ଭୁବନେଶ୍ବର: କୁହାଯାଏ ‘ଚାଷ ଅଛି ଯାହାର, କି ଆନନ୍ଦ ତାହାର’। କିନ୍ତୁ ୨୪ ବର୍ଷର ବିଜେଡି ସରକାରର ଉତ୍ତମ ଶାସନ କାଳରେ ‘ଚାଷ ଅଛି ଯାହାର କି ଦୁଃଖ ତାହାର’ରେ ପରିଣତ ହୋଇଥିଲା। ଚାଷୀ ଆଖିରୁ ଲୁହ ଶୁଖିଗଲା ପଛେ ୧୦୦ ଟଙ୍କା ବୋନସ୍ ପାଇଲାନି। ବାସ୍ତବରେ ନବୀନ ବାବୁଙ୍କ ସରକାର ଭଲ ସ୍ଲୋଗାନ୍ ଦେଉଥିଲା। ଯେମିତି କହୁଥିଲେ, ‘ଜମିକୁ ଜଳ, ଚାଷୀକୁ ବଳ’ ହେଲେ ‘ଜମିକୁ ଜଳ, ଠିକାଦାରଙ୍କୁ ବଳ’ ଦେଉଥିଲେ। ଯେଉଁଥିପାଇଁ ୨୪ ବର୍ଷରେ ବହୁ ଚାଷୀ ଆତ୍ମହତ୍ୟା କରିଥିଲେ। ଚାଷୀର ଜମିକୁ ପାଣି ଦେଇଥିଲେ, ତା’ର ଅଧା ସମସ୍ୟା ସମାଧାନ ହୋଇ ଯାଇଥାନ୍ତା। କିନ୍ତୁ ବିଜେଡି ସରକାର ଜମିକୁ ପାଣି ଦେଇ ପାରିଲେନି। କାରଣ ଜଳମ୍ପଦ ବିଭାଗ, ରାଜୀବ ଭବନ ଥିଲା ଅଣଓଡ଼ିଆ ଠିକାଦାରଙ୍କ ଆଡ୍ଡାସ୍ଥଳୀ। ତାହା ପୁଣି ତାମିଲନାଡ଼ୁର ଠିକାଦାର। ଚାଷୀର ଜମିକୁ ପାଣି ଯାଉନଥିଲା, କେବଳ ପବନ ପହଞ୍ଚୁଥିଲା। ପୁରୀ କେନାଲ୍, ରେଙ୍ଗାଳି କେନାଲ୍, ତାଳଦଣ୍ଡା କେନାଲର ତଳମୁଣ୍ଡରୁ ଆସିଥିବା ବିଧାୟକମାନେ ଏ ନେଇ ତାଙ୍କ ଅନୁଭୂତି କହିପାରିବେ। କିନ୍ତୁ ଆମେ ୨ ବର୍ଷରେ ଠିକାଦାର ଯୁଗ ଶେଷ କରିଛୁ। ଚାଷୀର ଜମିକୁ ପାଣି ଯୋଗାଉଛୁ।
ଆଜି ବିଧାନସଭାରେ ଜଳସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏଭଳି ଭାବେ ବିଜେଡି ସରକାରକୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୦୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ, ପ୍ରତି ବ୍ଲକ୍ରେ ଚାଷଜମିକୁ ପାଣି ଯୋଗାଣ ହେବ। ୨୦୦୮ରେ ପୁଣି ଘୋଷଣା କଲେ ବ୍ଲକ୍ ନୁହେଁ, ପ୍ରତି ଗାଁରେ ୩୫% ଜମିକୁ ଜଳସେଚିତ କରାଯିବ। ହେଲେ ଠିକାଦାର ପ୍ରୀତି ଯୋଗୁ ଲକ୍ଷ୍ୟଠାରୁ ବହୁ ଦୂରରେ ରହିଲେ। ୨୫ଟି ବ୍ଲକ୍ରେ ଚାଷୀର ଜମିକୁ ଜଳ ପହଞ୍ଚିପାରିଲାନି। ଆମେ କିନ୍ତୁ ୩୫% ଜଳସେଚନ ଧୂଆଁବାଣକୁ ପୂରଣ କରିବୁ। ୫ ବର୍ଷରେ ଅଧିକ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବୁ। ପ୍ରତି ବ୍ଲକ୍ର ୫୦% ଜମିକୁ ଜଳସେଚିତ କରିବାରେ ସଫଳ ହେବୁ ବୋଲି ଆଶା ରଖି କାମ କରୁଛୁ।
ଗଙ୍ଗୁଆ ପୁନରୁଦ୍ଧାର ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୮୭୩୬ କୋଟି
୨୦୨୬-୨୭ରେ ୩.୩୩ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବୁ
ଗୃହରେ ବିରୋଧୀଙ୍କ ହଟ୍ଟଗୋଳକୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ
ବିରୋଧୀ ଦଳ ଗୃହରେ ଏସ୍ସିବି ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ସମାଲୋଚନା କରି କହିଥିଲେ, ସେମାନେ ନାଟକବାଜି କରି ଶବ ଉପରେ ଶୋଭାଯାତ୍ରା କରି ପୀଡ଼ିତ ପରିବାରକୁ ଉପହାସ କରୁଛନ୍ତି। ସେମାନେ ଜାଣିବା ଦରକାର ରାଗ ରାଗ ଜାଗାରେ। କିନ୍ତୁ ଗୃହକୁ ସମ୍ପୂର୍ଣ୍ଣ ଅଚଳ କରିବା, ଗୃହରେ ଅନୁପସ୍ଥିତ ରହିବା, ନିଜ ଅଞ୍ଚଳର କଥା ଗୃହରେ ନ ରଖିବା, ନାଟକବାଜି କରିବା ସମ୍ପୂର୍ଣ୍ଣ ନକାରାତ୍ମକ ଚିନ୍ତାଧାରା। ସରକାରଙ୍କ କାମ ପ୍ରତି ଲୋକଙ୍କ ବିଶ୍ୱାସ ଅଛି। ସେଥିପାଇଁ ତ
ନୂଆପଡ଼ା ଓ ରାଜ୍ୟସଭା ନିର୍ବାଚନରେ ସରକାର ଜନ ସମର୍ଥନ ସାଉଁଟୁଛନ୍ତି। ଯେତେବେଳେ କିଛି ଘଟଣା, ଅଘଟଣ ଘଟେ ତାକୁ ବିଧାନସଭାରେ ଉତ୍ଥାପନ କରିବାର ପରମ୍ପରା ରହିଆସିଛି। କିନ୍ତୁ ସର୍ବଦଳୀୟ ବୈଠକ ପରେ ଗୃହକୁ ସ୍ୱାଭାବିକ ନ କରିବା, ନଚେତ ଗାନ୍ଧୀ ମୂର୍ତ୍ତି ତଳେ ବସିବା କିମ୍ବା ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବାର ବ୍ୟବସ୍ଥା ରହିଛି। ବିରୋଧୀ ଦଳ ଭାବେ ଆମେ ମଧ୍ୟ ତାହା କରୁଥିଲୁ। ହେଲେ ଏବେ ବିରୋଧୀ ଦଳ ତାହା ନ କରି କେବଳ ବିଧାନସଭା ଆସି ହୋହଲ୍ଲା କରି ଚାଲିଯିବାର ମାନେ କ’ଣ?
କେହି ଭୁଲିନାହାନ୍ତି ଯେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପୂର୍ବରୁ ବିଧାନସଭା ଠିକ୍ ଭାବେ ଆସୁନଥିଲେ। କିନ୍ତୁ ଏବେ ପ୍ରତ୍ୟେକ ଦିନ ଆସୁଛନ୍ତି। ଆମ ବିଧାୟକମାନେ କହୁଛନ୍ତି, ଆପଣ କ’ଣ କରିଦେଲେ ଯେ ବିରୋଧୀ ଦଳ ନେତା ଏବେ ପ୍ରତି ଦିନ ଆସୁଛନ୍ତି। ବିଭିନ୍ନ ପ୍ରସଙ୍ଗରେ ବୟାନବାଜି କରୁଛନ୍ତି। ଯାହା ହେଉ ମୋତେ ଆଜି ଖୁସି ଲାଗୁଛି ଯେ ମୋ ପାଇଁ ହେଉ ପଛେ ବିରୋଧୀ ଦଳ ନେତା ପ୍ରତି ଦିନ ଗୃହକୁ ଆସୁଛନ୍ତି। ବିରୋଧୀ ବିଧାନସଭାକୁ ଠିକ୍ ଭାବେ ଚଲାନ୍ତୁ, ସେମାନଙ୍କ ଅଞ୍ଚଳର ପ୍ରସଙ୍ଗ ଉଠାନ୍ତୁ। ନଚେତ୍ ସାଢ଼େ ୪ କୋଟି ଓଡ଼ିଆ ତାଙ୍କୁ କ୍ଷମା କରିବେନି। ମୁଖ୍ୟମନ୍ତ୍ରୀ ମହାନଦୀ, ପୋଲାଭରମ୍, ବଂଶଧାରା ଜଳ ବିବାଦ ପ୍ରସଙ୍ଗ ଉଠାଇବା ସହ କହିଥିଲେ, ଏହା ଟ୍ରିବ୍ୟୁନାଲରେ ଥିବାରୁ ଅଧିକ କିଛି କହିବିନି। କିନ୍ତୁ ମହାନଦୀ ବିବାଦର ଖୁବ୍ଶୀଘ୍ର ସମାଧାନ ହେବ। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିଥିବାବେଳେ ଏ ନେଇ ଆଲୋଚନା ହୋଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ, ୩୩କିମିର ଗଙ୍ଗୁଆ ନାଳର ପୁନରୁଦ୍ଧାର ହେବ। ଏଥିପାଇଁ ୫ ବର୍ଷରେ ପର୍ଯ୍ୟାୟକ୍ରମେ ୮୭୩୬ କୋଟି ଖର୍ଚ୍ଚ ହେବ। ଆସନ୍ତା ଆର୍ଥିକ ବର୍ଷରୁ ଏଥିପାଇଁ କାମ ଆରମ୍ଭ ହେବ। ସେହିପରି ନଦୀ ମୁହାଣ ଖନନ ପାଇଁ ୫ ବର୍ଷରେ ୨୭୮୧ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଆସନ୍ତା ଆର୍ଥିକ ବର୍ଷରେ ୫୦୦କେ ାଟି ଖର୍ଚ୍ଚ ହେବ। ନଦୀବନ୍ଧର ସୁରକ୍ଷା, ବନ୍ୟା ପରିଚାଳନା ପାଇଁ ବିସ୍ତୃତ ଯୋଜନା,
ନଦୀର ପ୍ରାକୃତିକ ପ୍ରବାହକୁ ପୁନଃସ୍ଥାପିତ କରିବାକୁ ‘ସଞ୍ଜୀବନୀ’ ଯୋଜନା ହେବ। ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟକୁ ବିଶ୍ୱସ୍ତରୀୟ ଐତିହ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ବିରୋଧୀ ବିଜେଡି ଓ କଂଗ୍ରେସ ଜଳସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇ ନଥିବାବେଳେ ଶାସକ ଦଳ ପକ୍ଷରୁ ସନ୍ତୋଷ କୁମାର ଖଟୁଆ, ଅଶ୍ବିନୀ କୁମାର ଷଡ଼ଙ୍ଗୀ, ବିଭୂତି ଭୂଷଣ ପ୍ରଧାନ, ପ୍ରକାଶ ଚନ୍ଦ୍ର ସେଠୀ, ପଦ୍ମଲୋଚନ ପଣ୍ଡା, ଇରାଶିଷ ଆଚାର୍ଯ୍ୟ ଆଲୋଚନାରେ ଭାଗ ନେଇ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।
`
ସୌଜନ୍ୟ ସମ୍ବାଦ