ଭୁବନେଶ୍ବର: ଆଜି ରାତିରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘରୁ ତାଙ୍କ ସହାୟକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ହେଲେ ବଲାଙ୍ଗୀରଜିଲ୍ଲା ବେଲପାହାଡ଼ ଅଞ୍ଚଳର ଶଙ୍କର୍ଷଣ ନାଗ(୪୬)। ତେବେ ତାଙ୍କର କିଭଳି ଓ କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ସନ୍ଦେହ ଘେରରେ ରହିଛି। ବିଦ୍ୟୁତ୍ ଆଘାତରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି। ଏନେଇ କ୍ୟାପିଟାଲ୍ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନା ମୁତାବକ, ଶଙ୍କର୍ଷଣ କିଛିଦିନ ହେବ ଯୋଗାଣ ମନ୍ତ୍ରୀଙ୍କ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ସେ ମନ୍ତ୍ରୀଙ୍କ ପରିବାର ସହ ରହି ଆସୁଥିଲେ। ଆଜି ସକାଳୁ କାମ କରିବା ପାଇଁ ସେ ଏକ ପ୍ରକୋଷ୍ଠକୁ ଯାଇଥିଲେ। ଦିନ ପାଖାପାଖି ୯ଟା ସମୟରେ ଅନ୍ୟ କର୍ମଚାରୀ ସେହି ପ୍ରକୋଷ୍ଠକୁ ଯିବା ବେଳକୁ ଶଙ୍କର୍ଷଣ ସଂଜ୍ଞାହୀନ ଅବସ୍ଥାରେ ତଳେ ପଡ଼ିରହିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କ୍ୟାପିଟାଲ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରେ ପୁଲିସ ମନ୍ତ୍ରୀଙ୍କ କ୍ବାର୍ଟର୍ସକୁ ଯାଇ ତାଙ୍କ ପରିବାରଲୋକଙ୍କ ସହ ଆଲୋଚନା କରିଥିଲା। କେମିତି ଓ କେତେବେଳେ ଶଙ୍କର୍ଷଣଙ୍କ
ମୃତ୍ୟୁ ଘଟିଲା? କେଉଁ କାରଣରୁ ସଂଜ୍ଞାହୀନ ହେଲେ? ସମସ୍ତ ଦିଗକୁ ନେଇ ପଚରାଉଚରା କରିବା ସହ ସେଠାରେ ଉପସ୍ଥିତ କିଛି କର୍ମଚାରୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍ ଆଘାତରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
ସୌଜନ୍ୟ ସମ୍ବାଦ