ଜାତୀୟ

Wife Is Not Property of Husband: ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି, ହାଇକୋର୍ଟଙ୍କ ବଡ଼ ରାୟ, ଆବେଦନକାରୀଙ୍କ ଉପରେ ୫୦ ହଜାର ଜରିମାନା

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ 'ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି'। ବୈବାହିକ ମନୋମାଳିନ୍ୟ ଯୋଗୁଁ ଘର ଛାଡ଼ି ଯାଇଥିବା ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ହେବିଅସ୍ କର୍ପସ ଆବେଦନ କରିଥିବା ସ୍ଵାମୀଙ୍କ ଉପରେ କୋର୍ଟ ୫୦,୦୦୦ ଟଙ୍କା ଜରିମାନା କରିଛନ୍ତି।

ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଏବଂ ପ୍ରତିପକ୍ଷଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଅଦାଲତର ପ୍ରକ୍ରିୟାକୁ ଅସ୍ତ୍ର ଭାବେ ବ୍ୟବହାର କରିବା ଘଟଣାକୁ ନେଇ ଓଡ଼ିଶା ହାଇକୋର୍ଟ କଡ଼ା ମନୋଭାବ ପ୍ରଦର୍ଶନ କରିଛନ୍ତି। ବୈବାହିକ ମନୋମାଳିନ୍ୟ ଯୋଗୁଁ ଘର ଛାଡ଼ିଥିବା ପତ୍ନୀଙ୍କୁ ଫେରାଇ ଆଣିବା ଲାଗି ଜଣେ ସ୍ୱାମୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ‘ହେବିଅସ୍ କର୍ପସ’ ଆବେଦନକୁ ଖାରଜ କରିବା ସହ କୋର୍ଟ ଆବେଦନକାରୀଙ୍କ ଉପରେ ୫୦,୦୦୦ ଟଙ୍କାର ଜରିମାନା ଲାଗୁ କରିଛନ୍ତି।

୧. ମାମଲାର ପୃଷ୍ଠଭୂମି

ଆବେଦନକାରୀ ଲକ୍ଷ୍ମୀଧର ପାତ୍ର ନିଜ ପତ୍ନୀଙ୍କୁ ଖୋଜି ଆଣିବା ପାଇଁ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ। ଶୁଣାଣି ସମୟରେ କୋର୍ଟ ଜାଣିବାକୁ ପାଇଲେ ଯେ, ଦାମ୍ପତ୍ୟ କଳହ ଯୋଗୁଁ ପତ୍ନୀ ନିଜ ଇଚ୍ଛାରେ ଘର ଛାଡ଼ି ଚାଲିଯାଇଛନ୍ତି। ଏହାକୁ ଅପହରଣ ମାମଲାର ରୂପ ଦେଇ କୋର୍ଟରେ ହେବିଅସ୍ କର୍ପସ ଦାୟର କରାଯାଇଥିଲା।

୨. ହାଇକୋର୍ଟଙ୍କ ମତ

ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ସ୍ପଷ୍ଟ ଭାବେ କହିଛନ୍ତି, ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି” ପତ୍ନୀ ଜଣେ ସାବାଳିକା ଏବଂ ସେ ନିଜ ଜୀବନ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସ୍ୱାଧୀନ। ତାଙ୍କୁ ସ୍ୱାମୀଙ୍କ ସମ୍ପତ୍ତି ଭାବେ ବିଚାର କରାଯାଇ ପାରିବ ନାହିଁ। ଘର ଛାଡ଼ି ଯିବା ଏବଂ ଅପହରଣ ମଧ୍ୟରେ ବଡ଼ ଫରକ ରହିଛି। ସ୍ୱାମୀଙ୍କ ସହ ନ ରହିବାକୁ ଚାହୁଁଥିବା ପତ୍ନୀଙ୍କୁ କୋର୍ଟ କିମ୍ବା ସ୍ୱାମୀଙ୍କ ଘରେ ହାଜର ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ।

୩. ଜରିମାନା ଓ ନିର୍ଦ୍ଦେଶ

କୋର୍ଟ ମତ ଦେଇଛନ୍ତି ଯେ, ଆବେଦନକାରୀ ସଠିକ୍ ଉଦ୍ଦେଶ୍ୟରେ ଅଦାଲତକୁ ଆସି ନଥିଲେ, ବରଂ ଅଦାଲତର ସମୟ ନଷ୍ଟ କରିବା ସହ ସମ୍ବିଧାନର ନିୟମର ଅପବ୍ୟବହାର କରିଛନ୍ତି। ଏଥିପାଇଁ ତାଙ୍କ ଉପରେ ୫୦,୦୦୦ ଟଙ୍କାର ଜରିମାନା ଲାଗୁ କରାଯାଇଛି। ଏହାକୁ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ଆଇନସେବା ପ୍ରାଧିକରଣରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅର୍ଥକୁ Welfare of juvenile delinquents କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଏହି ରାୟ ଏଭଳି ସ୍ୱାମୀମାନଙ୍କ ପାଇଁ ଏକ କଡ଼ା ଚେତାବନୀ, ଯେଉଁମାନେ ବ୍ୟକ୍ତିଗତ ପାରିବାରିକ ସମସ୍ୟା ପାଇଁ ଅଦାଲତର ହେବିଅସ୍ କର୍ପସ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାର ଅପବ୍ୟବହାର କରିଥାନ୍ତି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button