ଖେଳ

National Indoor Athletics: ପ୍ରଥମ ଜାତୀୟ ଇନ୍‌ଡୋର୍‌ ଆଥ୍‌ଲେଟିକ୍ସ ଆଜିଠୁ: ଭାରତରେ ପ୍ରଥମ ଥର, ୨୬ ଇଭେଣ୍ଟ୍‌ରେ ପ୍ରତିଦ୍ବନ୍ଦ୍ବିତା

ଭାରତୀୟ ଆଥ୍‌ଲେଟିକ୍ସ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ମଙ୍ଗଳବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ପ୍ରଥମ ଜାତୀୟ ଇନ୍‌ଡୋର୍‌ ଆଥ୍‌ଲେଟିକ୍ସ ପ୍ରତିଯୋଗିତା। ଭାରତରେ ପ୍ରଥମ ଥର ଲାଗି ଏଭଳି ଏକ ପ୍ରତିଯୋଗିତାର ଆୟୋଜନ କରାଯିବ।

ଭୁବନେଶ୍ବର: ଭାରତୀୟ ଆଥ୍‌ଲେଟିକ୍ସ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ମଙ୍ଗଳବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ପ୍ରଥମ ଜାତୀୟ ଇନ୍‌ଡୋର୍‌ ଆଥ୍‌ଲେଟିକ୍ସ ପ୍ରତିଯୋଗିତା। ଭାରତରେ ପ୍ରଥମ ଥର ଲାଗି ଏଭଳି ଏକ ପ୍ରତିଯୋଗିତାର ଆୟୋଜନ କରାଯିବ। ଓଡ଼ିଶା କ୍ରୀଡ଼ା ପାଇଁ ଗର୍ବର ବିଷୟ ଭାବେ କଳିଙ୍ଗ ଷ୍ଟାଡିୟମ୍‌ ଏହାର ପ୍ରଥମ ଆୟୋଜକ ହେବ। ଓଡ଼ିଶା ମଧ୍ୟ ଏକ ଇନ୍‌ଡୋର୍‌ ଆଥ୍‌ଲେଟିକ୍ସ ପ୍ରତିଯୋଗିତା ଆୟୋଜନ କରିବାରେ ଭାରତବର୍ଷର ପ୍ରଥମ ରାଜ୍ୟ ହେବ। ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ୧୩ଟି‌ ଲେଖାଏଁ ମୋଟ ୨୬ଟି ଇଭେଣ୍ଟ୍‌ରେ ପ୍ରତିଦ୍ବନ୍ଦ୍ବିତା ହେବ। ୩୨ଟି ଦଳର ୨୭୮ରୁ ଅଧିକ ପ୍ରତି‌ଯୋଗୀ କଳିଙ୍ଗ ଷ୍ଟାଡିୟମ୍‌ ଇନ୍‌ଡୋର୍‌ ଆଥ୍‌ଲେଟିକ୍ସ ଷ୍ଟାଡିୟମ୍‌ରେ ବିଛାଯାଇଥିବା ମୁଣ୍ଡୋ ଟ୍ରାକ୍‌ରେ ଦୌଡ଼ିବାର ନବୀନ ଅଭିଜ୍ଞତା ପାଇବେ। ସେହିଭଳି ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଟ୍ରିପଲ୍‌ ଜମ୍ପ, ବାଧାଦୌଡ଼, ସଟ୍‌ପୁଟ୍‌ ଆଦି ଖେଳରେ ବନ୍ଦ କବାଟ ଭିତରେ ନିଜ ଯାଦୁ ଦେଖାଇବାର ସୁଯୋଗ ପାଇବେ। ୨୦୨୮ ମସିହାରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଥିବା ବିଶ୍ବ ଇନ୍‌ଡୋର୍‌ ଆଥ୍‌ଲେଟିକ୍ସ ପ୍ରତିଯୋଗିତା ପୂର୍ବରୁ ଏହା ଏକ ରିହରସାଲ ସଦୃଶ ହେବ।

ଭାରତରେ ପ୍ରଥମ ଥର, ୨୬ ଇଭେଣ୍ଟ୍‌ରେ ପ୍ରତିଦ୍ବନ୍ଦ୍ବିତା,ଭାଗନେବେ ୨୮୦ରୁ ଅଧିକ ଖେଳାଳି, ଓଡ଼ିଶାର ୩୩ଜଣିଆ ଦଳ

ଏହି ପ୍ରତିଯୋଗିତା ମଧ୍ୟ ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ବଡ଼ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ପର୍ବର ବଳିଷ୍ଠ ମଞ୍ଚ ହେବ। ତେବେ ଜାଭଲିନ୍‌, ଡିସ୍‌କସ୍‌ ଓ ହାମର୍‌ଥ୍ରୋ ଭଳି ଇଭେଣ୍ଟ୍‌ ନଥିବାରୁ ଏବଂ ମୋଟ ଇଭେଣ୍ଟ ସଂଖ୍ୟା ସୀମିତ ଥିବାରୁ ସ୍ଥାନୀୟ କ୍ରୀଡ଼ାପ୍ରେମୀ ଅଲିମ୍ପିଆନ୍‌ ନୀରଜ ଚୋପ୍ରାଙ୍କ ସହ ଅନ୍ୟ କିଛି ତାରକା ଆଥଲେଟ୍‌ଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇବେନି। ଭାରତୀୟ ଆଥ୍‌ଲେଟିକ୍ସ ମହାସଂଘ ଏବଂ ଓଡ଼ିଶା ସରକାରଙ୍କ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତୀକ୍ଷିତ ପ୍ରତିଯୋଗିତା ଆୟୋଜିତ ହେବ। ସ୍ଥାନୀୟ ତାରକାଙ୍କ ମଧ୍ୟରେ ଅନିମେଷ କୁଜୁର, ଦଣ୍ଡପତି ମୃତ୍ୟୁମ୍‌ ଜୟରାମ, ସରୁନ ପାୟସିଂହ, ଲାଲୁ ପ୍ରସାଦ ଭୋଇ, ମହେନ୍ଦ୍ର ସାନ୍ତା, ଯଶବୀର ବିଲୁଙ୍ଗ, ଆର୍ଯ୍ୟନ ବ୍ରାହ୍ମିନ୍‌, ଆର୍ଯ୍ୟନ୍‌ ଏକ୍କା, ନରେଶ ରୋହିଦାସ, ଚିରଞ୍ଜିବୀ ସିଂହ, ପ୍ରତୀକ ମହାରଣା, ମଳୟ ବାରିକ, ବାପି ହାଁସ୍‌ଦା, ଲୁସାନ ଖମାରୀ, ଆସ୍ତିକ ପ୍ରଧାନ, ସ୍ବାଧୀନ ମାଝୀ, ଓମ୍‌କାର ପ୍ରସାଦ ନନ୍ଦ, ଗୌରବ ଉଲ୍ଲାସ ନାୟକ, ବିନତୀ ବେହେରା, ମୌସୁମୀ ରାଓ ଉତ୍ତମ, ମେରିମୁକ୍ତା ‌ସୋରେଙ୍ଗ, ସବିତା ଟପ୍ପୋ, ସୁଖୀ ବାସ୍କେ, ଲକ୍ଷ୍ମୀପ୍ରିୟା କିଷାନ, ସନ୍ତୋଷୀ ଗୌଡ଼, ସୁସ୍ମିତା ଟିଗା, ବନିତା ଲାକ୍ରା, ମହେକ ନସରିନ ଦୟାନ, ମନୀଷା ମେରେଲ, ଶୁଭଶ୍ରୀ ପରିଡ଼ା, ଅର୍ପିତା ପ୍ରିୟଦର୍ଶିନୀ ପ୍ରମୁଖ ଆକର୍ଷଣ ପାଲଟିବେ। ଓଡ଼ିଶାର ଏକ ୩୩ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିବ। ଜାତୀୟ ଟ୍ରିପଲ ଜମ୍ପ୍‌ ରେକର୍ଡଧାରୀ ପ୍ରବୀଣ ଚିତ୍ରଭଲ୍‌ ଅନ୍ୟତମ ଆକର୍ଷଣ ହେବେ।

ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଆଥଲେଟିକ୍ସ ମହାସଂଘର ସଭାପତି ତଥା ପୂର୍ବତନ ଅଲିମ୍ପିଆନ୍‌ ବାହଦୁର ସିଂହ ସାଗୁ, କୋଷାଧ୍ୟକ୍ଷ ଷ୍ଟାନ୍‌ଲି ଜୋନ୍ସ, କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ବିଜୟ ୟେଦୁଲା, ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ, ଓଡ଼ିଶା ଅଲିମ୍ପିକ୍ସ ସଂଘ ସଂପାଦକ ଅଭିଜିତ ପାଲ, ଧାବକ ଅନିମେଷ କୁଜୁର ପ୍ରତିଯୋଗିତା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଜାତୀୟ ରିଲେ ଚାମ୍ପିଅନ୍‌ସିପ୍‌ ଚଳିତ ମାର୍ଚ୍ଚ ୨୮ରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ସାଗୁ ଏହି ଅବସରରେ ସୂଚନା ଦେଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button