Neglect: ସୁଗାମାହା ଗାଁର ରୋଗୀଙ୍କୁ ଦୋଳା, ଚାଷୀଙ୍କୁ ଭାର ଭରସା

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଦେଶ ସ୍ବାଧୀନତାର ୭୯ବର୍ଷ ପରେ ମଧ୍ୟ ରାସ୍ତା ନଥିବା ଗାଁ ହେଉଛି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଳକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତର ସୁଗାମାହା ଗ୍ରାମ। ରାସ୍ତା ନଥିବା ଗାଁକୁ ଦେଖିଲେ କନ୍ଧମାଳ ଜିଲ୍ଲାର ବିକାଶ କିଭଳି ହୋଇଛି ତାହା ଅନୁମାନ କରିହେବ। ସରକାର ଗାଁର ଉନ୍ନତି ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। ତଥାପି ଆଜି ଏହି ଭଳି କିଛି ଗାଁ ଅଛି ଯେଉଁଠିକୁ ରାସ୍ତା ନାହିଁ। ଏହିଭଳି ଏକ ଗାଁ ଅଛି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ.ଉଦୟଗିରି ବ୍ଳକର ଗ୍ରେସିଙ୍ଗିଆ ପଞ୍ଚାୟତ ର ୧ନଂ ୱାର୍ଡର ସୁଗାମାହା ଗ୍ରାମ।

ରାଜ୍ୟ ରାଜପଥ ଠାରୁ ତିନି କିମି ଦୂର ଜଙ୍ଗଲ ପାହାଡ଼ ପର୍ବତ ଘେରାରେ ରହିଛି ଏହି ଗାଁ। ଗାଁକୁ ରାସ୍ତା ନାହିଁ। ଚାଲିଚାଲି ଯିବାକୁ ପଡ଼େ। ସୁଗାମାହା ଗ୍ରାମରେ ପ୍ରାୟ ୩୦ପରିବାର ବସବାସ କରୁଛନ୍ତି। ମୋଟ ଜନସଂଖ୍ୟା ପ୍ରାୟ ୨୦୦ହେବ। ସେଇ ଗାଁରେ ପ୍ରାୟ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ସମସ୍ତ ଲୋକ ଚାଷ ଉପରେ ନିର୍ଭରଶୀଳ। ନିଜ ଗାଁକୁ ଲାଗି ଥିବା ଜମିରେ ଧାନ, ହଳଦୀ, କାନ୍ଦୁଲ, ଅଦା, ସୋରିଷ ଚାଷ ସହ ବିନ୍ସ,, ଫୁଲକୋବି, ମଟର, ଟମାଟୋ ଭଳି ପରିବା ଚାଷ କରିବା ସହ ପାଖ ଜଙ୍ଗଲକୁ ଯାଇ ଜଙ୍ଗଲଜାତ ଦ୍ରବ୍ୟ ଯଥା ମହୁଲ, ଆମ୍ବ, ପଣସ, ଶାଳ ପତ୍ର, ଶାଳ ମଞ୍ଜି, ସଂଗ୍ରହ କରି ନିଜ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ସୁଗାମାହା ଗ୍ରାମବାସୀଙ୍କ ଦୁଃଖ ଗାଁକୁ ପକ୍କା ରାସ୍ତାଟିଏ ନାହିଁ।

ନିଜ ଜମିରୁ ଉତ୍ପାଦିତ ଦ୍ରବ୍ୟ ସହରକୁ ଆଣି ବିକ୍ରି କରିବା ନିମନ୍ତେ ବହୁ ସମସ୍ୟାର ସମୁଖୀନ ହେବାକୁ ପଡୁଛି। ରୋଗୀ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ନେବା ନିମନ୍ତେ ଖଟିଆ ଏବଂ ଦୋଳା ହିଁ ଏକ ମାତ୍ର ଭରଷା ନାଁ ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁଛି ନା କୌଣସି ଗାଡି।ମୁଖ୍ୟ ସଡକ ଠାରୁ ସୁଗାମାହା ପର୍ଯ୍ୟନ୍ତ ତିନି କିମି ରାସ୍ତା ବର୍ଷକୁ ଥରେ ଏମଜିଏନଆରଜିଏସ ଯୋଜନାରେ ମାଟି ଖୋଳି ପକା ହେଉଛି ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି।ପୁଣି ବର୍ଷା ହେଲେ ଧୋଇହୋଇଯାଉଛି।

ଆସନ୍ତା ବର୍ଷକୁ ସେଇ ସମାନ ଧାରାରେ ସେଇ ଯୋଜନାରେ ପୁଣି ମାଟିପକା କାମ ପୁଣି ଲକ୍ଷାଧିକ ଟଙ୍କା ଖର୍ଚ୍ଚ। ଏହି ଭଳି ଏକ ନିୟମିତ ଧାରାରେ ଚାଲିଛି ରାସ୍ତା କାର୍ଯ୍ୟ। କାହାର ବି ପକ୍କା ରାସ୍ତା ନିର୍ମାଣ ନିମନ୍ତେ ଆଗ୍ରହ ନାହିଁ।ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ଯାହାକୁ ପଚାରିଲେ କୁହନ୍ତି ସୁଗାମାହା ଗ୍ରାମର ଏହି ରାସ୍ତା ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରି ମୁଖ୍ୟ ସଡ଼କ ଠାରୁ ସୁଦାମାହା ଦେଉ ତେଲିଙ୍ଗିଆ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସାତ କିମି ରାସ୍ତା ନିର୍ମାଣ ନିମନ୍ତେ ପ୍ରସ୍ତାବ ଦିଆଯାଇଛି।କିନ୍ତୁ କୌଣସି ଫଳ ମିଳୁନି। ସମିତିରେ ମଧ୍ୟ ଏହି ରାସ୍ତା ନିର୍ମାଣ ନିମନ୍ତେ ଦାବି କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ କାମ ହୋଇପାରିନି।

ପ୍ରଶ୍ନ ଉଠୁଛି ସ୍ବାଧୀନତାର ୭୯ବର୍ଷ ପରେ ମଧ୍ୟ ନିଜ ଗାଁକୁ ପକ୍କା ରାସ୍ତାଟିଏ ଦେଖିନଥିବା ସୁଗାମାହା ଗ୍ରାମ ବାସୀ ସରକାରଙ୍କ ଡିଜିଟାଲ ନାରାକୁ କିଭଳି ଗ୍ରହଣ କରିବେ? ଚନ୍ଦ୍ରପୃଷ୍ଠରେ ମଣିଷ ଘର ନିର୍ମାଣ କରି ରହିବା ଯୋଜନା କରୁଛି ଏଠି ଭୂପୃଷ୍ଟରେ ସେଇ ମଣିଷ ନିଜ ଗାଁକୁ ଯିବାକୁ ରାସ୍ତାଟିଏ ପାଇଁ ପ୍ରଶାସନ ସରକାରଙ୍କ ପାଖରେ ନେହୁରା ହେଉଛି ହେଲେ ବି କାହାର ନିଦ ଭାଙ୍ଗୁନି। ଦେଶ ଆଗକୁ ବଢୁଛି ନାରା ଦେଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଆଜିବି ଗାଁ ଲୋକ ଜଙ୍ଗଲୀ ଜୀବନଯାପନ କରୁଥିବା ଦେଖୁବାକୁ ମିଳୁଛି। ଆଧୁନିକତା ସ୍ପର୍ଶ କରିନି। ସରକାରୀ ସୁବିଧାରୁ ବଂଚିତ ହୋଇ ଏକ ପ୍ରକାର ଅବହେଳିତ ଅବସ୍ଥା ରେ ଜୀବନଯାପନ କରୁଥିବା ବେଳେ ସରକାରୀ କାଗଜ ପତ୍ରରେ ଚାଲିଛି ବିକାଶ।ପ୍ରକୃତ ବିକାଶ କେବଳ ନାରା ରେ ଏବଂ ସରକାରୀ ନଥିପାତ୍ରରେ ସୀମିତ ହୋଇ ରହିଯାଇଛି।କେନ୍ଦ୍ର ଏବଂ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଥିବା ବେଳେ ବିକାଶ ର ଦିଗ କେଉଁ ଦିଗକୁ ଗତି କରୁଛି ତାର ଜ୍ୱଳନ୍ତ ଉଦାହରଣ ସୁଗାମାହା ଗ୍ରାମ।

 

 

 

ସୌଜନ୍ୟ ସମ୍ବାଦ