ରାଜ୍ୟ

MMDR 2026 controversy ବକେୟା ଖଣି ଟିକସ ଆଦାୟ ହେଲେ ପ୍ରତି ଓଡ଼ିଆଙ୍କୁ ମିଳିବ ୨୨ହଜାର: କଂଗ୍ରେସ

ବକେୟା ଖଣି ଟିକସ ଆଦାୟ ହେଲେ ଓଡ଼ିଶାକୁ ଦେଢ଼ ଲକ୍ଷରୁ ୨ ଲକ୍ଷ କୋଟି ଟଙ୍କା ମିଳିପାରେ ଏବଂ ପ୍ରତି ଓଡ଼ିଆଙ୍କୁ ପ୍ରାୟ ୨୨ ହଜାର ଟଙ୍କା ମିଳିପାରିବ ବୋଲି କଂଗ୍ରେସ ଦାବି କରିଛି।

ଭୁବନେଶ୍ବର:  ଖଣି ଓ ଖଣିଜଜାତ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ(ଏମ୍‌ଏମ୍‌ଡିଆର) ବିଲ୍‌ ଲାଗୁ କରିବା କେନ୍ଦ୍ର ବିଜେପି ସରକାରଙ୍କ ଏକ ସୁଚିନ୍ତିତ ଷଡ଼୍‌ଯନ୍ତ୍ର। ଏହି ବିଲ୍‌ ଲାଗୁ ହେଲେ ଓଡ଼ିଶା ବକେୟା ଟିକସ ବାବଦକୁ ପ୍ରାୟ ଦେଢ଼ ଲକ୍ଷରୁ ୨ଲକ୍ଷ କୋଟି ଟଙ୍କା ସିଧାସଳଖ ହରାଇବ। ଏହି ଟିକସ ଆଦାୟ କରି ସାଢେ ୪କୋଟି ଓଡ଼ିଆଙ୍କ ମଧ୍ୟରେ ଏହି ଅର୍ଥକୁ ବଣ୍ଟାଗଲେ ପ୍ରତ୍ୟେକଙ୍କୁ ୨୨ହଜାର ଟଙ୍କା ଲେଖାଏ ମିଳିବ। ପ୍ରତ୍ୟେକ ପରିବାର ପ୍ରାୟ ଲକ୍ଷେ ଟଙ୍କା ପାଇପାରିବେ ବୋଲି କଂଗ୍ରେସ ଦାବି କରିଛି।

ଆଜି (ସୋମବାର) କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଛନ୍ତି, ଏହି ବିଲ୍‌ ଓଡ଼ିଶାର ସ୍ୱାର୍ଥ ପରିପନ୍ଥୀ। ଏହା ଜାଣି ସୁଦ୍ଧା ଓଡ଼ିଶାର ୨୦ଜଣ ବିଜେପି ସାଂସଦ ବିଲ୍‌କୁ ସମର୍ଥନ କରିଛନ୍ତି। ଏହାଦ୍ବାରା ସେମାନେ ରାଜ୍ୟବାସୀଙ୍କ ପ୍ରତି ପ୍ରତାରଣା କରିଛନ୍ତି। ଏହି ଟଙ୍କାରେ ସ୍କୁଲ, କଲେଜ, ଡାକ୍ତରଖାନା, ପୋଲ ଆଦି ଅନେକ ନିର୍ମାଣ କାର୍ଯ୍ୟ ସମ୍ଭବ ହୋଇଥାନ୍ତା l

କାମଧନ୍ଦା ଅଭାବରେ ବେକାରୀ ଯୁବକ ଅନ୍ୟ ରାଜ୍ୟକୁ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇ ପାରିଥାନ୍ତା। ରାଜ୍ୟ ସରକାର ସୁଭଦ୍ରା ନାମରେ ଭାଣ୍ଡାମୀ କରି ମାତ୍ର ୫ହଜାର ଟଙ୍କା ଦେଇ ନାରୀ ସଶକ୍ତୀକରଣର ମହୁରୀ ଫୁଙ୍କୁଛନ୍ତି। ଅନ୍ୟପଟରେ ରାଜ୍ୟ ଲକ୍ଷ ଲକ୍ଷ କୋଟି ଟଙ୍କା କେନ୍ଦ୍ର ହାତକୁ ଟେକି ଦେଉଛି। ବିଜେପି ଡବଲ ଇଞ୍ଜିନ ସରକାରର ଅସଲ ଚେହେରା ବର୍ତ୍ତମାନ ରାଜ୍ୟବାସୀ ଜାଣି ଗଲେଣି। ରାଜ୍ୟର ବିଜେପି ନେତୃତ୍ବାଧୀନ ସରକାର ରାଜ୍ୟବାସୀଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି। କଂଗ୍ରେସ ଏହାର ପ୍ରତିରୋଧ କରିବ। ଜନତାଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାରଙ୍କୁ ସବୁ ସ୍ତରରେ ଓ ବିଭିନ୍ନ ଉପାୟରେ ବିରୋଧ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ ଓ ଚିନ୍ମୟ ସୁନ୍ଦର ଦାଶ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button