Naveen: ନବୀନ, ଭକ୍ତଙ୍କ ନିଷ୍ପତ୍ତିକୁ ଝଟକା: ଫୁ କରିଦେଲେ ୧୧ ବିଧାୟକ, ରାଜ୍ୟସଭା ଗଲେ ମନମୋହନ, ସୁଜିତ, ସଂତୃପ୍ତ, ଦିଲୀପ
ସୁବାସିନୀ ଜେନା, ଦେବୀରଞ୍ଜନ ତ୍ରିପାଠୀ ଓ ରମାକାନ୍ତ ଭୋଇ। ତିନି ଜଣ ନବୀନ ନିବାସରେ ହାଜିରା ପକାଇଲେ। ଦଳୀୟ ବିଧାୟକମାନଙ୍କ ସହ ଏକାଠି ବସିଲେ। କିନ୍ତୁ ମତଦାନ କେନ୍ଦ୍ରରେ ଚକ୍ମା ଦେଲେ। ଦଳୀୟ ହ୍ବିପ୍କୁ ଖୋଲା ଅମାନ୍ୟ କଲେ।

ଭୁବନେଶ୍ବର: ସୁବାସିନୀ ଜେନା, ଦେବୀରଞ୍ଜନ ତ୍ରିପାଠୀ ଓ ରମାକାନ୍ତ ଭୋଇ। ତିନି ଜଣ ନବୀନ ନିବାସରେ ହାଜିରା ପକାଇଲେ। ଦଳୀୟ ବିଧାୟକମାନଙ୍କ ସହ ଏକାଠି ବସିଲେ। କିନ୍ତୁ ମତଦାନ କେନ୍ଦ୍ରରେ ଚକ୍ମା ଦେଲେ। ଦଳୀୟ ହ୍ବିପ୍କୁ ଖୋଲା ଅମାନ୍ୟ କଲେ। ବିଜେଡିର ଆଉ ତିନି ବିଧାୟକ ସୌଭିକ ବିଶ୍ବାଳ, ନବକିଶୋର ମଲ୍ଲିକ ଓ ଚକ୍ରମଣି କଅଁର ଧରାଛୁଆଁ ଦେଉ ନଥିଲେ। ସେମାନେ ଦଳୀୟ ନିଷ୍ପତ୍ତିକୁ ମାନିବେନି ବୋଲି ସ୍ପଷ୍ଟ ଥିଲା। ତାହା ହିଁ ହେଲା। ଦଳରୁ ଦୁଇ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ଦଳୀୟ ନିଷ୍ପତ୍ତି ବିରୋଧରେ ଯିବା ସ୍ବାଭାବିକ ଥିଲା।
କଂଗ୍ରେସରେ ଯେଉଁ ତିନି ଜଣଙ୍କ ଉପରେ ସନ୍ଦେହ ଥିଲା, ତାହା ସତ ହେଲା। ନିଖୋଜ ଥିବା ଦାଶରଥି ମତଦାନ କେନ୍ଦ୍ରକୁ ଆସିଲେ ଓ ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ଭୋଟ ଦେଲେନି। ରମେଶ ଜେନା ଓ ସୋଫିଆ ଫିରଦୋସ ବି ଦଳୀୟ ନିଷ୍ପତ୍ତିକୁ ଖୋଲା ଚ୍ୟାଲେଞ୍ଜ୍ ଦେଲେ। ଏମିତି ଭାବେ ଆଜି ବିରୋଧୀ ପଟର ୧୧ ଜଣ କ୍ରସ୍ଭୋଟିଂ କରିଛନ୍ତି। ବିଜେଡିରୁ ୮ ଓ କଂଗ୍ରେସରୁ ୩ ଜଣ। ଆଉ ସବୁତକ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ ଯାଇଛି। ରାଜ୍ୟସଭା ନିର୍ବାଚନରେ ଗଡ଼ବଡ଼ ନିଶ୍ଚିତ ହେବ ବୋଲି ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ତିନି ଦଳର ବିଧାୟକଙ୍କ ସମର୍ଥନ ପାଇଲେ ଦିଲୀପ। ରାଜ୍ୟସଭାକୁ ତୃତୀୟ ଥର ପାଇଁ ଓ ନିର୍ଦ୍ଦଳୀୟ ଭାବେ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହେଲେ। ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇ ବିଜେଡି-କଂଗ୍ରେସ ସମର୍ଥନ ପାଇ ଲଢ଼ୁଥିବା ଡାକ୍ତର ଦତ୍ତେଶ୍ବର ହୋତା ପରାଜୟ ବରଣ କଲେ।
୩ ନିଖୋଜ ବିଧାୟକ ଆସିଲେ, କ୍ରସ୍ଭୋଟିଂ କଲେ
ବିଜେଡି ମୁଖିଆଙ୍କୁ ଚକ୍ମା ଦେଲେ ୬ ବିଧାୟକ
ଦଳ ସହ ରହିଲେନି କଂଗ୍ରେସର ତିନି ବିଧାୟକ
ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ନିର୍ବାଚିତ ହେଲେ। ବିଜେଡିର ପ୍ରାର୍ଥୀ ସଂତୃପ୍ତ ମିଶ୍ର ବି ବିଜୟୀ ହେଲେ। ପୂର୍ବାହ୍ଣ ୯ଟାରୁ ଆରମ୍ଭ ହୋଇଥିବା ଏହି ମତଦାନରେ ସବୁ ବିଧାୟକ ଅଂଶଗ୍ରହଣ କରିଥିଲେ। ୫ଟା ବେଳେ ଭୋଟ ଗଣତି ହୋଇ ସନ୍ଧ୍ୟାରେ ଫଳାଫଳ ପ୍ରକାଶ ପାଇଥିଲା।
ପ୍ରଥମ ପସନ୍ଦରେ ଜିତିବା ପାଇଁ ୩୦ଟି ଭୋଟ ଆବଶ୍ୟକ ଥିଲେ ମଧ୍ୟ ଉଭୟ ବିଜେପି ଓ ବିଜେଡି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଅଧିକ ପ୍ରଥମ ପସନ୍ଦ ଭୋଟ ବ୍ୟବସ୍ଥା କରିଥିଲେ। ମନମୋହନ ସାମଲ ଓ ସୁଜିତ କୁମାର ୩୫ଟି ଲେଖାଏଁ ଭୋଟ ପାଇଥିଲେ। ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ୩୧ଟି ପ୍ରଥମ ପସନ୍ଦ ଭୋଟ ପାଇଥିଲେ। ଦିଲୀପ ଓ ଦତ୍ତେଶ୍ବର ୨୩ଟି ଲେଖାଏଁ ପ୍ରଥମ ପସନ୍ଦ ଭୋଟ ପାଇଥିଲେ। ଦିଲୀପ ବିଜେପିରୁ ୧୨ ଭୋଟ ପାଇଥିଲା ବେଳେ ବିଜେଡି ଓ କଂଗ୍ରେସରୁ ୧୧ଟି ଭୋଟ ପାଇଥିଲେ। ଦତ୍ତେଶ୍ବର ବିଜେଡିରୁ ୧୧, କଂଗ୍ରେସରୁ ୧୧ ଓ ସିପିଆଇ(ଏମ୍)ରୁ ଗୋଟିଏ ଭୋଟ ପାଇଥିଲେ। ତେବେ ଦ୍ବିତୀୟ ପସନ୍ଦ ଭୋଟରେ ଦିଲୀପ ବିଜୟ ହାସଲ କରିଥିଲେ। ମନମୋହନ ଓ ସୁଜିତଙ୍କ ଭୋଟ ପରିମାଣ ୩୫୦୦ ଲେଖାଏଁ ରହିଲା। ଦ୍ବିତୀୟ ପସନ୍ଦ ଭୋଟ ଗଣତି ପରେ ଦିଲୀପଙ୍କ ଭୋଟ ପରିମାଣ ୩୪୧୮ ହୋଇଥିଲା। ସଂତୃପ୍ତଙ୍କ ଭୋଟ ପରିମାଣ ହେଲା ୩୧୦୦।
ଆଜି ମତଦାନର କିଛି ସମୟ ପରେ ହିଁ କ୍ରସ୍ଭୋଟିଂ ଟ୍ରେଣ୍ଡ୍ ଜଣାପଡ଼ିଯାଇଥିଲା। ୧୧ ଜଣଙ୍କ ମଧ୍ୟରୁ ସନାତନ ପ୍ରଥମେ ଭୋଟ ଦେଇଥିଲେ। ତାଙ୍କ ପରେ ଚକ୍ରମଣି କ୍ରସ୍ ଭୋଟିଂ କରିଥିଲେ। ସେମାନେ ବାହାରକୁ ଆସିଲା ପରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ନଥିବା ସ୍ପଷ୍ଟ ହୋଇଥିଲା। କଂଗ୍ରେସର ତିନି ଜଣ ଯାକ ପାଖାପାଖି ସମୟରେ ମତଦାନ କେନ୍ଦ୍ରକୁ ଯାଇଥିଲେ। ସେମାନେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ନଥିଲେ। ମତଦାନ କେନ୍ଦ୍ରରେ କଂଗ୍ରେସ ଏଜେଣ୍ଟ ଥିବା ପିସିସି ସଭାପତି ଭକ୍ତଚରଣ ଦାସ ଏହି ବିଧାୟକମାନେ ଦଳୀୟ ହ୍ବିପ୍ ମାନି ନଥିବା ସମ୍ପର୍କରେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଜଣାଇଥିଲେ। ତେବେ ଦଳୀୟ ହ୍ବିପ୍ ଏଠାରେ ଗ୍ରହଣ ହେବନି ବୋଲି ନିର୍ବାଚନ ପର୍ଯ୍ୟବେକ୍ଷକ କହିଥିଲେ। ଦେବୀରଞ୍ଜନ, ସୌଭିକ ଖୋଲାଖୋଲି ଭାବେ ବିଜେଡିକୁ ଭୋଟ ଦେଇ ନଥିବା ଗଣମାଧ୍ୟମରେ କହିଥିଲେ। ଆଉ କିଛି ବିଧାୟକ କାମଚଳା ଢଙ୍ଗରେ ପ୍ରତିକ୍ରିୟା ରଖିଥିଲେ। କ୍ରସ୍ଭୋଟିଂ କରିଥିବା ଶେଷ ବିଧାୟକ ଥିଲେ ନବକିଶୋର। ସେ ଶେଷକୁ ଆସି ଭୋଟ ଦେଇଥିଲେ।
ପ୍ରଥମ ଥର ପାଇଁ କୌଣସି ଏକ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ହାତ ମିଳାଇଥିଲେ। କିନ୍ତୁ ଏହି ମେଣ୍ଟ ସଫଳ ହୋଇ ନାହିଁ। ଦୁଇ ଦଳର ବିଧାୟକମାନେ ଏହି ମେଣ୍ଟକୁ ପ୍ରତ୍ୟାଖ୍ୟାନ କରି ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇଛନ୍ତି। ବିଧାୟକମାନଙ୍କର ଏପରି ଆଭିମୁଖ୍ୟ ଉଭୟ ଦଳର ସଭାପତିଙ୍କୁ ଶକ୍ତ ଧକ୍କା ହୋଇଛି। ବିଧାୟକମାନଙ୍କର ଆଭିମୁଖ୍ୟ ଉଭୟଙ୍କୁ ବିଚଳିତ କରିଦେଇଛି। ଆଜିର ଫଳାଫଳକୁ ନେଇ ଶାସକ ଦଳ ଉତ୍ସାହିତ ଅଛି। ଦୁଇ ଦଳୀୟ ପ୍ରାର୍ଥୀଙ୍କ ସହ ବିଜେପିର ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ବି ବିଜୟ ଲାଭ କଲେ। ଦିଲୀପ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ ବି ସେ ବିଜେପିର ଆଗଧାଡ଼ିର ନେତା, ଏହା କାହାରିକୁ ଅଛପା ନାହିଁ। ତେବେ ରାଜ୍ୟସଭାରେ ଓଡ଼ିଶା ବିଜେପିର ପ୍ରତିନିଧିତ୍ବ ସମାନ ରହିବ। ଏବେ ତିନି ଜଣ ଥିଲା ବେଳେ ଏପ୍ରିଲ୍ ମାସରୁ ସେହି ତିନି ଜଣ ହିଁ ରହିବେ। ଦିଲୀପ ସହଯୋଗୀ ସ୍ବାଧୀନ ସଦସ୍ୟ ଭାବେ ରହିବେ। ବିଜେଡିର ସଂଖ୍ୟା ୭ ଥିଲା ବେଳେ ଏପ୍ରିଲ୍ରୁ ଏହା ୬କୁ ଖସିଆସିବ।
ସୌଜନ୍ୟ ସମ୍ବାଦ




