ତେଲ ଅଭିଭ୍, ୨୯/୫: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୁରୁବାର ଭାରତର ଜୋରଦାର ପ୍ରଶଂସା କରିଛନ୍ତି। ନେତାନ୍ୟାହୁ କହିଛନ୍ତି, ଭାରତ ଏକ ବଡ଼ ଶକ୍ତି ହୋଇଥିବାବେଳେ ଇସ୍ରାଏଲ ପାଇଁ ‘କ୍ରେଜି ଲଭ୍ (ଖୁବ୍ ଭଲପାଇବା)’ ରହିଛି। ଜୋର୍ଡାନ ଭ୍ୟାଲିରେ ଏକ ନେତୃତ୍ବ କାର୍ଯ୍ୟକ୍ରମରେ ନେତାନ୍ୟାହୁ କହିଛନ୍ତି ଯେ, ସାରା ବିଶ୍ୱରେ ଆମର ବୈଧତାକୁ ଦୁର୍ବଳ କରିବା ପାଇଁ ପ୍ରୟାସ ଚାଲିଛି, କିନ୍ତୁ ଭାରତରେ ଏହା ଆଦୌ ନୁହେଁ।
କହିଲେ, ଇସ୍ରାଏଲ ପାଇଁ ଖୁବ୍ ଭଲପାଇବା ରହିଛି
ଭାରତରେ ଇସ୍ରାଏଲ ପ୍ରତି ଖୁବ୍ ଭଲପାଇବା ରହିଛି, ପ୍ରକୃତରେ ଏହା ପାଗଳ ପ୍ରେମ। ମୁଁ ଭାବୁଛି ବିଶ୍ୱର ଅନ୍ୟ କୌଣସି ସ୍ଥାନ ଅପେକ୍ଷା ଭାରତରେ ମୋର ଅଧିକ ଅନୁଗାମୀ ଅଛନ୍ତି। ଭାରତ ଓ ଇସ୍ରାଏଲ ମଧ୍ୟରେ ପ୍ରତିରକ୍ଷା, କୃଷି, ଜଳ ପରିଚାଳନା, ସ୍ବାସ୍ଥ୍ୟ, ସୁରକ୍ଷା, ବୈଷୟିକ ଜ୍ଞାନ କୌଶଳ ଓ ସାଇବର କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କ ଖୁବ୍ ସୁଦୃଢ଼ ରହିଛି। ନେତାନ୍ୟାହୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଖୁବ୍ ଭଲ ବନ୍ଧୁତା ମଧ୍ୟ ରହିଛି।
ଅନ୍ୟପକ୍ଷରେ ନେତାନ୍ୟାହୁଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ନେତା ଜୟରାମ ରମେଶ ସାମାଜିକ ଗଣମାଧ୍ୟମରେ ‘ଏକ୍ସ’ରେ ମୋଦୀ ଚରମ ନୈତିକ ଭୀରୁତା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି। ଏହା ଭାରତର ମୂଲ୍ୟବୋଧ ପ୍ରତି ‘ବିଶ୍ୱାସଘାତକତା’ ବୋଲି ରମେଶ ଅଭିଯୋଗ କରିଛନ୍ତି।
ସୌଜନ୍ୟ ସମ୍ବାଦ

