ପାରଳାଖେମୁଣ୍ଡି: ରାଜ୍ୟରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ଙ୍କ ଘୋର ଅଭାବ ସହ ସରକାରୀ ଡାକ୍ତରଖାନାରୁ ଶବ ନେବାକୁ ମହାପ୍ରୟାଣ ଗାଡ଼ି ଉପଲବ୍ଧ ହୋଇପାରୁନି। ଫଳରେ ବହୁ ସମୟରେ ଲୋକେ ଶବକୁ ବାଇକ୍ ଓ କାନ୍ଧରେ ବୋହି ନେଉଥିବାର ଅନେକ ଘଟଣା ସାମନାକୁ ଆସୁଛି। ଏଣୁ ଏହାକୁ ଆଖି ଆଗରେ ରଖି ଆଗାମୀ ୨ ମାସ ମଧ୍ୟରେ ଶବ ନେବାକୁ ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର ଯାନ’ର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।
୨ ମାସ ମଧ୍ୟରେ ହେବ କାର୍ଯ୍ୟକାରୀ
ଗଜପତିର ୧୪୯ ପଞ୍ଚାୟତରେ ହେବ ଆୟୁ ଆରୋଗ୍ୟ ମନ୍ଦିର
ଶ୍ରୀ ମହାଲିଙ୍ଗ ଆଜି ଗଜପତି ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ସ୍ବାସ୍ଥ୍ୟସେବା ସଂପର୍କିତ ଯୋଜନା ସମୀକ୍ଷା ପରେ କହିଛନ୍ତି, ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବାକୁ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ ଅଭାବ ପୂରଣ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଆଗାମୀ ଦିନରେ ସରକାର ନୂତନ ଭାବେ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ରୁ ୬ ଜଣ ପିଜି ଡିପ୍ଲୋମା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି। ଫଳରେ ପିଏଚ୍ସି ଓ ସିଏଚ୍ସିସ୍ତରରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଦୂର ହୋଇପାରିବ। ଏହାସହ ଖୁବ୍ଶୀଘ୍ର ଗଜପତି ଜିଲ୍ଲାର ସମସ୍ତ ୧୪୯ଟି ପଞ୍ଚାୟତରେ ଆୟୁ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ସହ ସ୍ବତନ୍ତ୍ର କୋଠା ନିର୍ମାଣ କରାଯିବ।
ଜିଲ୍ଲାର ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୬ଟିକୁ ଉନ୍ନୀତ କରାଯିବ ଓ ୨୧ଟି ପ୍ରାଥମିକ ଚିକିତ୍ସାକେନ୍ଦ୍ରକୁ ମଧ୍ୟ ଉନ୍ନୀତ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୫୦ ଶଯ୍ୟା ବିଶିଷ୍ଟ କରାଯିବ ବୋଲି ସେ କହିଛନ୍ତି। ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ ଓ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ମଞ୍ଜୁର କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ବିଭିନ୍ନ ବିଭାଗର ପଦାଧିକାରୀ ଏଥିରେ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ