Missing Case: ପୁରୀରେ ହଜିଲେ ମିଳୁନାହାନ୍ତି ମହିଳା ଓ ଶିଶୁ, ୫ ବର୍ଷର ରିପୋର୍ଟ ପଦାରେ ପକାଇଲା ପୁଲିସର ପାରିବାପଣିଆ

ପୁରୀ, ୧୫\୧୦: ପୁରୀରେ ହଜିଗଲେ ମିଳିବା କଷ୍ଟ । ହଜି ଯାଉଥିବା ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ଚିନ୍ତାର କାରଣ ହୋଇଛି । ପୁଲିସ ପାଖରେ ଅଭିଯୋଗ କରିବା ସ୍ବତ୍ତେ ହଜି ଯାଉଥିବା ମହିଳା ଓ ଶିଶୁଙ୍କୁ ଚିହ୍ନଟ ଏବଂ ଉଦ୍ଧାର ପ୍ରକ୍ରିୟା ସଫଳ ହୋଇପାରୁନି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ଗତ ୫ ବର୍ଷର ସରକାରୀ ତଥ୍ୟ ଦେଖିଲେ ପୁଲିସ କେତେ ବିଫଳ ତାହା ସ୍ପଷ୍ଟ ।
ରିପୋର୍ଟ ମୁତାବକ ୨୦୨୧ ମସିହାରେ ପୁରୀରେ ୫୫୯ ଜଣ ମହିଳା ନିଖୋଜ ଥିବା ବେଳେ ୨୦୨୬ ଜୁଲାଇ ଶେଷ ସୁଦ୍ଧା ୪୧୦ଙ୍କୁ ଚିହ୍ନଟ ଓ ଉଦ୍ଧାର କରାଯାଇପାରିଥିଲା । ସେହିପରି ଏହି ବର୍ଷ ୯୮ ଶିଶୁ ନିଖୋଜ ହୋଇଥିବା ବେଳେ ୨୦୨୬ ଜୁଲାଇ ଶେଷ ସୁଦ୍ଧା ୭୫ ଜଣଙ୍କୁ ଚିହ୍ନଟ ଓ ଉଦ୍ଧାର କରାଯାଇପାରିଥିଲା । ୮୪ ଯୁବତୀ ନିଖୋଜ ଥିବା ବେଳେ ୬୫ ଜଣଙ୍କୁ ଉଦ୍ଧାର କରାଯାଇପାରିଥିଲା । ୨୦୨୨ ମସିହାରେ ୭୧୭ ନିଖୋଜ ମହିଳାଙ୍କ ମଧ୍ୟରୁ ୫୮୩ଙ୍କୁ, ୨୫୨ ଜଣ ଶିଶୁଙ୍କ ମଧ୍ୟରୁ ୨୨୧ଙ୍କୁ, ୨୩୮ ଜଣ ଯୁବତୀଙ୍କ ମଧ୍ୟରୁ ୨୦୮ଙ୍କୁ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ଚିହ୍ନଟ ଓ ଉଦ୍ଧାର କରାଯାଇପାରିଥିଲା । ୨୦୨୩ ମସିହାରେ ୪୫୯ ନିଖୋଜ ମହିଳାଙ୍କ ମଧ୍ୟରୁ ୩୦୩ଙ୍କୁ, ୩୫୨ ନିଖୋଜ ଶିଶୁଙ୍କ ମଧ୍ୟରୁ ୩୦୫ଙ୍କୁ ଓ ୩୨୨ ଜଣ ଯୁବତୀଙ୍କ ମଧ୍ୟରୁ ୨୭୯ଙ୍କୁ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ଉଦ୍ଧାର କରାଯାଇପାରିଥିଲା । ୨୦୨୪ରେ ନିଖୋଜ ୬୮୭ ନିଖୋଜ ମହିଳାଙ୍କ ମଧ୍ୟରୁ ୫୪୯ଙ୍କୁ, ୩୮୧ ନିଖୋଜ ଶିଶୁଙ୍କ ମଧ୍ୟରୁ ୨୬୯ଙ୍କୁ, ୩୪୦ ଜଣ ନିଖୋଜ ଯୁବତୀଙ୍କ ମଧ୍ୟରୁ ୨୫୦ଙ୍କୁ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ଚିହ୍ନଟ ଓ ଉଦ୍ଧାର କରାଯାଇପାରିଥିଲା । ୨୦୨୫ରେ ନିଖୋଜ ୮୩୦ ମହିଳାଙ୍କ ମଧ୍ୟରୁ ୪୨୬ ଜଣଙ୍କୁ, ୪୨୯ ନିଖୋଜ ଶିଶୁଙ୍କ ମଧ୍ୟରୁ ୨୯୭ଙ୍କୁ ଓ ୩୭୮ ଜଣ ଯୁବତୀଙ୍କ ମଧ୍ୟରୁ ୨୫୮ଙ୍କୁ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ଉଦ୍ଧାର କରାଯାଇପାରିଛି ।
ସୌଜନ୍ୟ ପ୍ରମେୟ




