Metro services: ମେଟ୍ରୋ ସେବାରେ ବିଶ୍ବରେ ଦ୍ବିତୀୟ ହେବାକୁ ଯାଉଛି ଭାରତ: ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଉଦ୍ଘାଟିତ
୨୦୧୪ ମସିହା ସୁଦ୍ଧା ମେଟ୍ରୋ ସେବା ହାତଗଣତି ରାଜ୍ୟରେ ଚାଲୁଥିଲା ଓ ମାତ୍ର ୨୪୮ କିଲୋମିଟରରେ ଏହି ସେବା ସୀମିତ ଥିଲା। ୨୦୨୬ରେ ମେଟ୍ରୋ ୨୬ଟି ସହରରେ ଚାଲୁଛି ଓ ଏହି ସେବା ୧୦୪୮ କିଲୋମିଟରରେ ପହଞ୍ଚିଛି।

ଭୁବନେଶ୍ବର: ୨୦୧୪ ମସିହା ସୁଦ୍ଧା ମେଟ୍ରୋ ସେବା ହାତଗଣତି ରାଜ୍ୟରେ ଚାଲୁଥିଲା ଓ ମାତ୍ର ୨୪୮ କିଲୋମିଟରରେ ଏହି ସେବା ସୀମିତ ଥିଲା। ୨୦୨୬ରେ ମେଟ୍ରୋ ୨୬ଟି ସହରରେ ଚାଲୁଛି ଓ ଏହି ସେବା ୧୦୪୮ କିଲୋମିଟରରେ ପହଞ୍ଚିଛି। ପ୍ରାୟ ୧.୨ କୋଟି ଲୋକ ଦୈନିକ ମେଟ୍ରୋରେ ଯାତ୍ରା କରୁଛନ୍ତି। ଖୁବ୍ଶୀଘ୍ର ଭାରତ ମେଟ୍ରୋ ସେବାରେ ବିଶ୍ବର ଦ୍ବିତୀୟ ଦେଶ ହେବାକୁ ଯାଉଛି। ମେଟ୍ରୋ ସେବାକୁ ଆଗକୁ ଆହୁରି ବ୍ୟାପକ କରାଯିବା ସହ ୨ହଜାର କିଲୋମିଟରରୁ ଅଧିକ ଅଞ୍ଚଳରେ ଏହି ସେବା ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ତଖୋନ ସାହୁ କହିଛନ୍ତି।
ସହରାଞ୍ଚଳ ପରିବହନ ସେବାକୁ ଗତି ଦେବାକୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇଦିନିଆ ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଆଜିଠାରୁ ମେ-ଫେୟାର ସାଙ୍କ୍ଚୁଆରିଠାରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି, ମହାପ୍ରଭୁ ଓ ମହାନଦୀ ପାଇଁ ଓଡ଼ିଶା ଓ ଛତିଶଗଡ଼ର ସଂପର୍କ ଅତି ଘନିଷ୍ଠ। ମହାନଦୀ ଦୁଇ ରାଜ୍ୟକୁ ଯୋଡୁଛି। ମହାପ୍ରଭୁଙ୍କ ମହାପ୍ରସାଦ ପାଇଁ ଚାଉଳ ବି ଛତିଶଗଡ଼ରୁ ଆସୁଛି। ଶ୍ରୀ ସାହୁ କହିଛନ୍ତି, ଏହି ସମ୍ମିଳନୀ ୧୮ ବର୍ଷ ହେଲାଣି ସହରାଞ୍ଚଳ ପରିବହନ ବିକାଶକୁ ବହୁଗୁଣିତ କରିଛି। ବିକାଶର ଶେଷ ମୁଣ୍ଡରେ ଥିବା ଲୋକଙ୍କୁ ସେବା ଯୋଗାଇଦେବା ସମ୍ମିଳନୀର ପ୍ରମୁଖ ଉଦ୍ଦେଶ୍ୟ। ବିଗତ ୧୦ ବର୍ଷ ଭିତରେ ସହରାଞ୍ଚଳର ରାସ୍ତା, ପାଣି, ବିଜୁଳି, ଗମନାଗମନ ସୁଗମ ହୋଇଛି। ୨୦୧୪ ମସିହା ପୂର୍ବରୁ କେବଳ ବଡ଼ ବଡ଼ ସ୍ବପ୍ନ ଦେଖାଯାଉଥିଲା। ଏବେ ଦେଶର ୧୧୫ଟି ସହରରେ ୧୦ହଜାର ଇ-ବସ୍ ଚାଲୁଛି। ଡିଜିଟାଲ ସେବା ନାଗରିକ ସେବାକୁ ସୁଗମ କରିଛି। ଓଡ଼ିଶାର ଆମ ବସ୍ ସେବା ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି। ଏଭଳି ପଦକ୍ଷେପ ଆର୍ଥିକ ଓ ସାମାଜିକ ପ୍ରଗତିକୁ ସୁଦୃଢ଼ କରିବ।
ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଉଦ୍ଘାଟିତ
ଏବେ ୨୬ ସହରରେ ୧୦୪୮ କିମି ଗଡ଼ୁଛି, ଆଗକୁ ୨ ହଜାର କିମି ଡେଇଁବ
ଆମ ବସ୍ ସେବାରେ ଓଡ଼ିଶା ଦେଶ ପାଇଁ ଉଦାହରଣ
ମହାପ୍ରଭୁ ଓ ମହାନଦୀ ପାଇଁ ଓଡ଼ିଶା-ଛତିଶଗଡ଼ ସଂପର୍କ ଘନିଷ୍ଠ
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସହରାଞ୍ଚଳ ପରିବହନ ବିକାଶ କହିଲେ କେବଳ ଅଧିକ ବସ୍ କିମ୍ବା ଚଉଡ଼ା ରାସ୍ତା ନୁହେଁ, କମ୍ ଖର୍ଚ୍ଚରେ କିଭଳି ଛାତ୍ରଛାତ୍ରୀ ଯାତ୍ରା କରିପାରିବେ, ଠିକ୍ ସମୟରେ କର୍ମଚାରୀ ଅଫିସ୍ରେ ପହଞ୍ଚି ପାରିବେ, ମହିଳାମାନେ ସୁରକ୍ଷିତ ଯାତ୍ରା କରିପାରିବେ ଓ ରୋଗୀ ସୁବିଧାରେ ଡାକ୍ତରଖାନାରେ ପହଞ୍ଚି ପାରିବେ, ତାହା ପ୍ରମୁଖ ଲକ୍ଷ୍ୟ। ରାଜ୍ୟ ସରକାର ବି ପ୍ରଦୂଷଣମୁକ୍ତ ପରିବହନକୁ ଗୁରୁତ୍ବ ଦେଉଛନ୍ତି। ଏହି ଅବସରରେ ମନ୍ତ୍ରୀ ୪ଶହ ଇ-ବସ୍ ତୁରନ୍ତ ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ଯାତ୍ରୀଙ୍କ ସୁରକ୍ଷା ଓ ସୁଖଦ ଯାତ୍ରା ଭଳି ସହର ଗଢ଼ିବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।
ସୌଜନ୍ୟ ସମ୍ବାଦ




