POK: ପିଓକେକୁ ନର୍କ କରିଛି ପାକିସ୍ତାନ: ଜାତିସଂଘକୁ ଚିଠି ଲେଖିଲେ ବ୍ରିଟେନ ସାଂସଦ
ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଜନସାଧାରଣଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ଏବଂ ନର୍କ ସଦୃଶ ହୋଇପଡ଼ିଛି ବୋଲି ବ୍ରିଟେନର ସାଂସଦମାନେ ଅଭିଯୋଗ କରିଛନ୍ତି।

ଲଣ୍ଡନ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଜନସାଧାରଣଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ଏବଂ ନର୍କ ସଦୃଶ ହୋଇପଡ଼ିଛି ବୋଲି ବ୍ରିଟେନର ସାଂସଦମାନେ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରେ ପାକିସ୍ତାନ ସରକାର ଏବଂ ପୁଲିସ ପ୍ରଶାସନ ଦ୍ୱାରା ବ୍ୟାପକ ଭାବେ ମାନବାଧିକାର ଉଲ୍ଲଂଘନ କରାଯାଉଥିବାରୁ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ବ୍ରିଟେନର ସାଂସଦମାନେ ଜାତିସଂଘର ମହାସଚିବଙ୍କୁ ଏକ ପତ୍ର ଲେଖି ଦାବି କରିଛନ୍ତି। ବ୍ରିଟେନ ସଂସଦର ଅଲ୍ ପାର୍ଟି ପାର୍ଲାମେଣ୍ଟାରି ଗ୍ରୁପ୍ (ଏପିପିଜି)ର କାଶ୍ମୀର ସମ୍ପର୍କିତ କମିଟି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପିଓକେରେ ବିରୋଧ ପ୍ରଦର୍ଶନ କରୁଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀ, ସ୍ଥାନୀୟ ଜନତା ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ପାକିସ୍ତାନୀ ସୁରକ୍ଷା ବାହିନୀର ବର୍ବର କାର୍ଯ୍ୟାନୁଷ୍ଠାନକୁ ବ୍ରିଟିଶ ସାଂସଦମାନେ ତୀବ୍ର ନିନ୍ଦା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ଲେଖାଯାଇଥିବା ଏହି ପତ୍ରରେ ପିଓକେର ବର୍ତ୍ତମାନର ସ୍ଥିତିକୁ ସବିଶେଷ ଭାବେ ଉପସ୍ଥାପନ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ନିକଟ ଅତୀତରେ ଜମ୍ମୁ-କାଶ୍ମୀର ଜଏଣ୍ଟ ଆୱାମୀ ଆକ୍ସନ କମିଟି (ଜେକେଜେଏଏସି) ପକ୍ଷରୁ ହୋଇଥିବା ଆନ୍ଦୋଳନକୁ ଦମନ କରିବା ପାଇଁ ପାକିସ୍ତାନ ସରକାର ଅମାନୁଷିକ ବଳପ୍ରୟୋଗ କରିଛି। ଏହି ସଂଗଠନର କର୍ମକର୍ତ୍ତା ଏବଂ ନେତାମାନଙ୍କୁ ବେଆଇନ ଭାବେ ଗିରଫ କରି ଜେଲ୍ରେ ରଖାଯାଇଛି। ଏହା ସହିତ ସେହି ଅଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ଗଣମାଧ୍ୟମର ସ୍ୱାଧୀନତାକୁ କ୍ଷୁଣ୍ଣ କରାଯାଇଛି ଏବଂ ସାମ୍ବାଦିକମାନଙ୍କୁ ସେମାନଙ୍କର ବୃତ୍ତିଗତ କାର୍ଯ୍ୟ କରିବାକୁ ଦିଆଯାଉନାହିଁ। ଏହା ଅନ୍ତର୍ଜାତୀୟ ମାନବାଧିକାର ଆଇନର ଖୋଲାଖୋଲି ଉଲ୍ଲଂଘନ ବୋଲି ବ୍ରିଟେନର ସାଂସଦମାନେ ଦର୍ଶାଇଛନ୍ତି।
ସାଂସଦମାନେ ଜାତିସଂଘ ନିକଟରେ ଦାବି କରିଛନ୍ତି ଯେ, ପିଓକେରେ ବେଆଇନ ଭାବେ ବନ୍ଦୀ ଥିବା ସମସ୍ତ ସାମାଜିକ ଓ ରାଜନୈତିକ କର୍ମୀଙ୍କୁ ପାକିସ୍ତାନୀ ପ୍ରଶାସନ ତୁରନ୍ତ ମୁକ୍ତ କରୁ। ଏଥିସହିତ ସେଠାରେ ଗଣମାଧ୍ୟମ ଉପରୁ ସମସ୍ତ ପ୍ରକାରର କଟକଣା ହଟାଇବା ସହ ସାମ୍ବାଦିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦିଆଯାଉ। ପିଓକେରେ ଇଣ୍ଟରନେଟ୍ ସେବା ବନ୍ଦ କରିବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ସ୍ୱରକୁ ଚାପିଦେବା ପାଇଁ ପାକିସ୍ତାନ ଯେଉଁ ଅଭିଯାନ ଚଳାଇଛି, ତାହାକୁ ରୋକିବା ପାଇଁ ଜାତିସଂଘ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ପଠାଇ ସ୍ଥିତି ଅନୁଧ୍ୟାନ କରୁ ବୋଲି ଏହି ପତ୍ରରେ ଉଲ୍ଲେଖ କରାଯାଇଛି। ସରକାରଙ୍କ ଏଭଳି ଦମନମୂଳକ ନୀତି ଯୋଗୁଁ ସମଗ୍ର ଅଂଚଳ ଏକ ଜେଲ୍ଖାନାରେ ପରିଣତ ହୋଇଛି ବୋଲି ବ୍ରିଟିଶ ସାଂସଦମାନେ ମତବ୍ୟକ୍ତ କରିଛନ୍ତି।
ସୌଜନ୍ୟ ସମ୍ବାଦ




