ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ସ୍ୱାଭାବିକଠାରୁ କମ୍ ବୃଷ୍ଟିପାତ ବା ”ନିଅଣ୍ଟିଆ” ମୌସୁମୀ ହେବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ସୂଚନା ଅନୁଯାୟୀ, ଚଳିତ ବର୍ଷ ଦୀର୍ଘ ଅବଧି ହାରାହାରିର ମାତ୍ର ୯୦ ପ୍ରତିଶତ ବର୍ଷା ହୋଇପାରେ, ଯାହା ପୂର୍ବ ଆକଳନ (୯୨%) ଠାରୁ କମ୍। ପ୍ରଶାନ୍ତ ମହାସାଗରରେ ”ଏଲ୍ ନିନୋ” ସ୍ଥିତି ସକ୍ରିୟ ହେଉଥିବାରୁ ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଏକ ବାତ୍ୟା ଯୋଗୁଁ ଜଳୀୟବାଷ୍ପ ଦୂରେଇ ଯାଉଥିବାରୁ କେରଳରେ ମୌସୁମୀ ପ୍ରବେଶ ବିଳମ୍ବ ହେଉଛି। ଜୁନ୍ ୧୧ ତାରିଖ ପରେ ହିଁ ବର୍ଷାର ପରିମାଣ ବଢ଼ିବ।
କୃଷି କ୍ଷେତ୍ର ଓ ଜଳଭଣ୍ଡାରଗୁଡ଼ିକ ପାଇଁ ବଢ଼ିଲା ଚିନ୍ତା
ଓଡ଼ିଶା, କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାରତର ଚାଷୋପଯୋଗୀ ଅଞ୍ଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାକୁ ଥିବାରୁ କୃଷି କ୍ଷେତ୍ର, ଜଳଭଣ୍ଡାର ଏବଂ ପାନୀୟ ଜଳ ପାଇଁ ଚିନ୍ତା ବଢ଼ିଛି। ଏହା ସହିତ ଜୁନ୍ ମାସରେ ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର ଓ ଗୁଜରାଟ ସମେତ ୮ଟି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବହିବ ବୋଲି ଚେତାବନୀ ଦିଆଯାଇଛି। ସାଧାରଣ ଦିନ ଅପେକ୍ଷା ଏଥର ପ୍ରାୟ ୩ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳ ସଂରକ୍ଷଣ ଏବଂ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ଆଇଏମଡି ପରାମର୍ଶ ଦେଇଛି।
ସୌଜନ୍ୟ ସମ୍ବାଦ

