Murder: ବିବାହର ୨ ମାସ ପରେ ସ୍ୱାମୀଙ୍କୁ ହତ୍ୟା କଲା ୟୁପି ମହିଳା
ଜାନୁଆରି ୨୬ ତାରିଖରେ ଉତ୍ତରପ୍ରପ୍ରଦେଶ ବରେଲିର ଏକ ଭଡ଼ା ଘରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରି ନାହାନ୍ତି ବରଂ ହତ୍ୟା କରାଯାଇଛି ବୋଲି ଅନୁସନ୍ଧାନରୁ ଜଣାପଡ଼ିବା ପରେ ରବିବାର ବରେଲିର ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି।

ବରେଲି: ଜାନୁଆରି ୨୬ ତାରିଖରେ ଉତ୍ତରପ୍ରପ୍ରଦେଶ ବରେଲିର ଏକ ଭଡ଼ା ଘରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରି ନାହାନ୍ତି ବରଂ ହତ୍ୟା କରାଯାଇଛି ବୋଲି ଅନୁସନ୍ଧାନରୁ ଜଣାପଡ଼ିବା ପରେ ରବିବାର ବରେଲିର ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ପୁଲିସ କହିଛି ଯେ, ଅନଲାଇନ୍ ଜୁଆ ଖେଳରେ ୨୦,୦୦୦ ଟଙ୍କା ହରାଇବା ପରେ ଜିତେନ୍ଦ୍ର ଯାଦବଙ୍କୁ ତାଙ୍କ ପତ୍ନୀ ଗଳା ଚିପି ହତ୍ୟା କରିଥିଲେ। ବିବାହର ମାତ୍ର ୨ ମାସ ପରେ ଏହି ଘଟଣା ଘଟିଥିବା ବେଳେ ତଦନ୍ତକାରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ପତ୍ନୀ ତାଙ୍କ ପରିବାର ସଦସ୍ୟଙ୍କ ସହାୟତାରେ ମୃତଦେହକୁ ଭଡା ଘରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେଇଥିଲେ।
ପ୍ରାଥମିକ ପର୍ଯ୍ୟବେକ୍ଷଣ ଓ ଜିତେନ୍ଦ୍ରଙ୍କ ଭାଇଙ୍କ ଅଭିଯୋଗକୁ ଆଧାର କରି ପ୍ରଥମେ ଏହି ମାମଲା ଆତ୍ମହତ୍ୟା ଭାବରେ ପଞ୍ଜୀକୃତ ହୋଇଥିଲା। ପରେ ପୋଷ୍ଟମର୍ଟମ ପରୀକ୍ଷାରୁ ନିଶ୍ଚିତ ହେବା ପରେ ହତ୍ୟା ମାମଲା ରୁଜୁ କରାଯାଇଥିଲା। ବେକରେ କ୍ଷତରୁ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଫୋରେନସିକ ଅଧିକାରୀମାନେ କହିଥିଲେ। ଫୋରେନସିକ୍ ପ୍ରମାଣ ଦର୍ଶାଇଲା ଯେ ଶରୀରର ସ୍ଥିତି, ଷ୍ଟୁଲର ସ୍ଥାନ ଓ ମୃତକଙ୍କ ଶାରୀରିକ ଅବସ୍ଥା ଆତ୍ମହତ୍ୟା ସହିତ ଅସଙ୍ଗତ ଥିଲା।
ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ନଅ ବର୍ଷର ସମ୍ପର୍କ ପରେ ଜିତେନ୍ଦ୍ର ଗତବର୍ଷ ନଭେମ୍ବର ୨୫ରେ ଜ୍ୟୋତିଙ୍କୁ ବିବାହ କରିଥିଲେ ଏବଂ ଘଟଣା ଘଟିଥିବା ଭଡା ଘରେ ଦମ୍ପତି ଏକାଠି ରହୁଥିଲେ। ବିବାହର କିଛି ଦିନ ପରେ ରୋଡୱେଜ୍ କଣ୍ଡକ୍ଟର ଜ୍ୟୋତି ଜିତେନ୍ଦ୍ରଙ୍କୁ ତାଙ୍କ ପୈତୃକ ସମ୍ପତ୍ତି ବିକ୍ରୟ କରି ତାଙ୍କ ନାଁରେ ଘର ଓ କାର୍ କିଣିବାକୁ ଚାପ ପକାଇବା ଆରମ୍ଭ କରିଥିଲେ। ଯେତେବେଳେ ସେ ମନା କଲେ, ଜ୍ୟୋତି ଓ ତାଙ୍କ ପରିବାର ତାଙ୍କ ବିରୋଧରେ ଯୌତୁକ ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ। ଏହା ଜିତେନ୍ଦ୍ରଙ୍କ ପରିବାର ଭିତରେ ସନ୍ଦେହ ସୃଷ୍ଟି କରିଥିଲା, ଯାହା ଫଳରେ ସେ କେଉଁ ପରିସ୍ଥିତିରେ ମୃତ୍ୟୁବରଣ କରିଥିଲେ ତାହା ଉପରେ ପ୍ରଶ୍ନ ଉଠାଇଥିଲେ।
ପଚରାଉଚରା ସମୟରେ ଜ୍ୟୋତି ପୁଲିସକୁ କହିଛନ୍ତି ଯେ, ଜୁଆ ଖେଳରେ ଜିତେନ୍ଦ୍ର ୨୦,୦୦୦ ଟଙ୍କା ହରାଇବାକୁ ନେଇ ଘଟଣା ଦିନ ଯୁକ୍ତିତର୍କ ହୋଇଥିଲା। ବିବାଦ ସମୟରେ ସେ ତାଙ୍କ ବେକକୁ ଚାପି ଦେଇଥିଲେ, ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଜ୍ୟୋତି ତାଙ୍କ ପିତାମାତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେମାନେ ମିଳିତ ଭାବରେ କୋଠରି ଭିତରେ ଥିବା ଭେଣ୍ଟିଲେଟରରୁ ମଫଲରରେ ମୃତଦେହକୁ ଟାଙ୍ଗି ଆତ୍ମହତ୍ୟା ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ। ପୁଲିସ ଜ୍ୟୋତି, ତାଙ୍କ ପିତା ଓ ମାତାଙ୍କୁ ଗିରଫ କରିଛି।
ସୌଜନ୍ୟ ସମ୍ବାଦ




