କଟକ: ଯକ୍ଷ୍ମା ରୋଗରେ ଆକ୍ରାନ୍ତ ରୋଗୀଙ୍କ ଛାତିରେ ଅପରେସନ୍ ଆବଶ୍ୟକ ଥିଲେ କାର୍ଡିଓଥୋରାସିକ୍ ଏବଂ ଭାସକୁଲାର୍ ସର୍ଜରି ବିଭାଗ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ସେମାନଙ୍କୁ ଛାତି ରୋଗ ବିଭାଗରୁ ଏହି ବିଭାଗକୁ ସ୍ଥାନାନ୍ତର କରାଯାଉଛି। ଯାହାଫଳରେ କାର୍ଡିଓଥୋରାସିକ୍ ବିଭାଗରେ ସଂକ୍ରମଣ ଆଶଙ୍କା ବଢ଼ିଯାଇଥିଲା। ଏଭଳି ସ୍ଥିତିର ମୁକାବିଲା ପାଇଁ ଛାତି ରୋଗ ବିଭାଗରେ ପ୍ରଥମ ଥର ମଡ୍ୟୁଲାର୍ ଓଟି କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ଥର ପାଇଁ କଟକର ଜଣେ ଯକ୍ଷ୍ମା ରୋଗୀଙ୍କର ଏଠାରେ ଅସ୍ତ୍ରୋପଚାର କରାଯାଇଛି। ଏସ୍ସିବି ମେଡିକାଲ୍ କଲେଜର ଛାତି ରୋଗ ବିଭାଗରେ ପୂର୍ବରୁ ବ୍ରୋଙ୍କୋସ୍କୋପି, ଥୋରାକୋସ୍କୋପି ଓ ଛାତିରୁ ପାଣି ଟଣା ଇତ୍ୟାଦି ଚିକିତ୍ସା କରାଯାଉଥିଲା। କିନ୍ତୁ ଯେଉଁ ଯକ୍ଷ୍ମା ରୋଗୀଙ୍କ ଛାତିର ଅସ୍ତ୍ରୋପଚାର ଆବଶ୍ୟକ ରହୁଥିଲା ସେମାନଙ୍କୁ କାର୍ଡିଓଥୋରାସିକ୍ ଓ ଭାସକୁଲାର୍ ସର୍ଜରି ବିଭାଗକୁ ସ୍ଥାନାନ୍ତର କରାଯାଉଥିଲା। ମାସକୁ ପ୍ରାୟ ୫ଟି ଅସ୍ତ୍ରୋପଚାର ସେଠାରେ ହେଉଥିଲା। କାର୍ଡିଓଥୋରାସିକ୍ ଓ ଭାସକୁଲାର ସର୍ଜରି ବିଭାଗରେ ଯକ୍ଷ୍ମା ରୋଗୀ ଭର୍ତ୍ତି ହେବା ଫଳରେ ସଂକ୍ରମଣର ଭୟ ରହୁଥିଲା। ସେଠାକୁ ଆସୁଥିବା ଅନ୍ୟ ରୋଗୀଙ୍କ ସୁରକ୍ଷା ଚିନ୍ତା ବଢ଼ିଯାଉଥିଲା।
ଖୋଲିଲା ମଡ୍ୟୁଲାର ଓଟି
କାର୍ଡିଓଥୋରାସିକ୍ ଓ ଭାସକୁଲାର୍ ସର୍ଜରି ବିଭାଗକୁ ଆଉ ଯିବେନି
ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ଛାତି ରୋଗ ବିଭାଗରେ ସ୍ବତନ୍ତ୍ର ମଡ୍ୟୁଲାର ଓଟି ପ୍ରସ୍ତୁତ କରାଯାଇଛି। ଜାନୁଆରି ୫ ତାରିଖରେ ଏହି ଓଟିକୁ ଛାତି ରୋଗ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏବେ ପ୍ରଥମ ଅସ୍ତ୍ରୋପଚାର ଏହି ଓଟି ମାଧ୍ୟମରେ କରାଯାଇଛି। କଟକର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ଛାତିରେ ପାଣି ଜମିଥିବାରୁ ନଳୀ ସାହାଯ୍ୟରେ ଛାତିରୁ ପାଣି କାଢ଼ିବାକୁ ଉଦ୍ୟମ କରାଯାଇଥିଲା। ପାଣି ଜମାଟ ବାନ୍ଧିବାରୁ ଶ୍ବାସକ୍ରିୟାରେ ସମସ୍ୟା ହେଉଥିଲା। କିନ୍ତୁ ଛାତି ରୋଗ ବିଭାଗରେ ଡାକ୍ତରୀ ଟିମ୍ ସଫଳ ହୋଇପାରିଲେ ନାହିଁ। ଏହି ନୂଆ ମଡ୍ୟୁଲାର ଓଟି ମାଧ୍ୟମରେ କାର୍ଡିଓଥୋରାସିକ୍ ଓ ଭାସକୁଲାର୍ ସର୍ଜରି ବିଭାଗର ବିଭାଗୀୟ ମୁଖ୍ୟଙ୍କ ନେତୃତ୍ବରେ ଗଠନ ହୋଇଥିବା ଏକ ସ୍ବତନ୍ତ୍ର ଟିମ୍ ଦୁଇ ଘଣ୍ଟାର ଅସ୍ତ୍ରୋପଚାର ମାଧ୍ୟମରେ ସଫଳ ହୋଇଛି। ୧୬ଟି ଷ୍ଟିଚ୍ ଛାତିରେ ପଡ଼ିଥିଲା। ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏଣିକି ଛାତି ରୋଗ ବିଭାଗର ଡାକ୍ତରୀ ଛାତ୍ର ବି ଅସ୍ତ୍ରୋପଚାର ଟେବୁଲ୍ରେ ବ୍ୟବହାରିକ ଜ୍ଞାନ ପାଇବା ସହଜ ହୋଇପାରିବ ବୋଲି ବିିଭାଗ ପକ୍ଷରୁ ଆଶା କରାଯାଉଛି। ଏଣିକି ପ୍ରତି ମାସରେ ଛାତି ରୋଗ ବିଭାଗରେ ଦୁଇ ଦିନ ଓଟି କରାଯିବ। ଏହି ଓଟିକୁ କାର୍ଡିଓଥେରାସିକ୍ ଓ ଭାସକୁଲାର୍ ସର୍ଜରି ବିଭାଗର ଡାକ୍ତରୀ ଟିମ୍ ଆସି ଅସ୍ତ୍ରୋପଚାର କରିବା ନେଇ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ କ୍ରମାନ୍ବୟରେ ଥିବା ଯକ୍ଷ୍ମା ରୋଗୀଙ୍କୁ ଅସ୍ତ୍ରୋପଚାର କରାଯିବା ନେଇ ଏସ୍ସିବି ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
ସୌଜନ୍ୟ ସମ୍ବାଦ