ଦେଶ ବିଦେଶ

Military action against Iran: ପରମାଣୁ ଆଲୋଚନା ବିଫଳ ହେଲେ ଇରାନ ବିରୋଧରେ ହେବ ସାମରିକ କାର୍ଯ୍ୟାନୁଷ୍ଠାନ: ଟ୍ରମ୍ପଙ୍କ ଯୋଜନା

ଯଦି କୂଟନୈତିକ ପ୍ରୟାସ ଏବଂ କୌଣସି ପ୍ରାରମ୍ଭିକ ଲକ୍ଷ୍ୟଭେଦୀ ଆକ୍ରମଣ ତେହେରାନକୁ ଏହାର ପରମାଣୁ କାର୍ଯ୍ୟକ୍ରମ ପରିତ୍ୟାଗ କରିବାକୁ ବାଧ୍ୟ କରିବାରେ ବିଫଳ ହୁଏ, ତେବେ ଆମେରିକା ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବ।

ୱାସିଂଟନ: ଏକ ରିପୋର୍ଟ ଅନୁଯାୟୀ, ଯଦି କୂଟନୈତିକ ପ୍ରୟାସ ଏବଂ କୌଣସି ପ୍ରାରମ୍ଭିକ ଲକ୍ଷ୍ୟଭେଦୀ ଆକ୍ରମଣ ତେହେରାନକୁ ଏହାର ପରମାଣୁ କାର୍ଯ୍ୟକ୍ରମ ପରିତ୍ୟାଗ କରିବାକୁ ବାଧ୍ୟ କରିବାରେ ବିଫଳ ହୁଏ, ତେବେ ଆମେରିକା ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବ ବୋଲି ଡୋନାଲ୍ଡ ଟ୍ରମ୍ପ ବରିଷ୍ଠ ପରାମର୍ଶଦାତାମାନଙ୍କୁ କହିଛନ୍ତି। ୱାସିଂଟନ ଓ ତେହେରାନ ମଧ୍ୟରେ ପରମାଣୁ ଆଲୋଚନା ଜାରି ରହିଥିବା ବେଳେ ଏହି ରିପୋର୍ଟ ଆସିଛି। ଉଭୟ ପକ୍ଷ ଆଉ ଏକ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତ ହେଉଛନ୍ତି।

ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଟ୍ରମ୍ପ ଆଗାମୀ ଦିନରେ ଆମେରିକାର ଦୃଢ଼ ସଂକଳ୍ପ ପ୍ରଦର୍ଶନ କରି ଇରାନ ନେତୃତ୍ୱକୁ ପରମାଣୁ ଅସ୍ତ୍ର ବିକଶିତ କରିବା କାର୍ଯ୍ୟ ବନ୍ଦ କରିବା ପାଇଁ ଏକ ପ୍ରାରମ୍ଭିକ ସୀମିତ ସାମରିକ ଆକ୍ରମଣକୁ ଅନୁମତି ଦେବା ପାଇଁ ଚିନ୍ତା କରୁଛନ୍ତି।

ଆମେରିକା ଯଦି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ସମ୍ଭାବ୍ୟ ଟାର୍ଗେଟରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି)ର ମୁଖ୍ୟାଳୟ, ପରମାଣୁ ପ୍ରତିଷ୍ଠାନ ତଥା ଦେଶର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସ୍ଥଳ ରହିବ ବୋଲି ଆମେରିକା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି।

ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ

ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ରିପୋର୍ଟରେ କୁହାଯାଇଛି ଯେ, ଟ୍ରମ୍ପ ପରାମର୍ଶଦାତାମାନଙ୍କୁ ସୂଚିତ କରିଛନ୍ତି ଯଦି ଏପରି ଆକ୍ରମଣ କିମ୍ବା କୂଟନୈତିକ ଚାପ ବିଫଳ ହୁଏ, ତେବେ ସେ ଚଳିତ ବର୍ଷ ଶେଷ ଆଡ଼କୁ ଏକ ବହୁତ ବଡ଼ ସାମରିକ ଆକ୍ରମଣ ବିଷୟରେ ବିଚାର କରିବେ। ଅଧିକାରୀମାନେ କହିଛନ୍ତି, ଏହି ବିକଳ୍ପର ଉଦ୍ଦେଶ୍ୟ ହେଉଛି ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ସମେତ ଇରାନର ନେତୃତ୍ୱକୁ କ୍ଷମତାରୁ ବିତାଡ଼ିତ କରିବା । ସାମରିକ ବିକଳ୍ପଗୁଡ଼ିକ ଉପରେ ଆଲୋଚନା ହେଉଥିଲେ ମଧ୍ୟ, ଆମେରିକା ଓ ଇରାନ ଗୁରୁବାର ଜେନେଭାରେ ଓମାନର ବୈଦେଶିକ ମନ୍ତ୍ରୀ ବଦର ଆଲବୁସାଇଦିଙ୍କ ମଧ୍ୟସ୍ଥତାରେ ତୃତୀୟ ପର୍ଯ୍ୟାୟ ପରମାଣୁ ଆଲୋଚନା କରିବାକୁ ଯାଉଛନ୍ତି। ଆଲବୁସାଇଦି କହିଛନ୍ତି, ଆଲୋଚନା ମାଧ୍ୟମରେ ଚୁକ୍ତି ଚୂଡ଼ାନ୍ତ କରିବା ପାଇଁ ଏକ ସକାରାତ୍ମକ ପ୍ରୟାସ କରାଯାଉଛି। ଏହା ସହିତ ଆମେ ଆଗକୁ ବଢୁଛି। ବୃଦ୍ଧି ପାଉଥିବା ଉତ୍ତେଜନା ସତ୍ତ୍ୱେ ଜାରି ରହିଥିବା କୂଟନୈତିକ ସମ୍ପର୍କକୁ ଏହା ପ୍ରତିଫଳିତ କରୁଛି।

ଇତିମଧ୍ୟରେ ଆମେରିକା ମଧ୍ୟପ୍ରାଚ୍ୟରେ ନିଜର ସାମରିକ ଉପସ୍ଥିତିକୁ ବିସ୍ତାର କରିଛି। ଟ୍ରମ୍ପ ଚେତାବନୀ ଦେଇଛନ୍ତି, ଯଦି ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଦୀର୍ଘକାଳୀନ ବିବାଦର ସମାଧାନ ପାଇଁ ଏକ ଚୁକ୍ତି ନହୁଏ ତେବେ ଆଗାମୀ ଦିନରେ ଖରାପ ଘଟଣା ଘଟିବ। ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ କହିଥିଲେ ଯେ, ସାମ୍ପ୍ରତିକ ଆଲୋଚନା ଉତ୍ସାହଜନକ ସଙ୍କେତ ଦେଇଛି। ଯେକୌଣସି ସମ୍ଭାବ୍ୟ ପରିସ୍ଥିତି ପାଇଁ ତେହେରାନର ପ୍ରସ୍ତୁତି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଆମେରିକାର ପରମାଣୁ ଆଲୋଚନାର ନେତୃତ୍ୱ ନେଉଥିବା ଟ୍ରମ୍ପଙ୍କ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ କହିଛନ୍ତି ଯେ, ଚାପ ସତ୍ତ୍ବେ ଇରାନ ମୁଣ୍ଡ ନୋଇବାକୁ ମନା କରିବା ରାଷ୍ଟ୍ରପତିଙ୍କୁ ବିସ୍ମିତ କରିଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଆମେ କାହିଁକି ଆତ୍ମସମର୍ପଣ କରୁନାହୁଁ ତାହା ଜାଣିବାକୁ ଯଦି ଉତ୍ସୁକ ତେବେ ମନେରଖ ଏହାର ମୁଖ୍ୟ କାରଣ ଆମେ ଇରାନୀ। ତେହେରାନ ନିଜର ପରମାଣୁ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ବୋଲି ଦାବି କରୁଛି ତଥା ପରମାଣୁ ଅସ୍ତ୍ର ବିକଶିତ ଅଭିଯୋଗକୁ ବାରମ୍ବାର ଅସ୍ୱୀକାର କରିଆସୁଛି।
ଇରାନ ନୂତନ ବିକଳ୍ପ ବିଷୟରେ ବିଚାର କରୁଛି। ନିଜର ଅତ୍ୟଧିକ ସମୃଦ୍ଧ ୟୁରାନିୟମ ଭଣ୍ଡାରର ଅଧା ବିଦେଶକୁ ପଠାଇବା ସହିତ ଅବଶିଷ୍ଟକୁ ହ୍ରାସ କରିବା ଯୋଜନା ଅନ୍ତର୍ଭୁକ୍ତ ରହିଛି। ଯଦି ଆର୍ଥିକ ପ୍ରତିବନ୍ଧକ ହଟାଯାଏ ଓ ଶାନ୍ତିପୂର୍ଣ୍ଣ ପରମାଣୁ ସମୃଦ୍ଧିର ଅଧିକାରକୁ ସ୍ୱୀକୃତି ଦିଆଯାଏ ତେବେ ବିକଳ୍ପଗୁଡ଼ିକ ଉପରେ ବିଚାର କରିବାକୁ ଇରାନ କହୁଛି।। ୱାସିଂଟନ ଇରାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଓ ଆଞ୍ଚଳିକ ସଶସ୍ତ୍ର ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିବା ପାଇଁ ବ୍ୟାପକ ଆଲୋଚନା ଚାହୁଁଛି,। ଏହି ଦାବିକୁ ତେହେରାନ ସାର୍ବଜନୀନ ଭାବରେ ପ୍ରତ୍ୟାଖ୍ୟାନ କରିଛି।

ଉଭୟ ପକ୍ଷ ଏନେଇ ଏବେ ବି ଭିନ୍ନ ମତ ରଖିଛନ୍ତି

ଆଉ ଏକ ପ୍ରମୁଖ ପ୍ରତିବନ୍ଧକ ହେଉଛି ଆମେରିକାର ପ୍ରତିବନ୍ଧକ ଉଠାଇବାର ପରିସର ଓ ବ୍ୟବସ୍ଥା। ଉଭୟ ପକ୍ଷ ଏନେଇ ଏବେ ବି ଭିନ୍ନ ମତ ରଖିଛନ୍ତି। ୱିଟକଫ୍ ଚେତାବନୀ ଦେଇଛନ୍ତି, ଇରାନର ୟୁରାନିୟମ ସମୃଦ୍ଧି ସ୍ତର ପ୍ରାୟ ୬୦ ପ୍ରତିଶତ ଶୁଦ୍ଧତାରେ ପହଞ୍ଚିଛି। ସେ କହିଛନ୍ତି ଇରାନ ଆଣବିକ ବୋମା ତିଆରି ସାମଗ୍ରୀ ପାଇବାଠାରୁ ସମ୍ଭବତଃ କିଛି ଦୂରରେ ଅଛି। ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ସେ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button