ଅପରାଧ

Minor boy attacked with knife: ଭୋପାଳରେ ନାବାଳକଙ୍କୁ ଛୁରି ଓ କଟୁରିରେ ଆକ୍ରମଣ କଲେ ସହପାଠୀ, ଅଧ ମିନିଟରେ ୨୭ ଥର ଛୁରାମାଡ଼

କିଶୋର କିଶୋରୀଙ୍କ ମଧ୍ୟରେ କ୍ରୋଧ ଓ ଅପରାଧପ୍ରବଣତା ବଢ଼ିବାରେ ଲାଗିଛି। ସାମାନ୍ୟ କଥାରେ ଉତ୍ତେଜିତ ହୋଇ ଜଣେ ଅନ୍ୟ ଜଣଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ମଧ୍ୟପ୍ରଦେଶର ଭୋପାଳରେ ଏପରି ଏକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି।

ଭୋପାଳ: କିଶୋର କିଶୋରୀଙ୍କ ମଧ୍ୟରେ କ୍ରୋଧ ଓ ଅପରାଧପ୍ରବଣତା ବଢ଼ିବାରେ ଲାଗିଛି। ସାମାନ୍ୟ କଥାରେ ଉତ୍ତେଜିତ ହୋଇ ଜଣେ ଅନ୍ୟ ଜଣଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ମଧ୍ୟପ୍ରଦେଶର ଭୋପାଳରେ ଏପରି ଏକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ଏକ ସ୍ନୁକର କ୍ଲବରେ ଜଣେ ୧୬ ବର୍ଷୀୟ ଦଶମ ଶ୍ରେଣୀର ଛାତ୍ରଙ୍କୁ ତାଙ୍କର ଦୁଇ ସହପାଠୀ ଛୁରି ଓ କଟୁରିରେ ଆକ୍ରମଣ କରିଥିଲେ। ମାତ୍ର ୩୦ ସେକେଣ୍ଡରେ ସେମାନେ ୨୭ ଥର ଆକ୍ରମଣ କରି ଛାତ୍ର ଜଣଙ୍କୁ ଲହୁଲୁହାଣ କରିଦେଇଥିଲେ। ଏପରିକି ନିଜ ସହପାଠୀଙ୍କୁ ଏପରି ନୃଶଂସ ଭାବେ ଆକ୍ରମଣ କରିବାର ସିସିଟିଭି ଫୁ‌ଟେଜ୍‌ ସାମାଜିକ ଗଣମାଧ୍ୟମରେ ସେୟାର କରିବାକୁ ସାହସ କରିଥିଲେ। ନାବାଳକଙ୍କ ଗୋଟିଏ ହାତରେ ୧୦ରୁ ଅଧିକ ଥର ଗଭୀର ଆଘାତ ଲାଗିଛି। ତାଙ୍କ ଅନ୍ୟ ହାତର ଦୁଇଟି ଆଙ୍ଗୁଠି କଟି ଯାଇଥିଲାବେଳେ କାନ୍ଧ ଓ ପିଠିରେ ମଧ୍ୟ ଗମ୍ଭୀର ଆଘାତ ଲାଗିଛି।

କିଛିଦିନ ତଳେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା

ଏତେ ଆଘାତ ଲାଗିବା ସତ୍ତ୍ବେ ନାବାଳକ ସେମାନଙ୍କଠାରୁ ଖସି ଯିବାରେ ସଫଳ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଏବେ ତାଙ୍କର ଚିକିତ୍ସା ଚାଲିଛି। ଅଭିଯୁକ୍ତ ଓ ପୀଡ଼ିତ ଛାତ୍ର ଗୋଟିଏ କୋଚିଂ ସେଣ୍ଟରେ ପଢ଼ୁଥିବାବେଳେ କିଛିଦିନ ତଳେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ବୋଲି ପୁଲିସ କହିଛି। ପୀଡ଼ିତ ଛାତ୍ର ଅଭିଯୁକ୍ତ ଦ୍ବୟଙ୍କୁ ଚାପୁଡ଼ା ମାରିଥିବାରୁ ସେମାନେ ପ୍ରତିଶୋଧ ପରାୟଣ ହୋଇ ଏମିତି ଆକ୍ରମଣ କରିଥିଲେ। ଏହି ଘଟଣା ଫେବ୍ରୁଆରି ୧୫ ତାରିଖ ରାତିରେ ଗଣେଶ ଚୌକଠାରେ ଏକ କ୍ଲବରେ ଘଟିଥିଲା। ତେବେ ଭିଡିଓ ରବିବାର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ସବ୍‌-ଇନ୍ସପେକ୍ଟର ମନିପାଲ ସିଂହ ଭଡୋରିଆ କହିଛନ୍ତି, ଆକ୍ରମଣ ନେଇ ମାମଲା ରୁଜୁ ହୋଇଛି। ତେବେ ଦୁଇ ନାବାଳକଙ୍କୁ ନୋଟିସ୍‌ ଦେଇ ପୁଲିସ ଛାଡ଼ି ଦେଇଛି। ମେଡିକାଲ ରିପୋର୍ଟ ଆସିବା ପରେ ଆଘାତକୁ ଦେଖି ଅଧିକ ଦଫା ଲଗାଯିବ। ଅଭିଯୁକ୍ତ ସେମାନଙ୍କ ଆକ୍ରମଣର ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button