ରାଜ୍ୟ

Maa Kalapata: ତିଗିରିଆର ଆରାଧ୍ୟ ଠାକୁରାଣୀ ମା’ କଳାପାଟ

ତିଗିରିଆ ବ୍ଲକ୍‌ ନୂଆପାଟଣା ପଞ୍ଚାୟତର ଆରାଧ୍ୟ ଠାକୁରାଣୀ ମା’ କଳାପାଟ। ବିଶ୍ବାସ ରହିଛି, ଏଠାରେ ଭାବରେ ଥାଇ ମା’ଙ୍କୁ ଶ୍ରଦ୍ଧାର ସହ ଡାକିଲେ ମା’ ଡାକ ଶୁଣନ୍ତି। ମା’ଙ୍କ ପାଖରେ କେବଳ ତିଗିରିଆ ଅଞ୍ଚଳ ନୁହେଁ...

ାା ଚନ୍ଦ୍ରଶେଖର ମିଶ୍ର ାା
ତିଗିରିଆ: ତିଗିରିଆ ବ୍ଲକ୍‌ ନୂଆପାଟଣା ପଞ୍ଚାୟତର ଆରାଧ୍ୟ ଠାକୁରାଣୀ ମା’ କଳାପାଟ। ବିଶ୍ବାସ ରହିଛି, ଏଠାରେ ଭାବରେ ଥାଇ ମା’ଙ୍କୁ ଶ୍ରଦ୍ଧାର ସହ ଡାକିଲେ ମା’ ଡାକ ଶୁଣନ୍ତି। ମା’ଙ୍କ ପାଖରେ କେବଳ ତିଗିରିଆ ଅଞ୍ଚଳ ନୁହେଁ, ରାଜ୍ୟର ଅନ୍ୟ ଅଞ୍ଚଳ ସମେତ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ ମାନସିକ ପୂରଣ ପରେ ଦର୍ଶନ ପାଇଁ ଆସିଥା’ନ୍ତି।
କିମ୍ବଦନ୍ତୀ ଅନୁସାରେ, ମା’ ଏହି ସ୍ଥାନରେ ପ୍ରାୟ ୪୦୦ ବର୍ଷ ହେଲା ଅବସ୍ଥାନ କରୁଛନ୍ତି। ଯେତେବେଳେ ପୁରୀ ଶ୍ରୀମନ୍ଦିର ଉପରେ ବାହ୍ୟ ଶତ୍ରୁ ଆକ୍ରମଣ କରି ମନ୍ଦିରରୁ ପ୍ରଭୁ ଜଗନ୍ନାଥଙ୍କୁ ନେଇଯିବାକୁ ଚକ୍ରାନ୍ତ କରିଥିଲେ ସେତେବେଳେ ତତ୍କାଳୀନ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଶ୍ରୀମନ୍ଦିରରେ ଚନ୍ଦନରେ ନିର୍ମିତ ବିଗ୍ରହ ପୂଜା କରାଯାଇ ପ୍ରକୃତ ବିଗ୍ରହଙ୍କୁ ତିଗିରିଆ ରାଜ୍ୟରେ ଗୁପ୍ତରେ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ତିଗିରିଆରେ ପ୍ରକୃତ ବିଗ୍ରହ ଲୁଚି ରହିଥିବା କଥା ଆକ୍ରମଣକାରୀ ଜାଣିଯିବାରୁ ଏଥିରେ ଚିନ୍ତିତ ହୋଇ ତତ୍କାଳୀନ ତିଗିରିଆ ରାଜା, ପ୍ରଭୁ ଶ୍ରୀଜନ୍ନାଥଙ୍କ ନିକଟରେ ଅଧିଆ ପଡ଼ିଥିଲେ। ମହାପ୍ରଭୁ ରାଜାଙ୍କୁ ସ୍ୱପ୍ନାଦେଶ କରି କେବଳ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ତିଗିରିଆ ରାଜ୍ୟ ପାଟଣାମୁଲକର ଘୋର ବନସ୍ତରେ ଲୁଚାଇ ରଖିବାକୁ କହିଥିଲେ। ସ୍ୱପ୍ନାଦେଶ ଅନୁଯାୟୀ ମହାପ୍ରଭୁଙ୍କ ବିଗ୍ରହକୁ ବନସ୍ତରେ ଲୁଚାଇ ରଖିବା ସହ ସୁରକ୍ଷା ପାଇଁ ରାଜ୍ୟବାହାରୁ କିଛି ପାଇକଙ୍କୁ ରଖାଯାଇଥିଲା। ଉକ୍ତ ଖବର ମଧ୍ୟ ଆକ୍ରଣକାରୀଙ୍କ ପାଖରେ ପହଞ୍ଚିଯିବାରୁ ସେମାନେ ଉକ୍ତ ସ୍ଥାନରେ ଅତର୍କିତ ଆକ୍ରମଣ କରିଥିଲେ। ଖବର ଶୁଣି ରାଜା ଉପାୟଶୂନ୍ୟ ହୋଇ ‘ମହାପ୍ରଭୁ ନିଜେ ନିଜର ରକ୍ଷା କର’ ବୋଲି ଡାକି ସଂଜ୍ଞାହୀନ ହୋଇଯାଇଥିଲେ। ଆକ୍ରମଣକାରୀ ମହାପ୍ରଭୁଙ୍କ ବିଗ୍ରହ ନେଇଯିବାକୁ ବସିଥିବା ବେଳେ ଅନତି ଦୂରରେ ବନସ୍ତରେ ଏକ ସାହାଡ଼ା ଗଛମୂଳରେ ଅବସ୍ଥାନ କରୁଥିବା ମା’ କଳାପାଟ ମହାପ୍ରଭୁଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button