ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ବାଧୀନ ଉପା ସରକାର ଅମଳରେ ୨୦୦୫ରେ ଆସିଥିବା ଲୋକପ୍ରିୟ ‘ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ସବୁଦିନ ପାଇଁ ଅସ୍ତିତ୍ବ ହରାଇବ। ଦୁଇ ଦଶନ୍ଧି ଧରି ଦେଶର ଗ୍ରାମୀଣ ପରିବାର ଲାଗି ରୋଜଗାରର ମାଧ୍ୟମ ପାଲଟିଥିବା ଏହି ଯୋଜନାର ନାଁଠାରୁ ଆରମ୍ଭ କରି ରୂପରେଖ ପର୍ଯ୍ୟନ୍ତ ସବୁ କିଛି ବଦଳାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରସ୍ତୁତ ହୋଇଛନ୍ତି। ଯୋଜନା ଅନୁସାରେ ପୁରୁଣା ‘ମନରେଗା’ ଯୋଜନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ। ସେହି ସ୍ଥାନରେ ‘ବିକଶିତ ଭାରତ ନିଶ୍ଚିତ ରୋଜଗାର ଓ ଆଜୀବିକା ମିସନ (ଗ୍ରାମୀଣ) ବିଲ୍, ୨୦୦୫ (ଭିବି-ଜି ରାମ ଜି) ଲାଗୁ କରାଯିବ। ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ଅନୁସାରେ ସେହି ଯୋଜନାକୁ ପ୍ରସ୍ତୁତ କରାଯାଇଛି।‘ମନରେଗା’ରେ ପରିବର୍ତ୍ତନ ହେଉଥିବା ଜଣାପଡ଼ିବା ପରେ ବିରୋଧୀ ଦଳଗୁଡ଼ିକ ମୋଦୀ ସରକାରଙ୍କୁ ଜୋର୍ଦାର ସମାଲୋଚନା କରିଛନ୍ତି। ଏହି ପଦକ୍ଷେପକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ କହିଛି। ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ କିନ୍ତୁ ଯୋଜନାରେ କାହିଁକି ପରିବର୍ତ୍ତନ ଜରୁରୀ ତାହା କହିଛନ୍ତି।

