Mining: ଲିଜ୍ ସର୍ତ୍ତ କ୍ଷମତାରୁ କମ୍ ଖଣିଜଦ୍ରବ୍ୟ ଉତ୍ତୋଳନ ପ୍ରସଙ୍ଗ: ୩ ମାସ ଭିତରେ ନିୟମ ପାଳନ କର
ଯଦି ଲିଜ୍ ସର୍ତ୍ତ ଅନୁସାରେ ଉପଯୁକ୍ତ ପରିମାଣର ଖଣିଜ ଦ୍ରବ୍ୟ ଉତ୍ତୋଳନ କରିବାରେ ଲିଜ୍ଧାରୀ ବିଫଳ ହୁଅନ୍ତି ତେବେ ରାଜ୍ୟ ସରକାର ୨୦୧୬ର ମିନେରାଲ୍ କନସେସନ୍ ନିୟମାବଳୀର ନିୟମ ୧୨(୧)(ଇଇ)କୁ କଡ଼ାକଡ଼ି ପାଳନ କରିବା....

କଟକ: ଯଦି ଲିଜ୍ ସର୍ତ୍ତ ଅନୁସାରେ ଉପଯୁକ୍ତ ପରିମାଣର ଖଣିଜ ଦ୍ରବ୍ୟ ଉତ୍ତୋଳନ କରିବାରେ ଲିଜ୍ଧାରୀ ବିଫଳ ହୁଅନ୍ତି ତେବେ ରାଜ୍ୟ ସରକାର ୨୦୧୬ର ମିନେରାଲ୍ କନସେସନ୍ ନିୟମାବଳୀର ନିୟମ ୧୨(୧)(ଇଇ)କୁ କଡ଼ାକଡ଼ି ପାଳନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଲିଜ୍ଧାରୀଙ୍କ ବିଫଳତା କ୍ଷେତ୍ରରେ ଖଣିଜର ସର୍ବୋତ୍ତମ ଉପଯୋଗ ପ୍ରସଙ୍ଗ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ମାଲିକାନାରେ ଥିବା ନ୍ୟାସନାଲ୍ ମିନେରାଲ୍ ଡେଭଲପ୍ମେଣ୍ଟ କର୍ପୋରେସନ୍ (ଏନ୍ଏମ୍ଡିସି) ମାଧ୍ୟମରେ ରାଜ୍ୟ ସରକାର ବୈଧାନିକ ଦାୟିତ୍ବ ସଂପାଦନ କରିବେ ବୋଲି ୨୦୨୬ ଜାନୁଆରି ୨୯ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ରାୟରେ ନିୟମାବଳୀ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇ ନ ଥିବାରୁ ସରକାର ତତ୍ପରତା ପ୍ରକାଶ କରିବା ନେଇ ଆଶଙ୍କା ରହିଛି ବୋଲି ଦର୍ଶାଇ ଆବେଦନକାରୀ ଏକ ଅନ୍ତରୀଣ ଆବେଦନ ଦାୟର କରିଥିଲେ। ଉପରୋକ୍ତ ନିର୍ଦ୍ଦେଶ ୩ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟ କହିବା ସହିତ ଜାନୁଆରି ୨୯ର ରାୟରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଟିଜେନ୍ସ ଆକ୍ସନ ଫୋରମ୍ ପକ୍ଷରୁ ଦାୟର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ତଥ୍ୟ ଓ ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା ଯେ ବହୁ ଲିଜ୍ଧାରୀ ଲିଜ୍ ସର୍ତ୍ତ ପାଳନ କରିବାରେ ବର୍ଷବର୍ଷ ଧରି ବିଫଳ ହୋଇଛନ୍ତି। ନିର୍ଦ୍ଧାରିତ ପରିମାଣଠାରୁ କମ୍ ପରିମାଣର ଖଣିଜଦ୍ରବ୍ୟ ସଂପୃକ୍ତ ଖଣିରୁ ଉତ୍ତୋଳନ କରାଯାଉଥିବାରୁ ଏଥିରେ ରାଜ୍ୟ ସବୁ ଦିଗରୁ କ୍ଷତି ସହୁଛି। ରାଜ୍ୟ ସରକାର ଲିଜ୍ ସର୍ତ୍ତ ଉଲ୍ଲଂଘନ ପାଇଁ ଲିଜ୍ଧାରୀଙ୍କ ଉପରେ ଜରିମାନା ଧାର୍ଯ୍ୟ କରି ନୋଟିସ୍ ପଠାଉଥିଲେ ବି ଅଦାଲତଙ୍କ ଅନ୍ତରୀଣ ନିର୍ଦ୍ଦେଶ ପାଇଁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳରେ ରାଜ୍ୟ ସରକାର ପ୍ରାୟ ୪ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି। ହାଇକୋର୍ଟ ଜାନୁଆରି ୨୯ରେ ମାମଲାର ରାୟ ପ୍ରକାଶ କରିଥିଲେ। ଲିଜ୍ ସର୍ତ୍ତ ଉଲ୍ଲଂଘନ କରି ନିର୍ଦ୍ଧାରିତ ପରିମାଣଠାରୁ କମ୍ ପରିମାଣର ଖଣିଜ ଦ୍ରବ୍ୟ ଉତ୍ତୋଳନ ଓ ଉପଯୋଗ କରୁଥିବା ଲିଜ୍ଧାରୀଙ୍କ ବିରୋଧରେ ରାଜ୍ୟ ସରକାର ନିୟମାବଳୀ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯଦି ଲିଜ୍ଧାରୀ ସର୍ତ୍ତ ଅନୁଯାୟୀ ଅନୁମତିପ୍ରାପ୍ତ ଉପଯୁକ୍ତ ପରିମାଣର ଖଣିଜ ଦ୍ରବ୍ୟ ଉପଯୋଗ କରିବାରେ ବିଫଳ ହେବେ ତେବେ ସଂପୃକ୍ତ ଖଣିରୁ ଏନ୍ଏମ୍ଡିସି ଜରିଆରେ ରାଜ୍ୟ ସରକାର ସେହି ପରିମାଣର ଖଣିଜଦ୍ରବ୍ୟ ଉତ୍ତୋଳନ କରିବେ। ଏ ବାବଦ ଅର୍ଥ ରାଜ୍ୟ ସରକାର ଲିଜ୍ଧାରୀଙ୍କଠାରୁ ଆଦାୟ କରିବେ। ଆବେଦନକାରୀଙ୍କ ତରଫରୁ ମାତୃଗୁପ୍ତ ମିଶ୍ର ଓ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।
ସୌଜନ୍ୟ ସମ୍ବାଦ




