ଦେଶ ବିଦେଶ

Tamilnadu: କୋଲାଥୁରରେ ଟିଭିକେ ବିଧାୟକଙ୍କ ବିଜୟ ରଦ୍ଦ ଦାବି: ଷ୍ଟାଲିନଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ

୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ କୋଲାଥୁର ଆସନରୁ ତାମିଲଗା ଭେଟ୍ରି କଝଗମ୍‌ (ଟିଭିକେ) ବିଧାୟକ ଭିଏସ୍‌ ବାବୁଙ୍କ ବିଜୟକୁ ରଦ୍ଦ କରିବା ଦାବିରେ ଡିଏମ୍‌କେ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଦାଖଲ କରିଥିବା ରିଟ୍‌ ଆବେଦନ ଉପରେ ସୋମବାର ମାଡ୍ରାସ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି

ଚେନ୍ନାଇ: ୨୦୨୬ ତାମିଲନାଡୁବିଧାନସଭା ନିର୍ବାଚନରେ କୋଲାଥୁର ଆସନରୁ ତାମିଲଗା ଭେଟ୍ରି କଝଗମ୍‌ (ଟିଭିକେ) ବିଧାୟକ ଭିଏସ୍‌ ବାବୁଙ୍କ ବିଜୟକୁ ରଦ୍ଦ କରିବା ଦାବିରେ ଡିଏମ୍‌କେ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଦାଖଲ କରିଥିବା ରିଟ୍‌ ଆବେଦନ ଉପରେ ସୋମବାର ମାଡ୍ରାସ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଇଭିଏମ୍‌ର ବିଭିନ୍ନ ଯାଞ୍ଚ ସମୟରେ ତ୍ରୁଟି, ମେଳ ନ ଖାଇବା ଓ ଅସଙ୍ଗତି ଦେଖାଦେଇଥିବା ଦର୍ଶାଇ ଷ୍ଟାଲିନ୍‌ ଏହି ଆବେଦନ କରିଥିଲେ।

ମୁଖ୍ୟ ବିଚାରପତି ସୁଶ୍ରୁତ ଅରବିନ୍ଦ ଧର୍ମାଧିକାରୀ ଓ ବିଚାରପତି ଜି. ଅରୁଲ ମୁରୁଗାନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ଷ୍ଟାଲିନ୍‌ଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ୍‌ ମାମଲା ପରିଚାଳନା କରିଥିବା ବେଳେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବରିଷ୍ଠ ଓକିଲ ଜି. ରାଜଗୋପାଳନ୍‌ ଓ ଦାମା ଶେଷାଦ୍ରି ନାଇଡୁ ଯୁକ୍ତି ରଖିଥିଲେ।

ଷ୍ଟାଲିନ୍‌ଙ୍କ ଆବେଦନରେ କୋଲାଥୁର ନିର୍ବାଚନମଣ୍ଡଳୀରେ ବ୍ୟବହୃତ ସମସ୍ତ ୨୮୬ଟି ଇଭିଏମ୍‌ର ଯାଞ୍ଚ ଓ ଭିଭିପାଟ୍‌ର ଶତପ୍ରତିଶତ ଗଣନା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି। ସିବଲ୍‌ କହିଥିଲେ, ଷ୍ଟାଲିନ୍‌ ମେ ୭ ତାରିଖରେ ଇଭିଏମ୍‌ର ନିର୍ବାଚନ ପରବର୍ତ୍ତୀ ଯାଞ୍ଚ ପାଇଁ ଆବେଦନ କରିଥିଲେ। କିନ୍ତୁ ନିର୍ବାଚନ ଆୟୋଗ ୪୫ ଦିନ ବିଳମ୍ବ ପରେ ଜୁଲାଇ ୨୯ରୁ ଯାଞ୍ଚ ଆରମ୍ଭ କରିଥିଲେ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୋଟିଏ ନିର୍ବାଚନମଣ୍ଡଳୀର ୫ ପ୍ରତିଶତ ଇଭିଏମ୍‌ର ଯାଞ୍ଚ ହେବା କଥା ବୋଲି ସିବଲ୍‌ କହିଥିଲେ। କୋଲାଥୁରରେ ୧୪ଟି ଇଭିଏମ୍‌ ଯାଞ୍ଚ ପାଇଁ ଚୟନ ହୋଇଥିଲା। ସେଥିରୁ ପ୍ରଥମ ଚାରିଟି ମେସିନ୍‌ ମଧ୍ୟରୁ ୩ଟି କାମ କରିନଥିଲା। ପରେ ଆଉ ୪ଟି ମେସିନ୍‌ ଚୟନ ହୋଇଥିବା ବେଳେ ସେଥିରୁ ଗୋଟିଏ ମଧ୍ୟ ଅଚଳ ଥିଲା ବୋଲି ସେ କହିଥିଲେ।

ଏହାସହ ୨୦୮ ନମ୍ବର ମତଦାନ କେନ୍ଦ୍ରରେ ବାଲଟ୍‌ ୟୁନିଟ୍‌ ଚିହ୍ନଟ ହୋଇନଥିବାରୁ କଣ୍ଟ୍ରୋଲ୍‌ ୟୁନିଟ୍‌ରେ ଷ୍ଟାଲିନ୍‌ଙ୍କ ନାମ ଚିହ୍ନଟ ହୋଇନଥିଲା ବୋଲି ସିବଲ୍‌ ଅଦାଲତଙ୍କୁ ଜଣାଇଥିଲେ। ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ନିର୍ବାଚନ ଆୟୋଗ ପକ୍ଷରୁ ରାଜଗୋପାଳନ୍‌ ଓ ନାଇଡୁ ଯୁକ୍ତି ଦେଇଥିଲେ ଯେ, ଏପରି ମାମଲା ପାଇଁ ଜନପ୍ରତିନିଧିତ୍ୱ ଆଇନର ଧାରା ୮୦ ଅନୁସାରେ ନିର୍ବାଚନୀ ଆବେଦନ ହିଁ ଉପଯୁକ୍ତ ମାଧ୍ୟମ। ସମ୍ବିଧାନର ଅନୁଚ୍ଛେଦ ୩୨୯(ବି) ଅନୁସାରେ ରିଟ୍‌ ଆବେଦନ ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଥିଲେ। ଏପରି ଆବେଦନକୁ ଅନୁମତି ମିଳିଲେ ଭବିଷ୍ୟତରେ ଅନେକ ସମାନ ମାମଲା ଆସିବ ବୋଲି ମଧ୍ୟ ସେମାନେ ଯୁକ୍ତି ଦେଇଥିଲେ। ଷ୍ଟାଲିନ୍‌ ତାଙ୍କ ଆବେଦନରେ ବାବୁଙ୍କ ବିଜୟକୁ ଅବୈଧ ଘୋଷଣା କରି ନିଜକୁ ନିର୍ବାଚିତ ଘୋଷଣା କରିବାକୁ ମଧ୍ୟ ଦାବି କରିଛନ୍ତି। ଏହାଛଡ଼ା ଇଭିଏମ୍‌ର ୫ ପ୍ରତିଶତ ଯାଞ୍ଚ ସମ୍ପର୍କିତ ନିର୍ବାଚନ ଆୟୋଗର ମାନକ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସେ ଦାଖଲ କରିଥିବା ଅନ୍ୟ ଏକ ଆବେଦନ ପ୍ରତ୍ୟାହାର କରିଛନ୍ତି। ଏନେଇ ନୂଆ ଆବେଦନ କରିବାକୁ ହାଇକୋର୍ଟ ତାଙ୍କୁ ସ୍ୱାଧୀନତା ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button