କଟକ: ଲିଜ୍ ସର୍ତ୍ତ ଉଲ୍ଲଂଘନ କରି ନିର୍ଦ୍ଧାରିତ ପରିମାଣଠାରୁ କମ୍ ଖଣିଜ ଦ୍ରବ୍ୟ ଉତ୍ତୋଳନ ଓ ଉପଯୋଗ କରୁଥିବା ଲିଜ୍ଧାରୀଙ୍କ ଅଡ଼ୁଆ ବଢ଼ିଛି। ଯଦି ଲିଜ୍ ସର୍ତ୍ତ ଅନୁସାରେ ଉପଯୁକ୍ତ ପରିମାଣର ଖଣିଜ ଦ୍ରବ୍ୟ ଉତ୍ତୋଳନ କରିବାରେ ବିଫଳ ହୁଅନ୍ତି ତେବେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖଣିଜର ସର୍ବୋତ୍ତମ ଉପଯୋଗ ପ୍ରସଙ୍ଗ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ମାଲିକାନାରେ ଥିବା ନ୍ୟାସନାଲ୍ ମିନେରାଲ୍ ଡେଭେଲପ୍ମେଣ୍ଟ କର୍ପୋରେସନ୍ (ଏନ୍ଏମ୍ଡିସି) ମାଧ୍ୟମରେ ରାଜ୍ୟ ସରକାର ବୈଧାନିକ ଦାୟିତ୍ବ ସଂପାଦନ କରିବେ। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଟିଜେନ୍ସ ଆକ୍ସନ୍ ଫୋରମ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯେଉଁ ଲିଜ୍ଧାରୀ ସର୍ତ୍ତ ଅନୁସାରେ ଅନୁମତିପ୍ରାପ୍ତ ଉପଯୁକ୍ତ ପରିମାଣର ଖଣିଜ ଦ୍ରବ୍ୟ ଉପଯୋଗ କରିବାରେ ବିଫଳ ହେବେ ସେମାନଙ୍କ ବିରୋଧରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ସଂପୃକ୍ତ ଖଣିରୁ ଏନ୍ଏମ୍ଡିସି ଜରିଆରେ ରାଜ୍ୟ ସରକାର ଉପଯୁକ୍ତ ପରିମାଣର ଖଣିଜଦ୍ରବ୍ୟ ଉତ୍ତୋଳନ କରିବେ। ଏ ବାବଦ ଅର୍ଥ ରାଜ୍ୟ ସରକାର ଲିଜ୍ଧାରୀଙ୍କଠାରୁ ଆଦାୟ କରିବେ।

