mahanadi-water-dispute ମହାନଦୀ ମାନସମନ୍ଥନ, ଫିଟିଲା ମୀମାଂସା ବାଟ

ଉଭୟ ରାଜ୍ୟର ମନ୍ତ୍ରୀସ୍ତରୀୟ କମିଟି ଆଲୋଚନା କରି ବାହାର କରିବେ ପନ୍ଥା

ପୁରୀ/ଭୁବନେଶ୍ବର: ମହାନଦୀ ଉପରେ ଛତିଶଗଡ଼ ବନ୍ଧ ନିର୍ମାଣ କରିବା ଓ ଓଡ଼ିଶାର ବିଧିବଦ୍ଧ ବିରୋଧର ପ୍ରାୟ ୧୦ ବର୍ଷ ପରେ ଏବଂ ବିବାଦର ସମାଧାନ ନିମନ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଟ୍ରିବୁନାଲ୍‌ ଗଠନର ୮ ବର୍ଷ ପରେ ମହାନଦୀ ଜଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ଆଶା ଦେଖାଦେଇଛି। ପୁରୀରେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ ଓ ଆଇନ ପରାମର୍ଶଦାତାଙ୍କ ମାନସମନ୍ଥନ ପରେ ରାଜ୍ୟ ସରକାର ‘ସମାଧାନ’ ନେଇ ଆଶାବାଦୀ ହୋଇଛନ୍ତି।

mahandi dispute puri-2

ପୁରୀରେ ଉଭୟ ରାଜ୍ୟର ଉଚ୍ଚସ୍ତରୀୟ ପ୍ରତିନିଧିମାନଙ୍କ ଉପସ୍ଥିତିରେ ହୋଇଥିବା ବୈଠକ ପରେ ମହାଧିବକ୍ତା ( ଆଡଭୋକେଟ ଜେନେରାଲ) ପୀତାମ୍ବର ଆଚାର୍ଯ୍ୟ  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ‘ଆଶାବାଦୀ’ବୋଲି କହିଥିବା ବେଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଅନୁରୂପ ଭାବେ ‘ସମାଧାନର ଆଶା ଉଜ୍ଜ୍ବଳ’ ବୋଲି କହିଛନ୍ତି।

mahandi dispute puri-1

ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ବିଗତ କିଛି ବର୍ଷ ଧରି ମହାନଦୀ ପ୍ରସଙ୍ଗରେ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ପ୍ରାୟ ବନ୍ଦ ରହିଥିଲା। କିନ୍ତୁ ବର୍ତ୍ତମାନ ପ୍ରଶାସନିକ ଓ ବୈଷୟିକ ସ୍ତରରେ ଆଲୋଚନା ସଫଳ ଭାବେ ଆଗକୁ ବଢ଼ୁଛି। ସେ କହିଛନ୍ତି ଯେ, ମହାନଦୀର ଜଳ ଉଭୟ ରାଜ୍ୟର ଚାଷୀଙ୍କ ଅଧିକାର ଓ ସେଚନ କ୍ଷେତ୍ରରେ କୌଣସି ରାଜ୍ୟର ଚାଷୀ ଯେପରି କ୍ଷତିଗ୍ରସ୍ତ ନ ହେବେ, ସେଥିପାଇଁ ହିସାବ-କିତାବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।  ଟ୍ରିବ୍ୟୁନାଲଙ୍କ ପରାମର୍ଶକ୍ରମେ ଓଡ଼ିଶା ସରକାର ପକ୍ଷରୁ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ଛତିଶଗଡ଼ ସରକାର ମଧ୍ୟ ଶୀଘ୍ର ଏଭଳି କମିଟି ଗଠନ କରିବେ। ଏହାପରେ ଉଭୟ ରାଜ୍ୟ ମଧ୍ୟରେ ମନ୍ତ୍ରୀସ୍ତରୀୟ ଆଲୋଚନା ମାଧ୍ୟମରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଶ୍ରୀ ପୂଜାରୀ ଦୃଢ଼ ଆଶା ପ୍ରକାଶ କରି କହିଛନ୍ତି ଯେ, ପ୍ରାୟ ୨୫ ବର୍ଷ ଧରି ଚାଲିଥିବା ଏହି ବିବାଦର ସମାଧାନ ଏବେ ଆଲୋଚନା ମାଧ୍ୟମରେ ସମ୍ଭବ ହେବ ଏବଂ ଓଡ଼ିଶାର ସ୍ୱାର୍ଥ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ।
ଅପରପକ୍ଷରେ, ରବିବାର ପୁରୀ ଠାରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଛତିଶଗଡ଼ର ଏଜି ବିବେକ ଶର୍ମାଙ୍କ ସହ ଉଭୟ ରାଜ୍ୟର ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଓ ବୈଷୟିକ ଦଳ ଉପସ୍ଥିତ ଥିଲେ।

mahandi dispute puri-4

ବୈଠକ ପରେ ଏକ୍ସ ମାଧ୍ୟମରେ ପ୍ରତିକ୍ରିୟା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ମହାନଦୀ ଜଳ ବିବାଦର ସମାଧାନ ଦିଗରେ ବୈଠକରେ ଅନେକ ମୂଳ ପ୍ରସଙ୍ଗ ଉପରେ ସନ୍ତୋଷଜନକ ଆଲୋଚନା ହୋଇଛି। ଉଭୟ ରାଜ୍ୟର ଲୋକଙ୍କ ବୃହତ ସ୍ୱାର୍ଥକୁ ଆଗରେ ରଖି ବନ୍ଧୁତ୍ୱପୂର୍ଣ୍ଣ ସମାଧାନ ପାଇଁ ସମସ୍ତେ ସକାରାତ୍ମକ ଉଦ୍ୟମ କରିଥିବା ସେ କହିଛନ୍ତି। ସେ କହିଛନ୍ତି, ପୂର୍ବ ସରକାର ସମୟରେ ଯେଉଁ ଆଇନଗତ ତ୍ରୁଟି ରହିଯାଇଥିଲା, ବର୍ତ୍ତମାନ ସରକାର ସେଥିରେ ସଂଶୋଧନ ଆଣି ଟ୍ରିବ୍ୟୁନାଲ ସମ୍ମୁଖରେ ଓଡ଼ିଶାର ହକ ଓ ଅଧିକାର ପାଇଁ ଦୃଢ଼ ଭାବେ ପକ୍ଷ ଉପସ୍ଥାପନ କରୁଛନ୍ତି।
ମହାନଦୀକୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଏ। ଏପରି ସମୟରେ ଓଡିଶା ସରକାର, କେନ୍ଦ୍ର ସରକାର ଏବଂ ଛତିଶଗଡ଼ ସରକାରଙ୍କ ମଧ୍ୟରେ ସମନ୍ୱୟ ରଖି ଆପୋଷ ସମାଧାନ ପାଇଁ ହେଉଥିବା ପଦକ୍ଷେପ ରାଜ୍ୟବାସୀଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି।

 

 

 

 

ସୌଜନ୍ୟ ସମ୍ବାଦ