅଶାନ୍ତି ଲାଗି ରହିଛି। ବୁଧବାର ରାତିରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ପଶ୍ଚିମବଙ୍ଗରେ ଉତ୍ତେଜନା ପ୍ରକାଶ ପାଇଛି। ବିଭିନ୍ନ ମାହୋଲରୁ ଏହି ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରାଯାଉଛି। ମୋଟର ସାଇକେଲରେ ପିଛା କରି ଆସୁଥିବା ଅଜ୍ଞାତ ଦୁର୍ବୃତ୍ତ କାର୍ରେ ଯାଉଥିବା ଚନ୍ଦ୍ରନାଥଙ୍କୁ ଅତି ନିକଟରୁ ଗୁଳି କରିଥିଲେ।
ମଧ୍ୟମଗ୍ରାମର ଦୋତଲୋ ଅଞ୍ଚଳରେ ରାତି ୧୦ଟା ୩୦ ସମୟରେ ୪୧ ବର୍ଷୀୟ ଚନ୍ଦ୍ରନାଥ ତାଙ୍କ ଘରକୁ ଫେରୁଥିବା ସମୟରେ ତାଙ୍କୁ ଗୁଳି କରାଯାଇଥିଲା। ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିବାବେଳେ ଆଉ ଗୋଟିଏ ଗୁଳି ଚନ୍ଦ୍ରନାଥଙ୍କ ପେଟରେ ବାଜି ଥିଲା। ଗୁରୁତର ଅବସ୍ଥାରେ ରଥଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ସଙ୍ଗେ ସଙ୍ଗେ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଜେପି ନେତା ତଥା ନବନିର୍ବାଚିତ ବିଧାୟକ କୌସ୍ତୁଭ ବାଗଚି କହିଛନ୍ତି, ଯେପର୍ଯ୍ୟନ୍ତ ଅପରାଧୀ ଧରାପଡ଼ିନାହାନ୍ତି ସେପର୍ଯ୍ୟନ୍ତ ଚନ୍ଦ୍ରନାଥଙ୍କ ମୃତଦେହ ଦାହ କରାଯିବ ନାହିଁ। ତୃଣମୂଳ କଂଗ୍ରେସ ମଧ୍ୟ ଚନ୍ଦ୍ରନାଥଙ୍କ ହତ୍ୟାକୁ ନିନ୍ଦା କରିଛି।
ଅଧିକାରୀ ପରିବାର ସହିତ ଥିଲା ୨୦ ବର୍ଷ ପୁରୁଣା ସମ୍ପର୍କ
ଚନ୍ଦ୍ରନାଥଙ୍କ ଜୀବନ କୌଣସି ରାଜନୈତିକ ଥ୍ରିଲରଠାରୁ କିଛି କମ୍ ନୁହେଁ। ପୂର୍ବ ମେଦିନୀପୁର ଚାନ୍ଦିପୁରର ବାସିନ୍ଦା ଚନ୍ଦ୍ରନାଥ ରଥ ପ୍ରାରମ୍ଭିକ ପାଠପଢ଼ା ରହାରା ରାମକୃଷ୍ଣମିସନରୁ କରିଥିଲେ। ଆଧ୍ୟାତ୍ମିକତା ଦ୍ବାରା ପ୍ରଭାବିତ ଥିଲେ ଓ ଏକଦା ସନ୍ନ୍ୟାସ ନେବାକୁ ବିଚାର କରୁଥିଲେ। କିନ୍ତୁ ପରେ ଭାରତୀୟ ବାୟୁସେନାରେ ଯୋଗ ଦେଇ ପାଖାପାଖି ୨୦ ବର୍ଷ ଦେଶ ସେବା କରିଥିଲେ। ଅନୁଶାସନ, ଶାନ୍ତ ସ୍ବଭାବ ଓ ସଙ୍ଗଠନ ଚଳାଇବା କ୍ଷମତା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ବାୟୁସେନାର ସ୍ବେଚ୍ଛାକୃତ ଅବସର ନେବା ପରେ କେତେ ଦିନ କର୍ପୋରେଟ୍ ସେକ୍ଟରରେ ମଧ୍ୟ କାମ କରିଥିଲେ। କିନ୍ତୁ ପଶ୍ଚିମବଙ୍ଗ ରାଜନୀତି ତାଙ୍କୁ ଆକର୍ଷିତ କରିଥିଲା। ଚନ୍ଦ୍ରନାଥ ପରଦା ପଛରେ ରହି ରାଣନୀତି ପ୍ରସ୍ତୁତ କରିବାକୁ ନେଇ ପରିଚିତ ହୋଇଥିଲେ। ଅଧିକାରୀ ପରିବାର ଓ ରଥ ପରିବାରର ସମ୍ପର୍କ ଦୁଇ ଦଶନ୍ଧି ପୁରୁଣା। ଚନ୍ଦ୍ରନାଥଙ୍କ ମା’ ହସି ରଥ ପୂର୍ବେ ଟିଏମ୍ସିରେ ଥିଲେ। ୨୦୧୯ରେ ଶୁଭେନ୍ଦୁ ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଥିବାବେଳେ ରଥ ତାଙ୍କ ସହାୟକ ନିଯୁକ୍ତ ହୋଇଥିଲେ। କିନ୍ତୁ ଶୁଭେନ୍ଦୁ ଅଧିକାରୀ ୨୦୨୦ରେ ବିଜେପିରେ ମିଶିବା ପରେ ଚନ୍ଦ୍ରନାଥ ମଧ୍ୟ ତାଙ୍କ ସହିତ ବିଜେପିରେ ମିଶିଥିଲେ।
ଭବାନୀପୁର ସମେତ ଅନେକ ହାଇ-ପ୍ରୋଫାଇଲ ନିର୍ବାଚନୀ ଅଭିଯାନରେ ଚନ୍ଦ୍ରନାଥ ବିଜେପିର କୋର ଟିମ୍ରେ ରହୁଥିଲେ। ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଚନ୍ଦ୍ରନାଥଙ୍କୁ ବଡ଼ ପ୍ରଶାସନିକ ପଦବୀ ମିଳିଥାନ୍ତା। ତେବେ ବିଜେପି ଚନ୍ଦ୍ରନାଥଙ୍କ ହତ୍ୟାକୁ ଟାର୍ଗେଟ କିଲିଂ କହିଥିବାବେଳେ ଟିଏମ୍ସି ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛି।
ସୌଜନ୍ୟ ସମ୍ବାଦ




